ସୁଗମ ଅକ୍ସିଜେନ୍ ଯୋଗାଣ ପାଇଁ ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡ୍ (ଓଏସ୍ଏଲ୍) ପକ୍ଷରୁ ଲଜିଷ୍ଟିକ୍ସ ସହାୟତା
ଭୁବନେଶ୍ୱର: ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡ୍ (ଓଏସ୍ଏଲ୍) ନିଜର ଅଭିଜ୍ଞ କର୍ମଚାରୀଙ୍କ ସହଯୋଗରେ ପାରାଦୀପ ପୋର୍ଟ ଟ୍ରଷ୍ଟ ଜରିଆରେ ସିଙ୍ଗାପୁରର ଏମ୍ଭି ଆନ୍ନା ମାରିଆ ଦ୍ୱାରା ୪୦ ଲିଟର ଧାରଣ କ୍ଷମତାଯୁକ୍ତ ୨୪ଟି ମେଡିକାଲ୍ ଅକ୍ସିଜେନ୍ ସିଲିଣ୍ଡର, ୫ଟି ମେଡିକାଲ ଅକ୍ସିଜେନ୍ ସିଲିଣ୍ଡର ଏବଂ ଅକ୍ସିଜେନ୍ ରେଗୁଲେଟର- ହ୍ୟୁମିଡିଫାୟର ଆଣି ଅନ୍ଲୋଡିଂ ପାଇଁ ଆବଶ୍ୟକ ସମ୍ପୂର୍ଣ୍ଣ ଲଜିଷ୍ଟିକ୍ ସହାୟତା ପ୍ରଦାନ କରିଛି।
ଅନ୍ଲୋଡିଂ, ତ୍ୱରିତ କ୍ଲିୟରାନ୍ସ ନିମନ୍ତେ କଷ୍ଟମ୍ସ ସହ ସମନ୍ୱୟ ରକ୍ଷା, ପୋର୍ଟ କ୍ଲିୟରାନ୍ସ ଏବଂ ରାଜ୍ୟ ସରକାରଙ୍କ ତରଫରୁ ବନ୍ଦରରୁ ବିନା କୌଣସି ଦେୟରେ ତ୍ୱରିତ ସ୍ଥାନାନ୍ତର ଆଦି କାର୍ଯ୍ୟ ଓଏସ୍ଏଲ୍ ଗ୍ରୁପ୍ ସମ୍ପାଦନ କରିଥିଲା। ଜଗତସିଂହପୁରର ଏଡିଏମ୍ ଡକ୍ଟର କାହ୍ନୁଚରଣ ଧୀର ରାଜ୍ୟ ସରକାରଙ୍କ ତରଫରୁ ସିଲିଣ୍ଡରଗୁଡ଼ିକୁ ଗ୍ରହଣ କରିଥିଲେ। ପରେ ଅକ୍ସିଜେନ୍ ସିଲିଣ୍ଡରଗୁଡ଼ିକ ଜଗତସିଂହପୁରରେ ରାଜ୍ୟସରକାରଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ଚିକିତ୍ସାଳୟମଧ୍ୟରେ ବଣ୍ଟନ କରାଯାଇଥିଲା।
ମାନବୀୟ ସାମାଜିକ କାରଣକୁ ସମର୍ଥନ ଦେଇ ଓଏସ୍ଏଲ୍ ଗ୍ରୁପ୍ ଅଧ୍ୟକ୍ଷ ଶ୍ରୀ ମହିମାନନ୍ଦ ମିଶ୍ର କହନ୍ତି, କୋଭିଡ-୧୯ର ଦ୍ୱିତୀୟ ଲହର ପାଇଁ ଆମେ ଏକ ଆପାତ କାଳୀନ ସ୍ଥିତିର ସମ୍ମୁଖିନ ହୋଇଛୁ। ଓଏସ୍ଏଲ୍ ଗ୍ରୁପ୍ ରାଜ୍ୟ ଏବଂ ଜନସାଧାରଣଙ୍କ ହିତ ପ୍ରତି ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ଆମେ ସରକାରଙ୍କୁ ଏହି ମହାମାରୀ କାଳରେ ସହାୟତା ପ୍ରଦାନ କରି ଗର୍ବ ଅନୁଭବ କରୁଛୁ। ଓଏସ୍ଏଲ୍ ଗ୍ରୁପ୍ର ନିର୍ଦେଶକ ଶ୍ରୀ ଚର୍ଚ୍ଚିତ ମିଶ୍ର କର୍ମଚାରୀମାନଙ୍କୁ ଅକ୍ସିଜେନ୍ ସିଲିଣ୍ଡରଗୁଡ଼ିକର ସୁଗମ ଅନ୍ଲୋଡିଂ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି।
କୋଭିଡ୍-୧୯ ମହାମାରିକୁ ପ୍ରତିହତ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମାସ୍କ ପିନ୍ଧିବା ପାଇଁ ଜନସାଧାରଣଙ୍କୁ ଆହ୍ୱାନ ପରେ ନିଜ ଅସ୍ତିତ୍ୱର ବିଗତ ତିନି ଦଶନ୍ଧି ମଧ୍ୟରେ ସାମାଜିକ କାରଣ ପ୍ରତି ସହାୟତା ପ୍ରଦାନ କରି ଆସିଥିବା ଓଏସ୍ଏଲ୍ ଓଡ଼ିଶାରେ ତୁରନ୍ତ ବ୍ୟାପକ ମାସ୍କ ଆବଣ୍ଟନ କାର୍ଯ୍ୟ ଆରମ୍ଭ କରିଥିଲା। ମହାମାରୀ ସମୟରେ ମାସ୍କ ବ୍ୟବହାର ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଓଏସ୍ଏଲ୍ ଗ୍ରୁପ୍ ଏକଲକ୍ଷ ମାସ୍କ ସାଧାରଣ ଜନତାଙ୍କୁ ଆବଣ୍ଟନ କରିଥିଲା।
ମହାମାରୀରେ ଆବଶ୍ୟକ ସହାୟତା ସହ ଅଗ୍ରଣୀ ଭୂମିକା ପାଇଁ ଜିଲ୍ଲା ପ୍ରଶାସନ ଓଏସ୍ଏଲ୍ ଗ୍ରୁପ୍ର ପ୍ରଶଂସା କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଓଏସ୍ଏଲ୍ ଗ୍ରୁପ୍ ଆବଶ୍ୟକ ସତର୍କତା ଗ୍ରହଣ କରିବା ସହ କୋଭିଡ-୧୯ ନିର୍ଦେଶାବଳୀକୁ ନିଜ କାର୍ଯ୍ୟାଳୟ ପରିସରରେ ଦୃଢ଼ ଅନୁପାଳନ କରିଛନ୍ତି। ସମଗ୍ର ଓଏସ୍ଏଲ୍ ମୁଖ୍ୟାଳୟ ଏବଂ ଶାଖା କାର୍ଯ୍ୟାଳୟଗୁଡ଼ିକ ନିୟମିତ ସାନିଟାଇଜ୍ କରାଯାଇଛି। ଉଭୟ କାର୍ଯ୍ୟାଳୟ କର୍ମଚାରୀ ଏବଂ ଶ୍ରମିକମାନଙ୍କ ପାଇଁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି।