Odisha Link
Bridging the Missing Links in Odisha

ଭେଣ୍ଟିଲେଟରରେ କୋଭିଡ୍‌କୁ ହରାଇଲା ୧୫ ଦିନର ଶିଶୁ, ବଞ୍ଚିଲେନି ବାପା

ଶିଶୁ କନ୍ୟା ସୁସ୍ଥ ହୋଇଥିଲେ ବି ତାହା ଘରେ ଆନନ୍ଦ ଆଣିନାହିଁ। କାରଣ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାର ବାପା ଅଙ୍କିତ ଅଗ୍ରଓ୍ବାଲ ପ୍ରାଣ ହରାଇଛନ୍ତି।

ଭୁବନେଶ୍ବର: କୋଭିଡ୍‌ର କଳା ବାଦଲ ଭିତରେ ଧାପେ ସୂର୍ଯ୍ୟାଲୋକ ପରି ଉଭା ହୋଇଛି ଏ ଖବର। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ କୋଭିଡ୍‌‌କୁ ପରାଜିତ କରିଛି ୧୫ ଦିନର ଏକ ଶିଶୁ କନ୍ୟା।

କଳାହାଣ୍ଡି ଜିଲ୍ଲା ଏମ୍‌ ରାମପୁରର ଅଙ୍କିତ ଅଗ୍ରଓ୍ବାଲ ଓ ପ୍ରୀତି ଅଗ୍ରଓ୍ବାଲଙ୍କ କୋଳକୁ ଗତମାସରେ ଏକ ଶିଶୁକନ୍ୟା ଆସିଥିଲା। ଏହି ଦମ୍ପତିଙ୍କ ସମେତ ଘରର ଏକାଧିକ ସଦସ୍ୟ କୋଭିଡ୍‌ ପଜିଟିଭ୍‌ ଜଣାପଡ଼ିବା ପରେ ନବଜାତ କନ୍ୟାର କୋଭିଡ୍‌ ପରୀକ୍ଷା କରାଯାଇଥିଲା। ମାତ୍ର ୧୫ ଦିନର ହୋଇତିବା କନ୍ୟାସନ୍ତାନଟି କୋଭିଡ୍‌ ପଜିଟିଭ୍‌ ବୋଲି ଜଣାପଡ଼ିବା ପରେ ତୁରନ୍ତ ତାକୁ ଭୁବନେଶ୍ବରର ଜଗନ୍ନାଥ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।

ହସ୍ପିଟାଲରେ ଶିଶୁଟିର ଶ୍ବାସ ସମସ୍ୟା ଦଦେଖାଦେବାରୁ ତାକୁ ତୁରନ୍ତ ଭେଣ୍ଟିଲେଟରରେ ରଖାଯାଇଥିଲା। ନବଜାତ କନ୍ୟାର ବାପା ଓ ଜେଜେ ବାପା କୋଭିଡ୍‌ ଆକ୍ରାନ୍ତ ହୋଇ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମା’ ଘରେ ସଂଗରୋଧରେ ରହିଥିଲେ। ଏଣେ ଝିଅଟି ଜଗନ୍ନାଥ ହସ୍ପିଟାଲରେ ଭେଣ୍ଟିଲେଟର ଭିତରେ ଝିଅଟି ଜୀବନ ସହ ସଂଘର୍ଷ କରୁଥିଲା।

ନବଜାତ ଶିଶୁ ବିଶେଷଜ୍ଞ ଡାକ୍ତର ଅରିଜିତ ମହାପାତ୍ରଙ୍କ ତତ୍ବାବଧାନରେ ୧୦ ଦିନ ଭେଣ୍ଟିଲେଟରରେ ରହି ଚିକିତ୍ସିତ ହେବା ପରେ କୋଭିଡ୍‌ ମୁକ୍ତ ହୋଇଛି ନବଜାତ ଶିଶୁ। କରୋନା ଔଷଧ ରେମଡେସଭିର ସମେତ ନବଜାତ ଶିଶୁ ପାଇଁ ଯାହା ପ୍ରଯୁଜ୍ୟ ସମସ୍ତ ପ୍ରକାର ଔଷଧ ଦିଆଯାଇଥିଲା ବୋଲି ଡାକ୍ତର ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି।

ତେବେ ଶିଶୁ କନ୍ୟା ସୁସ୍ଥ ହୋଇଥିଲେ ବି ତାହା ଘରେ ଆନନ୍ଦ ଆଣିନାହିଁ। କାରଣ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାର ବାପା ଅଙ୍କିତ ଅଗ୍ରଓ୍ବାଲ ପ୍ରାଣ ହରାଇଛନ୍ତି।

Leave A Reply

Your email address will not be published.