Odisha Link
Bridging the Missing Links in Odisha

ଚାଲିଗଲେ ପଦ୍ମଶ୍ରୀ ପ୍ରଫେସର୍‌ ରାଧାମୋହନ

ଏକ ଧାରାରେ ଜଣେ ପ୍ରାଧ୍ୟାପକ, ଗାନ୍ଧିବାଦୀ, ସମାଜସେବୀ, ପରିବେଶବିତ, ଜୈବିକ କୃଷକ ଓ ରାଜ୍ୟରେ ନାଗରିକ ସମାଜ ଆନ୍ଦୋଳନର ଅନ୍ୟତମ ପୁରୋଧା ପ୍ରଫେସର ରାଧାମୋହନର ନିମୋନିଆ କାରଣରୁ ମୃତ୍ୟୁ ହୋଇଥିବା ହସ୍ପିଟାଲ କର୍ତୃପକ୍ଷ ଜଣାଇଛନ୍ତି।

ଭୁବନେଶ୍ବର: ଆଉ ନାହାନ୍ତି ପଦ୍ମଶ୍ରୀ ପ୍ରଫେସର୍‌ ରାଧାମୋହନ। ଦୁଇ ସପ୍ତାହ ଧରି ମୃତ୍ୟୁ ସହ ଲଢ଼େଇ କରିବା ପରେ ସ୍ଥାନୀୟ ଏକ ଘରୋଇ ଚିକିତ୍ସାଳୟରେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା।

ଏକ ଧାରାରେ ଜଣେ ପ୍ରାଧ୍ୟାପକ, ଗାନ୍ଧିବାଦୀ, ସମାଜସେବୀ, ପରିବେଶବିତ, ଜୈବିକ କୃଷକ ଓ ରାଜ୍ୟରେ ନାଗରିକ ସମାଜ ଆନ୍ଦୋଳନର ଅନ୍ୟତମ ପୁରୋଧା ପ୍ରଫେସର ରାଧାମୋହନ ଗତ ମାସରେ କୋଭିଡ୍‌ ଆକ୍ରାନ୍ତ ହେବା ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଥିଲା। ତେବେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ନିମୋନିଆ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ହସ୍ପିଟାଲ କର୍ତୃପକ୍ଷ ଜଣାଇଛନ୍ତି।

ନୟାଗଡ଼ ଜିଲ୍ଲା ରଙ୍ଗଣିପାଟଣାରେ ୧୯୪୩ ମସିହା ଜାନୁଆରୀ ୩୦ ତାରିଖରେ ଜନ୍ମିତ ରାଧାମୋହନ ଓଡ଼ଗାଁରେ ସ୍କୁଲ ଶିକ୍ଷା ସମାପ୍ତ କରି ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ଅର୍ଥନୀତି ସମ୍ମାନ ସହ ସ୍ନାତକ ସାରିଥିଲେ। ୧୯୬୫ ମସିହାରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ଆପ୍ଲାଏଡ୍‌ ଇକନୋମିକ୍ସରେ ସ୍ନାତକତ୍ତୋର ଉତ୍ତୀର୍ଣ୍ଣ ହୋଇଥିଲେ। ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରେ ଅଧ୍ୟାପନା ପରେ ଭାରତ ସରକାରଙ୍କ ଅଧୀନରେ ୩ ବର୍ଷ ଓ ପରେ ରାଜ୍ୟ ସରକାରଙ୍କ ଅଧୀନରେ ବିଜ୍ଞାନ, ସୂଚନା ଓ ପରିବେଶ, ଶିକ୍ଷା ଓ ଯୁବ ସେବ ଏବଂ ଗ୍ରାମ୍ୟ ଉନ୍ନୟନ ଆଦି ବିଭାଗରେ ବିଭିନ୍ନ ପଦବୀରେ ରହି ୨୦୦୧ ମସିହାରେ ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ ଅବସର ଗ୍ରହଣ କରିଥିଲେ।

ନୟାଗଡ଼ରେ ‘ସମ୍ଭବ’ ନାମରେ ଏକ ଅନୁଷ୍ଠାନ ଗଢ଼ି ରାଜ୍ୟ ଓ ରାଜ୍ୟ ବାହାରେ ସୁଖ୍ୟାତି ଅର୍ଜନ କରିଥିଲେ ରାଧାମୋହନ। ତୃଣମୂଳ ସ୍ତରରେ ଉନ୍ନୟନ ଓ ଲିଙ୍ଗଗତ ନ୍ୟାୟ ପ୍ରଦାନ କ୍ଷେତ୍ରରେ କାର୍ଯ୍ୟ କରି ଆସୁଥିବା ଏ ସଙ୍ଗଠନ ‘ଜୈବିକ କୃଷି’ ପାଇଁ ଦେଶ ବିଦେଶରେ ବେଶ୍‌ ପରିଚିତ। ‘ସମ୍ଭବ’ର ସଫଳତା ପାଇଁ ପ୍ରଫେସର ରାଧାମୋହନ ଓ ତାଙ୍କର ଝିଅ ସାବରମତୀଙ୍କୁ ୨୦୨୦ ମସିହାରେ ଭାରତ ସରକାର ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ। ଗତ ତିନି ଦଶନ୍ଧି ଧରି ପିତାପୁତ୍ରୀଙ୍କ ଉଦ୍ୟମରେ ଏହି ସଂଗଠନ କାର୍ଯ୍ୟ କରିଆସୁଛି।

ଅବସର ପରେ ‘ସମ୍ଭବ’ ପାଇଁ ସମୟ ଦେବା ସହ ବିଭିନ୍ନ ସମୟରେ ରାଧାମୋହନ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ, ରାଜ୍ୟ ଜଳଛାୟା ମିଶନ୍‌ର ଉପଦେଷ୍ଟା କମିଟି ସଦସ୍ୟ, ରାଜ୍ୟ ଶିକ୍ଷା ଟାସ୍କଫୋର୍ସର ସଦସ୍ୟ, ରାଜ୍ୟ ବନ୍ୟପ୍ରାଣୀ ପରାମର୍ଶଦାତା କମିଟି ସଦସ୍ୟ, ଏନ୍‌ଏସ୍ଏସ୍‌ ପରାମର୍ଶଦାତା, ଯୁଗ୍ମ ଜଙ୍ଗଲ ପରିଚାଳନା ଷ୍ଟିୟରିଂ କମିଟି ସଦସ୍ୟ, କେନ୍ଦ୍ର ସରକାରଙ୍କ ଏନ୍ଏସ୍ଏସ୍‌ ପରିବେଶ କମିଟି ସଦସ୍ୟ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ, ରାଜ୍ୟ ପ୍ରୌଢ଼ଶିକ୍ଷା ସାଧନ କେନ୍ଦ୍ର ଗଭର୍ଣିଂ ବଡି ସଦସ୍ୟ, ରାଜ୍ୟ ସାଧନ କେନ୍ଦ୍ରର ଉପଦେଷ୍ଟା, ହାଇଦ୍ରାବାଦ ସ୍ଥିତ ସେଣ୍ଟର ଫର ଓ୍ବର୍ଲ୍‌ଡ ସଲିଡାରିଟିର ଉପଦେଷ୍ଟା, ଗୌହାଟୀ ସ୍ଥିତ ରାଷ୍ଟ୍ରୀୟ ଗ୍ରାମୀଣ ବିକାଶ ନିଧିର ଉପଦେଷ୍ଟା ଓ ଅଲ୍‌ ଇଣ୍ଡିଆ ରେଡିଓର କାର୍ଯ୍ୟକ୍ରମ ପରାମର୍ଶଦାତା କମିଟିର ସଦସ୍ୟ ଆଦି ପଦରେ ରହି ଆସିଛନ୍ତି।

ପ୍ରଫେସର ରାଧାମୋହନ ଓଡ଼ିଶା ସୂଚନା ଆୟୁକ୍ତ ଭାବେ ୨୦୦୫ରୁ ୨୦୦୮ ମସିହା ଯାଏଁ କାର୍ଯ୍ୟ କରିଥିଲେ। ସେ ଶେଷପର୍ଯ୍ୟନ୍ତ ରାଜ୍ୟର ସ୍ବେଚ୍ଛାସେବା କ୍ଷେତ୍ର ଓ ଲୋକ ଆନ୍ଦୋଳନ ସହ ଜଡ଼ିଥ ଥିଲେ। ପରିବେଶ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୟୁଏନ୍‌ଡିପି ତାଙ୍କୁ ଗ୍ଲୋବାଲ ରୋଲ୍‌ ଅଫ୍‌ ଅନର୍‌ ପ୍ରଦାନ କରିଥିଲା।

ଜଣେ ପ୍ରଖର ଗାନ୍ଧୀବାଦୀ ପ୍ରଫେସର ରାଧାମୋହନ ସରଳ ଓ ନିରାଡମ୍ବର ଜୀବନ ଅତିବାହିତ କରୁଥିବା ବେଳେ ଅହିଂସା, ଶାକାହାର, ଶାନ୍ତିକୁ ନିଜ ଜୀବନର ସହଚର କରିଥିଲେ। ସମାନଜା, ନ୍ୟାୟ ଓ ସାମାଜିକ ସନ୍ତୁଳନ ପାଇଁ ସେ ନିରନ୍ତର କାର୍ଯ୍ୟ କରି ଆସିଥିଲେ।

ସେ ବେଶ୍‌ କେତୋଟି ପୁସ୍ତକ ମଧ୍ୟ ରଚନା କରିଥିଲେ। ତାଙ୍କର ‘ସଭ୍ୟତାର କାହାଣୀ’ ପୁସ୍ତକରେ ଜୀବନ ଓ ପରିବେଶରର ନିଆରା ଜମାନବନ୍ଦୀ ପରସିଛନ୍ତି ରାଧାମୋହନ। ସେ ଖବରକାଗଜରେ ନିୟମିତ ସ୍ତମ୍ଭ ଲେଖୁଥିଲେ।

ପ୍ରସିଦ୍ଧ ସମାଜସେବୀ ସାବରମତୀଙ୍କ ସମେତ ତାଙ୍କର ୩ ଜଣ ଝିଅ ଅଛନ୍ତି। ରାଧାମୋହନଙ୍କମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶେକପ୍ରକାଶ କରିଛନ୍ତି।

ନିଜର ଆଲୋକ ବଳରେ କେବଳ ନୟାଗଡ଼ ମାଟି ନୁହେଁ, ଓଡ଼ିଶା ଓ ସମଗ୍ର ଦେଶକୁ ଉଦ୍‌ଭାସିତ କରିଥିବା ଏହି ଯୋଗଜନ୍ମାଙ୍କ ଅବର୍ତ୍ତମାନରେ ‘ଓଡ଼ିଶା ଲିଙ୍କ୍’ର ଶ୍ରଦ୍ଧାଞ୍ଜଳି।

Leave A Reply

Your email address will not be published.