Odisha Link
Bridging the Missing Links in Odisha

ସୁରତ ଓ ମୁମ୍ବାଇ ଫେରନ୍ତାଙ୍କୁ ହୋମ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ

ବ୍ରହ୍ମପୁର: ପୁଣି ଅଣାୟତ୍ତ ହେଲାଣି କରୋନା। କରୋନା ସଂକ୍ରମଣ ହାର ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ ଆଜି ଗଞ୍ଜାମ ଜିଲ୍ଲାରୁ ୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କରୋନାର ଦ୍ୱିତୀୟ ଲହରୀକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି। ସୁରତ ଓ ମୁମ୍ବାଇରୁ ଫେରୁଥିବା ଲୋକମାନଙ୍କୁ ୭ ଦିନ ହୋମ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ।

କରୋନାର ଦ୍ୱିତୀୟ ଲହରୀ ପାଇଁ ଆକ୍ସନ ମୁଡରେ ଗଞ୍ଜାମ ଜିଲ୍ଲା ପ୍ରଶାସନ। ହଟସ୍ପଟ ଅଞ୍ଚଳରୁ ଆସୁଥିବା ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖାଯିବ। ବାହାର ଅଞ୍ଚଳରୁ ଆସିଲେ ଆରଟିପିସିଆର ଟେଷ୍ଟର ସାର୍ଟିଫିକେଟ ଆଣିବା ବାଧ୍ୟତାମୂଳକ। ରାଜ୍ୟ ବାହାରୁ ଯାନିଯାତ୍ରା ପାଇଁ ଲୋକଙ୍କୁ ଆସିବାକୁ ବାରଣ କରାଯାଇଛି। ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତିମାନେ ୭ ଦିନ ହୋମ କ୍ୱାରେଣ୍ଟାଇନରେ ରହିବେ ଏଥିସହ ମାସ୍କ ବ୍ୟବହାରକୁ କଡ଼ାକଡ଼ି ପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହ ଜିଲ୍ଲାରେ ହୋଲି ଓ ଦୋଳଯାତ୍ରା ଉପରେ କଟକଣା ଲଗାଇଛି ପ୍ରଶାସନ। କେବଳ ମନ୍ଦିର ଭିତରେ ଠାକୁରଙ୍କ ରୀତିନୀତି ଅନୁଯାୟୀ ହେବ ପୂଜାର୍ଚ୍ଚନା। ସର୍ବ ସାଧାରଣ ସ୍ଥାନରେ ହୋଲି ଖେଳାଯାଇ ପାରିବନି। ନିଜ ନିଜ ଘରେ ହୋଲି ଖେଳିପାରିବେ ଲୋକେ। ସେହିପରି ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ଯାତ୍ରା ମଧ୍ୟ ମାଆଙ୍କ ରିତିନିତି ଅନୁଯାୟୀ ପୂଜାର୍ଚ୍ଚନା ହେବ।

ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ କୋଭିଡ୍ ନିୟମ ପାଳନ ହେଉଛି କି ନାହିଁ ତାହାର ତଦାରଖ କରିବେ ବିଡିଓ, ତହସିଲଦାର ଓ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀମାନେ। ଲୋକେ ସତର୍କତା ଅବଲମ୍ବନ ନ କଲେ କିମ୍ବା କୋଭିଡ୍ କଟକଣା ନ ମାନିଲେ ଅନ୍ୟ ରାଜ୍ୟ ଭଳି ପୁଣି ଥରେ ଲକଡାଉନ ଏବଂ ସଟଡାଉନ ହେବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ।

Comments are closed.