Odisha Link
Bridging the Missing Links in Odisha

୧୦ରୁ ୧୪ ପ୍ରବଳ ବର୍ଷିବ, ସତର୍କ କରାଇଲେ ଏସ୍‌ଆର୍‌ସି

ଭୁବନେଶ୍ବର: ବାତ୍ୟା ୟାସ୍‌ କରିଥିବା କ୍ଷତ ଶୁଖି ନଥିବା ବେଳେ ଏବେ ରାଜ୍ୟରେ ହେବ ପ୍ରବଳ ବର୍ଷା। ଆସୁଛି ପ୍ରବଳ ବର୍ଷା। ରାଜ୍ୟରେ ଚାରି ଦିନ ଧରି ଛେଚିବ। ଏମିତି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ମୌସୁମିର ଆଗମନ ସହ ଲଘୁଚାପ ଯୋଗୁଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ରାଜ୍ୟରେ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ପୂର୍ବାନୁମାନ କରାଯାଇଛି। ଯାହାକୁ ନଜରରେ ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା ସତର୍କ କରାଇଛନ୍ତି। ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ‌ କମିଶନରଙ୍କୁ ଏସଆରସି ଚିଠି କରିଛନ୍ତି।

ଏସଆରସି ପ୍ରେସ୍‌ ବିଜ୍ଞପ୍ତି କହିବା ଅନୁସାରେ ରାଜ୍ୟରେ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ। ଏନେଇ ଆଇଏମଡି ପୂର୍ବାନୁମାନ କରିଛି। ସାରା ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ବର୍ଷା ଯୋଗୁ କେତେକ ଜାଗାରେ ଭୂସ୍ଖଳନ ହେବାର ସମ୍ଭାବନା ରହିଛି। ତେଣୁ ସେହି ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରଣ କରିବାକୁ କୁହାଯାଇଛି। ଲୋକଙ୍କୁ ସ୍ଥାନାନ୍ତରଣ ପାଇଁ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ ଏସ୍‌ଆସି ନିର୍ଦ୍ଦେଶ ଦେଇଛନ୍ତି।

ପାଣି ଜମିବା ସହ ବିଭିନ୍ନ ନଦୀରେ ବନ୍ୟା ସମ୍ଭାବନା ରହିଛି। ତେଣୁ ବିପଜ୍ଜନକ ନଦୀ ବନ୍ଧ ପ୍ରତି ନଜର ରଖିବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ଏସ୍‌ଆର୍‌ସି ତାଗିଦ କରିଛନ୍ତି। ଡଙ୍ଗା ଓ ଯନ୍ତ୍ରାଂଶ ସହ ଅଗ୍ନିଶମ ବାହିନୀକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ସହରାଞ୍ଚଳ ଓ ତଳି ଅଞ୍ଚଳରେ ବର୍ଷା ପାଣି ଜମିବା ସମ୍ଭାବନା ରହିଛି। ତେଣୁ ଏହାର ମୁକାବିଲା କରିବା ପାଇଁ ସତର୍କ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍‌ଆର୍‌ସି। ବନ୍ୟା କଥା ବୁଝୁଥିବା ସବୁ ଅଫିସ୍‌ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍‌ କରିବେ। ଏହି ସମୟ ଭିତରେ ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦେଇଛନ୍ତି ଏସ୍‌ଆର୍‌ସି।

Leave A Reply

Your email address will not be published.