ଚୀନରେ ବ୍ୟାପୁଛି ନିମୋନିଆ; ଓଡ଼ିଶାରେ ବଢ଼ିବ କୋଭିଡ୍ ପରୀକ୍ଷା
ଓଏଲ୍ ବ୍ୟୁରୋ: ବିଗତ କିଛି ଦିନ ହେବ ଭାରତର ପଡ଼ୋଶୀ ରାଷ୍ଟ୍ର ଚୀନରେ ନିମୋନିଆ ଆତଙ୍କ ବ୍ୟାପିବାରେ ଲାଗିଛି। ବିଶେଷକରି ପିଲାମାନେ ନିମୋନିଆ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏପରିକି କିଛି ଶିଶୁଙ୍କ ମୃତ୍ୟୁ ନିମୋନିଆ ଯୋଗୁଁ ହେଉଛି। ଏହାକୁ ନଜରରେ ରଖି ଗତ ସପ୍ତାହରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ଚିନ୍ତା ବ୍ୟକ୍ତ କରିଥିଲା ଏବଂ ଚୀନ ଠାରୁ ଅଧିକ ସୂଚନା ପାଇବା ଲାଗି ଅନୁରୋଧ କରିଥିଲା। ଅନ୍ୟପଟେ ଭାରତ ସରକାର ଏହାକୁ ନେଇ ସତର୍କ ହୋଇଛନ୍ତି।
ଚୀନରେ ନିମୋନିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାକୁ ନଜରରେ ରଖି ଭାରତ ସରକାର ସତର୍କ ହୋଇଛନ୍ତି।ଏ ନେଇ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ସଚେତନ କରାଇଛନ୍ତି। ଶ୍ବାସପ୍ରଶ୍ବାସ ସଂକ୍ରାନ୍ତ ରୋଗକୁ ପ୍ରତିହତ କରିବା ବିରୋଧରେ କି ପ୍ରକାର ଭିତ୍ତିଭୂମି ରହିଛି ତାହାର ପ୍ରସ୍ତୁତି ସମୀକ୍ଷା କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି।
ରବିବାର କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଏକ ଚିଠି କରିଛନ୍ତି। ସେଥିରେ ଉଲ୍ଲେଖ ରହିଛି ଯେ ତୁରନ୍ତ ଜନସ୍ବାସ୍ଥ୍ୟ ଏବଂ ଡାକ୍ତରଖାନା ପ୍ରସ୍ତୁତିର ସମୀକ୍ଷା କରାଯାଉ। ଡାକ୍ତରଖାନାରେ ଶଯ୍ୟା, ଇନଫ୍ଳୁଏଞ୍ଜା ପାଇଁ ଔଷଧ ଓ ଟିକା, ମେଡିକାଲ ଅକ୍ସିଜେନ, ଆଣ୍ଟିବାୟୋଟିକ, ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ, ଟେଷ୍ଟିଂ କିଟ୍ ଏବଂ ରିଏଜେଣ୍ଟ୍ସ, ଅକ୍ସିଜେନ୍ ପ୍ଲାଣ୍ଟ୍ ଏବଂ ଭେଣ୍ଟିଲେଟରର କାର୍ଯ୍ୟକାରିତା ଏବଂ ସଂକ୍ରମଣ ନିୟନ୍ତ୍ରଣ ଅଭ୍ୟାସ ଆଦିର ଅନୁଧ୍ୟାନ କରିବା ଲାଗି ଏଥିରେ କୁହାଯାଇଛି।
ସେହିପରି ସିଭିଅର ଆକ୍ୟୁଟ ରେସପେରୋଟୋରି ସିଣ୍ଡ୍ରୋମ (ଏସ୍ଏଆର୍ଆଇ)ରେ ପୀଡ଼ିତ ରୋଗୀ, ବିଶେଷକରି ଶିଶୁ ଏବଂ କିଶୋରମାନଙ୍କ ନାକ ଏବଂ ଗଳାର ସ୍ବାବ୍ ସଂଗ୍ରହ କରି ଏହାକୁ ଭୂତାଣୁ ଗବେଷଣା ଓ ନିଦାନ ପରୀକ୍ଷାଗାରକୁ ପଠାଇବା ଲାଗି ରାଜ୍ୟ ସରକାରମାନଙ୍କୁ କୁହାଯାଇଛି। ଅନ୍ୟପକ୍ଷରେ ଚୀନରେ ଶ୍ବାସପ୍ରଶ୍ବାସଜନିତ ରୋଗ ଅଧିକ ମାତ୍ରାରେ ବ୍ୟାପୁଥିବାରୁ ସେ ଦେଶର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ଜ୍ବର କ୍ଲିନିକ୍ ବୃଦ୍ଧି କରିବା ଲାଗି ପରାମର୍ଶ ଦେଇଛି।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ପ୍ରସ୍ତୁତିର ସମୀକ୍ଷା କରିବା ଲାଗି କୁହାଯାଇଛି। କେନ୍ଦ୍ର ସରକାର ମଧ୍ୟ ଏହା ଉପରେ ନଜର ରଖିଛନ୍ତି। ଏହାକୁ ନେଇ ଭୟ କରିବାର କୌଣସି କାରଣ ନାହିଁ ବୋଲି କହିଛନ୍ତି। କୋଭିଡ-୧୯ ପରିପ୍ରେକ୍ଷୀରେ ସଂଶୋଧିତ ନିରୀକ୍ଷଣ ରଣନୀତି ପାଇଁ ପରିଚାଳନା ମାର୍ଗଦର୍ଶିକା କାର୍ଯ୍ୟକାରିତା ସଂପର୍କରେ ଏଥିରେ କୁହାଯାଇଛି। ଉଭୟ ରାଜ୍ୟ ଏବଂ ଜିଲ୍ଲାସ୍ତରରେ ସ୍ବାସ୍ଥ୍ୟସେବା ଭିତ୍ତିଭୂମିକୁ ମଜଭୁତ କରିବା ଲାଗି ଏଥିରେ ଲକ୍ଷ୍ୟ ରଖାଯାଇଛି।