Odisha Link
Bridging the Missing Links in Odisha

ଅକ୍ସିଜେନ୍ ବିତରଣ ପାଇଁ ଟାସ୍କଫୋର୍ସ ଗଠନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ବହୁଳ ପରିମାଣରେ ଅକ୍ସିଜେନ ସଙ୍କଟ ମାମାଲା ସାମ୍ନାକୁ ଆସୁଛି। ଅକ୍ସିଜେନ ଅଭାବରୁ ବହୁ ଲୋକଙ୍କ ମୃତ୍ୟୁ ମଧ୍ୟ ଘଟୁଛି। ଫଳରେ ଏହି ସଙ୍କଟକୁ ଦୂର କରିବା ପାଇଁ ବାରମ୍ବାର କେନ୍ଦ୍ରକୁ ତାଗିଦ କରୁଥିବା ସୁପ୍ରିମକୋର୍ଟ ବଡ଼ ପଦକ୍ଷେପ ନେଇଛନ୍ତି। ସାରା ଦେଶରେ ଅକ୍ସିଜେନ ଯୋଗାଣ, ଆବଶ୍ୟକ ଓ ଆକଳନ ଉପରେ ନଜର ରଖିବା ପାଇଁ ସୁପ୍ରିମକୋର୍ଟ ଜାତୀୟ ଟାସ୍କଫୋର୍ସ ଗଠନ କରିଛନ୍ତି।

ସୁପ୍ରିମକୋର୍ଟ ଜାତୀୟ ଟାସ୍କଫୋର୍ସ ଗଠନ କରିଛନ୍ତି। ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ବସିଥିବା ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଛନ୍ତି। ଏହି ଟାସ୍କଫୋର୍ସରେ ୧୨ ଜଣ ସଦସ୍ୟ ରହିବେ। ଏହି ସଦସ୍ୟମାନେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଉପରେ ନଜର ରଖିବେ। କେବଳ ଅକ୍ସିଜେନ ବଣ୍ଟନ ନୁହେଁ, ଜରୁରୀ ଔଷଧ ବିତରଣ ଉପରେ ମଧ୍ୟ ଏମାନଙ୍କର ନଜର ରଖିବେ।

ମହାମାରୀ କରୋନା ବେଳେ ସୃଷ୍ଟି ହେଉଥିବା ସମସ୍ୟାର ସମାଧାନ କରିବା ପାଇଁ ମଧ୍ୟ ଏହି ଟାସ୍କଫୋର୍ସ ପ୍ରସ୍ତାବ ଦେଇପାରିବ। ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଠାରୁ ସଦସ୍ୟମାନେ ଇନପୁଟ୍‌ ହାସଲ କରିବେ ଓ ମହାମାରୀକୁ ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ଅବଗତ କରାଇ ପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଏହି ଟାସ୍କଫୋର୍ସର ନେତୃତ୍ୱ ପଶ୍ଚମବଙ୍ଗ ବିଶ୍ୱବିଦ୍ୟାଳୟର ହେଲଥ ସାଇନ୍ସର ପୂର୍ବତନ କୁଳପତି ଡା ଭବତୋଷ ବିଶ୍ୱାସ ନେବେ। ତାଙ୍କ ବ୍ୟତୀତ ଟାସ୍କଫୋର୍ସରେ ମେଦାନ୍ତ ହସ୍ପିଟାଲର ମୁଖ୍ୟ ଡା ନରେଶ ତେହେରାନ, ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲର ଅଧ୍ୟକ୍ଷ ଡା ଦେବେନ୍ଦ୍ର ସିଂହ ରାଣା, ଭେଲୋର ସ୍ଥିତ ଖ୍ରୀଷ୍ଟିଆନ ମେଡିକାଲର କଲେଜର ପ୍ରଫେସର ଡା ଗଗନଦୀପ କଙ୍ଗ ଓ ନିର୍ଦ୍ଦେଶକ ଜେଭି ପିଟର, ବେଙ୍ଗାଲୁରୁର ସ୍ଥିତ ନାରାୟଣ ହେଲଥ କେୟାରର ଅଧ୍ୟକ୍ଷ ଡା ଦେବୀ ପ୍ରସାଦ ସେଟ୍ଟୀ, ମୁମ୍ବାଇର ଫୋରଟିସ ହସ୍ପିଟାଲର ଆଇସିୟୁ ନିର୍ଦ୍ଦେଶକ ଡା ରାହୁଲ ପଣ୍ଡିତ ପ୍ରମୁଖ ରହିଛନ୍ତି।

ନ୍ୟାଶନାଲ ଟାସ୍କଫୋର୍ସର ଆବାହକ ଭାବେ ଭାରତର ସରକାରଙ୍କ କ୍ୟାବିନେଟ୍‌ ସଚିବ କାର୍ଯ୍ୟ କରିବେ। ଦରକାର ପଡ଼ିଲେ କ୍ୟାବିନେଟ୍‌ ସଚିବ ଜଣେ ଅଧିକାରୀଙ୍କୁ ତାଙ୍କ ବଦଳରେ ନିଯୁକ୍ତ କରିପାରିବେ। କିନ୍ତୁ ଉକ୍ତ ଅଧିକାରୀଙ୍କ ପାହ୍ୟା ଆଡିସନାଲ ସଚିବ ତଳକୁ ହୋଇ ନଥିବ ବୋଲି କୋର୍ଟ କହିଛନ୍ତି।

Leave A Reply

Your email address will not be published.