Odisha Link
Bridging the Missing Links in Odisha

ଆଖି ବୁଜିଲେ ବିଶିଷ୍ଠ ଫୁଟବଲ୍‌ କୋଚ୍‌ ନନ୍ଦକିଶୋର ପଟ୍ଟନାୟକ, କରୋନାରେ ଥିଲେ ଆକ୍ରାନ୍ତ

ଭୁବନେଶ୍ବର: ଓଡ଼ିଶା କୀଡ଼ା ଜଗତ ପାଇଁ ଦୁଃଖଦ ଖବର। ଆଉ ନାହାନ୍ତି ଓଡ଼ିଶା ଫୁଟବଲ ଜଗତର ଜଣାଶୁଣା କୋଚ୍‌ ନନ୍ଦକିଶୋର ପଟ୍ଟନାୟକ। ମହିଳା ଫୁଟବଲ୍‌ କୋଚ୍‌ ଶ୍ରୀ ପଟ୍ଟନାୟକଙ୍କର କରୋନାରେ ମୃତ୍ୟୁ ହୋଇଛି। ସୋମବାର ରାତି ୩ଟା ସମୟରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି। ଏନେଇ ତାଙ୍କ ସାନ ଭାଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ମେ ମାସରେ ଶ୍ରୀ ପଟ୍ଟନାୟକ କରୋନାରେ ଆକ୍ରାନ୍ତ ହୋଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଫୁଟବଲ ଜଗତରେ ସେ ଟୁଟୁ ସାର୍‌ଙ୍କ ନାମରେ ବେଶ୍‌ ପରିଚିତ ଥିଲେ। ସେ ରାଜ୍ୟରେ ଅନେକ ମହିଳା ଫୁଟବଲର ସୃଷ୍ଟି କରିଛନ୍ତି। ପାଖାପାଖୀ ୩୦ରୁ ଅଧିକ ଖେଳାଳି ତାଙ୍କଠୁ ପ୍ରଶିକ୍ଷଣ ନେଇ ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ବେଶ୍‌ ସଫଳତା ହାସଲ କରିଛନ୍ତି।

ସେ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ରଞ୍ଜିତା ମହାନ୍ତି, ଜୟନ୍ତୀ ବେହେରା, ମମତା ସାମନ୍ତ, ସୁଦୀପ୍ତ ସାହୁ, ମାମାଲି ସାହୁ, ରୁନୁ ନାୟକଙ୍କ ଭଳି ଅନେକ ଜୁନିଅର ଓ ସିନିଅର ସ୍ତରର ଆନ୍ତର୍ଜାତିକ ଖେଳାଳି ସୃଷ୍ଟି କରିଥିଲେ। ସେ ସିଏନଏନ ଆଇବିଏନ୍ ପକ୍ଷରୁ ଦିଆଯାଇଥିବା ରିଅଲ ହିରୋ ପୁରସ୍କାର ଗ୍ରହଣ କରିଥିଲେ। ଭୁବନେଶ୍ଵରରେ ରାଜ୍ୟର ଗରିବ ଓ ପ୍ରତିଭାବାନ୍ ମହିଳା ଫୁଟବଲ୍ ଖେଳାଳିଙ୍କୁ ମାଗଣାରେ ଖାଇବା ପିଇବା ଓ ଉପକରଣ ଦେଇ ନୀତା ଅମ୍ବାନି ଫୁଟବଲ୍ ଏକାଡେମୀ ଚଳାଇ ଆସୁଥିଲେ। ତାଙ୍କର ବିୟୋଗରେ କ୍ରୀଡା ଜଗତରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.