Odisha Link
Bridging the Missing Links in Odisha

ମୃତ ଅଧିକାରୀଙ୍କୁ ବଦଳି ନିର୍ଦ୍ଦେଶ ଦେଲେ ଓଡ଼ିଶା ସରକାର

କଟକ: ମୃତ ପୁଲିସ ଅଧିକାରୀଙ୍କୁ ବଦଳି ନିର୍ଦ୍ଦେଶ। ରାଜ୍ୟ ପୁଲିସ ବାହିନୀରେ ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିବା କଥା ସାମ୍ନାକୁ ଆସିଛି। ପୁଲିସ ମୁଖ୍ୟାଳୟ ପକ୍ଷରୁ ଆଜି ଜାରି ହୋଇଥିବା ସଶସ୍ତ୍ର ବାହିନୀର ବଦଳି ତାଲିକାରେ ଗତବର୍ଷ ମୃତ୍ୟୁ ବରଣ କରିଥିବା ମୃତ ସୁବେଦାରଙ୍କ ନାଁ ରହିଛି।

ସ୍ୱର୍ଗତ ନାୟକଙ୍କୁ କୋରାପୁଟସ୍ଥିତ ସପ୍ତମ ସ୍ପେସାଲ୍‌ ଇଣ୍ଡିଆନ୍‌ ରିଜର୍ଭ ବାଟାଲିୟନ୍‌ (ଆଇଆରବି)ରୁ ପଞ୍ଚମ ବାଟାଲିୟନ୍‌ ବାରିପଦାକୁ ବଦଳି କରାଯାଇଛି। ଉକ୍ତ ବଦଳି ତାଲିକାକୁ ନେଇ ପୁଲିସ୍‌ ମୁଖ୍ୟାଳୟ ସମେତ ରାଜ୍ୟ ପୁଲିସ୍‌ ବାହିନୀରେ ହଇଚଇ ଖେଳିଛି। ରାଜ୍ୟ ପୁଲିସ ବାହିନୀର ବଦଳି ପ୍ରକ୍ରିୟାରେ ଯେ କିଭଳି ଖାମଖିଆଲ୍‌ ନୀତି ଅନୁସରଣ କରାଯାଉଛି ତାର ପ୍ରମାଣ ମିଳିଛି।

ସ୍ୱର୍ଗତ ନାୟକ ଗତବର୍ଷ ମୃତ୍ୟୁବରଣ କରିଥିଲେ। ମୃତ୍ୟୁ ପରେ ତାଙ୍କୁ ଗାର୍ଡ ଅଫ୍‌ ଅନର୍‌ ଦିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥଲା। ଏମିତିକି ସହିଦ୍‌ ସ୍ମୃତି ଦିବସରେ ପୁଲିସ୍‌ ମୁଖ୍ୟାଳୟରେ ଡିଜିଙ୍କ ସମେତ ଅନ୍ୟ ବରିଷ୍ଠ ଆଇପିଏସ୍‌ ଅଫିସରମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଏହା ପରେ ମୃତ ସୁବେଦାର କାମପାଳଙ୍କ ନାଁ କିପରି ପୁଲିସ ବଦଳି ତାଲିକାରେ ରହିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅନ୍ୟପକ୍ଷରେ ଜଣେ ମୃତ ଅଧିକାରୀଙ୍କ ନାଁ କିପରି ପୁଲିସ ଏଷ୍ଟାବ୍ଲିସ୍‌ମେଣ୍ଟ ବୋର୍ଡ(ପିଇବି)କୁ ବଦଳି ପାଇଁ ସୁପାରିସ କରାଗଲା ଏବଂ କିପରି କର୍ମଚାରୀଙ୍କ ବାବଦରେ କୌଣସି ତଥ୍ୟ ସଂଗ୍ରହ କରାନଯାଇ ବଦଳି ତାଲିକାରେ ମୋହର ମରାଗଲା ସେନେଇ ମଧ୍ୟ ପ୍ରଶ୍ନ ଉଠିଛି।

Leave A Reply

Your email address will not be published.