Odisha Link
Bridging the Missing Links in Odisha

କର୍ତ୍ତବ୍ୟକୁ ପ୍ରାଥମିକତା: ମା’ଙ୍କ ମୃତ୍ୟୁ ଖବର ଶୁଣି ମଧ୍ୟ ପ୍ରଥମେ ଦାୟିତ୍ୱ ସମ୍ପାଦନ କଲେ ଆମ୍ୱୁଲାନ୍ସ ଡ୍ରାଇଭର

ମଥୁରା: କଥାରେ ଅଛି କର୍ତ୍ତବ୍ୟ ହିଁ ଭଗବାନ। ନିଜର କର୍ତ୍ତବ୍ୟକୁ ପ୍ରାଥମିକତା ଦେଇ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ମଥୁରାର ଜଣେ ଆମ୍ବୁଲାନ୍ସ ଡ୍ରାଇଭର। ନିଜ ମା’ଙ୍କ ମୃତ୍ୟୁ ଖବର ପାଇବା ପରେ ମଧ୍ୟ ସେ ବିଚଳିତ ନ ହୋଇ କର୍ତ୍ତବ୍ୟରୁ ନ ଓହରି ପ୍ରଥମେ ନିଜ ଦାୟିତ୍ୱ ସମ୍ପାଦନ କରିଛନ୍ତି।

ସୂଚନା ମୁତାବକ, ପ୍ରଭାତ ଯାଦବ ନାମକ ଜଣେ ୩୩ ବର୍ଷୀୟ ଆମ୍ବୁଲାନ୍ସ ଡ୍ରାଇଭର ଡ୍ୟୁଟିରେ ଥିବା ବେଳେ ଘରୁ ଫୋନ୍‌ ଆସିଥିଲା। ଏବଂ ତାଙ୍କ ମାଆଙ୍କ ମୃତ୍ୟୁ ହୋଇଥିବା ନେଇ ସେ ଜାଣିବାକୁ ପାଇଲେ। ଖବର ପାଇ ମଧ୍ୟ ସେ, ଦୁଃଖରେ ଭାଙ୍ଗି ନ ପଡି ଦାୟିତ୍ୱରୁ ଓହରି ନଥିଲେ। ଏପରିକି ୧୫ ଜଣ ଆକ୍ରାନ୍ତଙ୍କୁ ହସ୍ପିଟାଲରେ ପହଁଚାଇଥିଲେ। ଡ୍ୟୁଟି ସରିବା ପରେ ୨୦୦ କିମି ଦୂରରେ ଥିବା ନିଜ ଘରକୁ ଯାଇଥିଲେ। ମାଆଙ୍କ ଶେଷକୃତ୍ୟ ପରେ ସେ ତୁରନ୍ତ ପରଦିନ ଡ୍ୟୁଟିକୁ ଫେରି କାର୍ଯ୍ୟରେ ଯୋଗ ଦେଇଥିଲେ।

ଏହି ଘଟଣାକୁ ନେଇ ପ୍ରଭାତ କହିଛନ୍ତି, ମାଆଙ୍କ ଦେହାନ୍ତ ଖବର ଶୁଣିବା ପରେ ସେ ଥରିବାକୁ ଲାଗିଥିଲେ। ପରେ ନିଜକୁ ବୁଝାଇଥିଲେ ସେ ଯେଉଁ କାମ କରୁଛନ୍ତି ତାକୁ ଛାଡି ଘରକୁ ଯିବାକୁ ଠିକ୍ ନୁହଁ।

ସୂଚନାଯୋଗ୍ୟ, ପ୍ରଭାତ ଦୀର୍ଘ ୯ ବର୍ଷ ଧରି ୧୦୮ ଆମ୍ବୁଲାନ୍ସ ଚଲାଉଛନ୍ତି। ଏହି ଘଟଣାକୁ ନେଇ ମଥୁରା ପ୍ରୋଜେକ୍ଟ ମ୍ୟାନେଜର ଅଜୟ ସିଂ କହିଛନ୍ତି ଯେ, ପ୍ରଭାତ ଜଣେ ଭଲ କର୍ମଚାରୀ। ସେ ସୂଚରା ରୂପେ ନିଜର କର୍ମ ସମ୍ପାଦନ କରନ୍ତି। ସେ ତାଙ୍କୁ ମାଆଙ୍କ ଅନ୍ତିମକ୍ରିୟା ପରେ କିଛି ଦିନ ଘରେ ରହିବାକୁ କହିଥିଲେ । କିନ୍ତୁ ସେ ଡ୍ୟୁଟିରେ ଯୋଗ ଦେଇ ଲୋକଙ୍କୁ ସାହାଯ୍ୟ କରିବାକୁ ଚାହିଁଥିଲେ ବୋଲି ଅଜୟ କହିଛନ୍ତି।

Leave A Reply

Your email address will not be published.