Odisha Link
Bridging the Missing Links in Odisha

ବିଧାନସଭା, ରାଜଭବନ ନିର୍ମାଣ ବନ୍ଦ: କୋଭିଡ୍‌କୁ ଗୁରୁତ୍ବ ଦେଲେ ଛତିଶଗଡ଼ ସରକାର

ନୂଆ ରାୟପୁରରେ ନୂଆ ରାଜ୍ୟପାଳ ଭବନ, ବିଧାନସଭା, ମୁଖ୍ୟମନ୍ତ୍ରୀ ଆବାସ, ମନ୍ତ୍ରୀମାନଙ୍କର ଆବାସ, ବରିଷ୍ଠ ଅଧିକାରୀଙ୍କ ଆବାସ, ନୂଆ ସର୍କିଟ୍‌ ହାଉସ୍‌ ଆଦିର ନିର୍ମାଣକାର୍ଯ୍ୟ ତୁରନ୍ତ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ରାୟପୁର: ଦେଶ କୋଭିଡ୍‌ ଦାଉରେ ସିଝୁଥିବା ବେଳେ କେନ୍ଦ୍ର ସରକାର ନୂଆ ସଂସଦ ଓ ପ୍ରଧାନମନ୍ତ୍ରୀ ଆବାସ ‘ସେଣ୍ଟ୍ରାଲ ଭିଷ୍ଟା’ ପ୍ରକଳ୍ପ ନିର୍ମାଣରେ ମାତିଛନ୍ତି। ଏଭଳି ସମୟରେ ଏକ ଉଦାହରଣ ଯୋଗ୍ୟ ପଦକ୍ଷେପ ନେଇଛନ୍ତି ଛତିଶଗଡ଼ ସରକାର। କୋଭିଡ୍‌କୁ ଗୁରୁତ୍ବ ଦେବାକୁ ଯାଇ ନୂଆ ରାୟପୁରରେ ନିର୍ମାଣାଧିନ ନୂଆ ବିଧାନସଭା ଗୃହ କାର୍ଯ୍ୟ ସ୍ଥଗିତ ରଖିବା ସହ ଏ ନେଇ ସମସ୍ତ ନୂଆ ଟେଣ୍ଡର୍‌କୁ ବାତିଲ କରିଛନ୍ତି।

ନୂଆ ରାୟପୁରରେ ନୂଆ ରାଜ୍ୟପାଳ ଭବନ, ବିଧାନସଭା, ମୁଖ୍ୟମନ୍ତ୍ରୀ ଆବାସ, ମନ୍ତ୍ରୀମାନଙ୍କର ଆବାସ, ବରିଷ୍ଠ ଅଧିକାରୀଙ୍କ ଆବାସ, ନୂଆ ସର୍କିଟ୍‌ ହାଉସ୍‌ ଆଦିର ନିର୍ମାଣକାର୍ଯ୍ୟ ତୁରନ୍ତ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏସବୁ ପାଇଁ ୨୦୧୯ ନଭେମ୍ବର ୨୫ରେ ଭୂମିପୂଜା ହୋଇଥିଲା।

ଅନ୍ୟପଟେ ରାଜ୍ୟରେ କୋଭିଡ୍‌ ପରିଚାଳନା ଓ ନିୟନ୍ତ୍ରଣକୁ ଅଧିକ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର।

ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ କହିଛନ୍ତି ଯେ ନାଗରିକ ହିଁ ରାଜ୍ୟର ପ୍ରାଥମିକତା। ବର୍ତ୍ତମାନ ସଂକଟ ସମୟରେ ନୂଆ ନିର୍ମାଣକୁ ସ୍ଥଗିତ କଲେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଛତିଶଗଡ଼ ସରକାରଙ୍କ ପକ୍ଷରୁ ଏ ନେଇ ଏକ ବିଜ୍ଞପ୍ତିରେ କହାଯାଇଛି ଯେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋଭିଡ୍‌ ପରିଚାଳନାକୁ ଗୁରୁତ୍ବ ଦେଇ ଅନ୍ୟକ୍ଷେତ୍ରରେ ଖର୍ଚ୍ଚକାଟ କରାଯିବ।

Leave A Reply

Your email address will not be published.