ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିଲା ୱାଇ ପ୍ଲସ ସୁରକ୍ଷା

ନୂଆଦିଲ୍ଲୀ: ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିଲା ୱାଇ ପ୍ଲସ ସୁରକ୍ଷା। ଗତ ରବିବାର ଦିନ ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀ କୋଲକାତାର ‘ବ୍ରିଗେଡ୍ ଗ୍ରାଉଣ୍ଡ୍’ରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ‘ବିଜେପି’ରେ ସାମିଲ ହୋଇଥିଲେ। ବିଜେପିରେ ସାମିଲ ହେବା ପରେ ଆଜି ମିଥୁନ ଚକ୍ରବର୍ତ୍ତୀଙ୍କୁ ଗୃହ ମନ୍ତ୍ରାଳୟ ପକ୍ଷରୁ ୱାଇ ପ୍ଲସ ସୁରକ୍ଷା ପ୍ରଦାନ କରାଯାଇଛି।
ସୂତ୍ରରୁ ପ୍ରକାଶ ଯେ, ମିଥୁନ ଚକ୍ରବର୍ତ୍ତୀଙ୍କୁ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍ଏଫ୍) ସୁରକ୍ଷା ଯୋଗାଇବେ। ସାଧାରଣତଃ ୱାଇ ପ୍ଲସ୍ ସୁରକ୍ଷାରେ ୧୧ଜଣ କମାଣ୍ଡୋ ସୁରକ୍ଷା ଦେବା ସହ ବାସଭବନରେ ଏବଂ ଆଖପାଖରେ ୫୫ରୁ ଅଧିକ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଏ।
ତେବେ ବିଧାନସଭା ନିର୍ବାଚନ ପୂର୍ବରୁ ଗତ ଏକ ମାସ ମଧ୍ୟରେ ପଶ୍ଚମବଙ୍ଗର ପ୍ରାୟ ୬୦ଜଣ ନେତାଙ୍କୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏକ୍ସ ଏବଂ ୱାଇ ବର୍ଗର ସୁରକ୍ଷା ପ୍ରଦାନ କରିଛି। ନିର୍ବାଚନ ପୂର୍ବରୁ ଏବଂ ନିର୍ବାଚନ ସମୟରେ ହିଂସା ହେବାର ସମ୍ଭାବନା ଥିବାରୁ ନେତାଙ୍କୁ ସୁରକ୍ଷା ପ୍ରଦାନ କରାଯାଉଥିବା ଜଣାପଡ଼ିଛି।