Odisha Link
Bridging the Missing Links in Odisha

ସଡ଼କ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ

ନୟାଗଡ଼ : ସଡ଼କ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ। ଗତକାଲି ବିଳମ୍ବିତ ରାତିରେ ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଜଗନ୍ନାଥପୁରଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।

ଦୁଇଟି ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ଜଗନ୍ନାଥପୁର ଗାଁର କୃଷ୍ଣ ନାୟକ, ମୁନା ନାୟକ ଓ ପଥରକଟା ଗାଁର ଶ୍ୟାମ ସେଠୀ।

ପ୍ରକାଶ ଯେ, କୃଷ୍ଣଚନ୍ଦ୍ର ଓ ମୁନା ନୟାଗଡ଼ରୁ ଶରଣକୁଳ ଦେଇ ଜଗନ୍ନାଥପୁର ଗାଁ ସ୍ଥିତ ନିଜ ଗାଁକୁ ଫେରୁଥିଲେ। ଏହି ସମୟରେ ବିପରୀତ ଦିଗରୁ ୩ ଜଣ ଏକ ବାଇକ୍‌ରେ ଦ୍ରୁତ ଗତିରେ ନୟାଗଡ଼ ଅଭିମୁଖେ ଯାଉଥିଲେ। ଜଗନ୍ନାଥପୁର ଛକଠାରେ ଉଭୟ ଗାଡ଼ି ମୁହାଁମୁହିଁ ଧକ୍କା ହୋଇଥିଲା। ଖବରପାଇ ନୟାଗଡ଼ ଟାଉନ ଥାନା ପୁଲିସ୍‌‌, ଶରଣକୁଳ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଗୁରୁତରଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ।

ଘଟଣାସ୍ଥଳରେ କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁ ହୋଇ ଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୁନାଙ୍କର ମୃତ୍ୟୁ ହୋଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ଶ୍ୟାମ ସୁନ୍ଦରଙ୍କୁ କଟକ SCB କୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦିଲ୍ଲୀପ ଓ ତାଙ୍କର ଜଣେ ବନ୍ଧୁ ଚିକିତ୍ସିତ ହେଉଛନ୍ତି। ଶରଣକୁଳ ପୋଲିସ୍‌ ଦୁଇଟି ବାଇକ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି।

Comments are closed.