Odisha Link
Bridging the Missing Links in Odisha

ଆଜି ପବିତ୍ର ହେରାପଞ୍ଚମୀ, ରଥ ଭାଙ୍ଗିବେ ମା’ ମହାଲକ୍ଷ୍ମୀ

ପୁରୀ: ଆଜି ପବିତ୍ର ହେରାପଞ୍ଚମୀ। ରଥ ଭାଙ୍ଗିବେ ମା’ ମହାଲକ୍ଷ୍ମୀ । ଗୁଣ୍ଡିଚାଘରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ରାଗରେ ଭାଙ୍ଗିବେ ନନ୍ଦିଘୋଷ ରଥ। ଗୁଣ୍ଡିଚା ମନ୍ଦିରକୁ ଧର୍ମପତ୍ନୀଙ୍କୁ ସାଙ୍ଗରେ ନଆଣି ବଡ଼ଭାଇ ଓ ଭଉଣୀଙ୍କୁ ନେଇ ବୁଲି ଆସିଛନ୍ତି ଆସିଛନ୍ତି ମହାପ୍ରଭୁ। ଏଣୁ ପ୍ରଚଣ୍ଡ ରାଗରେ ଲକ୍ଷ୍ମୀ ଠାକୁରାଣୀ ରଥ ଭାଙ୍ଗି ମହାପ୍ରଭୁଙ୍କ ନନ୍ଦିଘୋଷ ଉପରେ ରାଗ ଶୁଝାଇବେ। ପରେ ରାଗରେ ଜର୍ଜରିତ ହୋଇ ହେରାଗୌରୀ ସାହି ଦେଇ ଶ୍ରୀମନ୍ଦିରକୁ ବାହୁଡ଼ି ଯିବେ ଠାକୁରାଣୀ।

ହେରାପଞ୍ଚମୀ ନୀତି ନିର୍ଘଣ୍ଟ:

ପାହାନ୍ତିଆ ୪ଟାରେ ଗୁଣ୍ଡିଚାଘର ଦ୍ୱାର ଫିଟି ଚତୁର୍ଦ୍ଧାମୂର୍ତ୍ତିଙ୍କ ମଙ୍ଗଳ ଆଳତି ୫ଟାରେ ହେବ। ମଇଲମ-ତଡପଲାଗ ନୀତି ସାଢେ ୫ଟା, ଅବକାଶ ୬ଟାରେ ହେବ। ଏହାପରେ ଅନ୍ୟାନ୍ୟ ନୀତି ଓ ବେଶ ବଢ଼ି ଠାକୁରଙ୍କ ସକାଳ ଧୂପ ପୂର୍ବାହ୍ନ ୧୦ଟାରୁ ୧୧ଟା୩୦ ଭିତରେ ହେବ। ୧୨ ଟା୩୦ମିନିଟ୍‌ ସୁଦ୍ଧା ଭୋଗମଣ୍ଡପ ସରି ମଇଲମ, ଯାତ୍ରାଙ୍ଗୀ ମହାସ୍ନାନ, ଘଣ୍ଟଛତା ସର୍ବାଙ୍ଗ , ବେଶ, ମଧ୍ୟାହ୍ନ ଧୂପ, ଦ୍ୱାଦଶ ଯାତ୍ରା ବନ୍ଦାପନା ୫ଟାରେ ଅନୁଷ୍ଠିତ ହୋଇ ୨ୟ ଭୋଗ ମଣ୍ଡପ ଉଠିିବ।

ସନ୍ଧ୍ୟା ସାଢ଼େ ୬ଟାରେ ଶାଢୀଖଣ୍ଡୁଆ ଲାଗି ହୋଇ ସନ୍ଧ୍ୟାଆରତ ବଢିବ। ମହାପ୍ରଭୁଙ୍କ ବାଡରେ ୭ଟାରେ ମହାସ୍ନାନ ହୋଇ ତିନି ବାଡ଼ରେ ଘଣ୍ଟଛତା ସର୍ବାଙ୍ଗ ସାଢେ ୭ଟାରେ ହେବ। ଏହାପରେ ନୂଆଲାଗି ହୋଇ ଠାକୁରେ ୬ମୂର୍ତ୍ତି ଅଳଙ୍କାର ଲାଗି ହେବେ। ସନ୍ଧ୍ୟାଧୂପ ଡାକିଯିବ ସାଢେ ୮ଟାରେ । ସନ୍ଧ୍ୟା ଧୂପ ଛେକ ଡାକି ସନ୍ଧ୍ୟାଧୂପ ପୂଜା ବସିବ । ରାତି ସାଢେ ୯ଟାରେ ମା’ଲକ୍ଷ୍ମୀଠାକୁରାଣୀ ରଥ ନିକଟରେ ପାରମ୍ପରିକ ନୀତି ସାରି ଜଗମୋହନକୁ ବିଜେ କରିବେ।

ରାଜି ୯ଟା ୩୫ରେ ମହାଲକ୍ଷ୍ମୀଙ୍କୁ ଆଜ୍ଞାମାଳ ଲାଗି ହୋଇ ହେରାପଞ୍ଚମୀ ନୀତି ସମ୍ପନ୍ନ ହେବ। ସନ୍ଧ୍ୟାଧୂପ ଉଠି ମଇଲମ, ଚନ୍ଦନଲାଗି, ବଡସିଂହାର ବେଶ ଓ ବଡସିଂହାର ଭୋଗ ହୋଇ ଠାକୁରଙ୍କ ରାତ୍ର ପହୁଡ ୧ଟା ସୁଦ୍ଧା ଅନୁଷ୍ଠିତ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ନୀତି ନିର୍ଘଣ୍ଟ କରିଛି।

Leave A Reply

Your email address will not be published.