Odisha Link
Bridging the Missing Links in Odisha

ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ନେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ

ଭୁବନେଶ୍ବର: ପୋଲିସ କମିଶନର ଭାବେ ଦାୟିତ୍ୱ ନେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ। ୧୯୯୫ ବ୍ୟାଚ୍ ଆଇପିଏସ ଅଫିସର ସୌମେନ୍ଦ୍ର। ସୁଧାଂଶୁ ଷଡଙ୍ଗୀ ସ୍ଥାନରେ ସୌମେନ୍ଦ୍ରଙ୍କୁ ମିଳିଲା ଗୁରୁଦାୟିତ୍ୱ। ତେବେ ଟ୍ୱିନସିଟିରେ ଅପରାଧ ନିୟନ୍ତ୍ରଣ ସୌମେନ୍ଦ୍ରଙ୍କ ପାଇଁ ବଡ ଆହ୍ୱାନ ହେବ।

୧୯୯୫ ବ୍ୟାଚର ଏହି ଆଇପିଏସ ଅଫିସର ବିଭିନ୍ନ ସମୟରେ ସରକାରଙ୍କ ପାଇଁ ସଙ୍କଟ ମୋଚକ ସାଜିଛନ୍ତି। ରଥଯାତ୍ରା ଭଳି ବଡ ଦାୟିତ୍ୱ ହେଉ, ନବକଳେବର ଭଳି ଆହୁରି ବଡ କାମ ହେଉ କିମ୍ବା ଫନି ଭଳି ବଡ ବାତ୍ୟା ପରେ ଉଦ୍ଧାର ଓ ପୁନଃନିର୍ମାଣ କାମ ହେଉ, ସବୁଥିରେ ଖୋଜାପଡନ୍ତି ସୌମେନ୍ଦ୍ର।

ଚେନ୍ନାଇର ଆନ୍ନା ବିଶ୍ୱବିଦ୍ୟାଳୟରୁ ବିଟେକ୍ କରିବା ପରେ ଭାରତୀୟ ପୁଲିସ ସେବା ପରୀକ୍ଷାରେ ସଫଳତା ପାଇଥିଲେ ସୌମେନ୍ଦ୍ର ଏବଂ ଓଡିଶା କ୍ୟାଡରରେ ତାଙ୍କୁ ନିଯୁକ୍ତି ମିଳିଥିଲା। ବଡ କଥା ହେଉଛି, ସୌମେନ୍ଦ୍ର ସରକାରଙ୍କ ଜଣେ ବଡ କ୍ରାଇସିସ୍ ମ୍ୟାନେଜର। ପୁରୀରେ ଯେତେବେଳେ ମନ୍ଦିର ସେବାୟତ କିମ୍ବା ଶ୍ରୀଜିଉଙ୍କ ନୀତିକାନ୍ତିକୁ ନେଇ ସମସ୍ୟା ଦେଖାଦିଏ, ସେତେବେଳେ ସରକାର ସୌମେନ୍ଦ୍ରଙ୍କୁ ଖୋଜନ୍ତି।

ଅଫିସର ଅନ୍ ସ୍ପେଶାଲ ଡ୍ୟୁଟିରେ ରହି ନବକଳେବର ଭଳି ଜଟିଳ ଏବଂ ସମ୍ବେଦନଶୀଳ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସମ୍ପାଦନ କରିଛନ୍ତି। କ୍ରାଇମବ୍ରାଞ୍ଚ ଏଡିଜି ଭାବେ ସୌମେନ୍ଦ୍ର ପ୍ରିୟଦର୍ଶୀ ହାଇପ୍ରୋଫାଇଲ ପ୍ରଦୀପ ପାଣିଗ୍ରାହୀ ଓ ଅଭୟ ପାଠକ ମାମଲାର ତଦନ୍ତ କରୁଥିଲେ। ଏହାଛଡା ବହୁ ଚର୍ଚ୍ଚିତ ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ।

Comments are closed.