Odisha Link
Bridging the Missing Links in Odisha

ବିଜେପିରେ ଯୋଗ ଦେଲେ ‘ରାମ’

ନୂଆଦିଲ୍ଲୀ: ବିଜେପିରେ ଯୋଗ ଦେଲେ ଦୂରଦର୍ଶନରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ରାମାୟଣରେ ରାମଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତା ଅରୁଣ ଗୋଭିଲ। ଆଜି ନୂଆଦିଲ୍ଲୀଠାରେ ଥିବା ବିଜେପି କାର୍ଯ୍ୟାଳୟଠାରେ ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ଲୋକପ୍ରିୟ ଅଭିନେତା ଅରୁଣ ଗୋଭିଲ୍।

ଆଗକୁ ୪ଟି ରାଜ୍ୟ ଓ ପଣ୍ଡିଚେରୀରେ ବିଧାନସଭା ନିର୍ବାଚନ ଥିବାରୁ ତାଙ୍କୁ ବିଜେପି ନିର୍ବାଚନ ପ୍ରଚାରରେ ନିୟୋଜିତ କରିବାର ସମ୍ଭାବନା ରହିଛି। ବିଜେପିର ହିନ୍ଦୁତ୍ବ ରାଜନୀତି ପାଇଁ ଅରୁଣ ଗୋଭିଲଙ୍କ ଯୋଗଦାନ ବେଶ ସୁହାଇବ ବୋଲି ରାଜନୈତିକ ବିଶ୍ଲେଷକ ଆକଳନ କରୁଛନ୍ତି।

ପଦ୍ମ ଧରିବା ପୂର୍ବରୁ ଅରୁଣ ଗୋଭିଲ ଟ୍ୱିଟ୍ କରି ଲେଖିଥିଲେ, ‘ସମସ୍ତ ବଡ଼ ଭୁଲ ପଛରେ ଅହଙ୍କାର ହିଁ ମୂଳ କାରଣ।’ ୧୯୮୭ରେ ଦୂରଦର୍ଶନରେ ପ୍ରସାରିତ ରମାନନ୍ଦ ସାଗରଙ୍କ ସିରିୟଲ୍ ‘ରାମାୟଣ’ ଧାରାବାହିକରେ ରାମ ଭୂମିକାରେ ଅଭିନୟ ତାଙ୍କୁ ଭାରତର ଘରେ ଘରେ ପରିଚିତ କରାଇଥିଲା। କେବଳ ଭାରତ ନୁହେଁ, ସାରା ବିଶ୍ବରେ ସେ ଲୋକପ୍ରିୟ ହୋଇଯାଇଥିଲେ।

ଏପରିକି ଲୋକେ ଟିଭି ସାମ୍ନାରେ ଧୂପକାଠି ଧରି ପୂଜା କରୁଥିଲେ। ଭଗବାନ ରାମଙ୍କ ରୂପରେ ଯେଉଁ ବ୍ୟକ୍ତିଙ୍କୁ ଲୋକେ ପୂଜା କରୁଥିଲେ ସେ ହିଁ ଅରୁଣ ଗୋଭିଲ । ଯଦିଓ ରାମାୟଣ ବହୁତ ଲୋକପ୍ରିୟତା ପାଇଥିଲା କିନ୍ତୁ ଲକ୍‌ଡାଉନ୍ ସମୟରେ ରାମାୟଣର ପୁନଃ ପ୍ରସାରଣ ବିଶ୍ୱରେ ଚର୍ଚ୍ଚା ସୃଷ୍ଟି କରିଥିଲା। ଏହି ସମୟରେ ଦେଶରେ ୭.୭୦ କୋଟି ଲୋକ ରାମାୟଣ ଦେଖିଥିଲେ।

ରାମାୟଣରେ ଅଭିନୟ କରିବା ପୂର୍ବରୁ ସେ ଲୋକପ୍ରିୟ ଧାରାବାହିକ ‘ବିକ୍ରମ ବେତାଳ’ରେ ରାଜା ବିକ୍ରମାଦିତ୍ୟ ଭାବେ ମଧ୍ୟ ଅଭିନୟ କରିଥିଲେ। ଏଥିସହ କେତେକ ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ ସେ ନାୟକ ଭାବେ ଅଭିନୟ କରିଥିଲେ।

Comments are closed.