Odisha Link
Bridging the Missing Links in Odisha

ଦୁଇ ସଭାପତି, ଦୁଇ ସ୍ଥାନରେ ସମ୍ବର୍ଧନା ସଭା

ରାଜ୍ୟରେ ସାମ୍ବାଦିକଙ୍କ ପ୍ରତି ଆକ୍ରମଣ ବଢ଼ୁଥବା ବେଳେ ସୁରକ୍ଷା ପାଇଁ ସାମ୍ବାଦିକ ଏକତାକୁ ଗୁରୁତ୍ବ ଦିଆଯାଉଛି। ଏଭଳି ସମୟରେ ଗୋଟିଏ ପୁରୁଣା ସାମ୍ବାଦିକ ସଂଘ ,ଭଳି ଦୁଇଫାଳ ହୋଇ ପରସ୍ପରକୁ ଟକ୍କର ଦେବା ସାମ୍ବାଦିକ ଏକତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ନୟାଗଡ଼: ସାମ୍ବାଦିକ ସଂଘ ଗୋଟିଏ। କିନ୍ତୁ ସଂଘର ସଭାପତି ଭାବେ ଦୁଇ ଜଣ ଅଛନ୍ତି। ଜଣେ ସଭାପତି ପୂର୍ବରୁ ଥିବାବେଳେ ଅନ୍ୟଜଣେ ନବନିଯୁକ୍ତ ହୋଇଛନ୍ତି। ଉଭୟଙ୍କୁ ସମ୍ବର୍ଧନା ଦେବା ପାଇଁ ଗତକାଲି ନୟାଗଡ଼ରେ ଭିନ୍ନ ଭିନ୍ନ ଦୁଇଟି ସ୍ଥାନରେ ସଭା ଅନୁଷ୍ଠିତ ହୋଇଛି।

ନୟାଗଡ଼ ସ୍ଥିତ ନୀଳମାଧବ କଲ୍ୟାଣ ମଣ୍ଡପଠାରେ ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କରଙ୍କୁ ସମ୍ବର୍ଧନା ଦିଆଯାଇଥିଲା। ସଂଘର ଜିଲ୍ଲା ଶାଖା ବାର୍ଷିକ ଉତ୍ସବ ଅବସରରେ କର୍ମକର୍ତାମାନେ ଏକ ବିଶାଳ ଶୋଭାଯାତ୍ରାରେ ଶ୍ରୀ କରଙ୍କୁ ସହର ପରିକ୍ରମା କରାଇ କଲ୍ୟାଣ ମଣ୍ଡପରେ ପହଞ୍ଚିଥିଲେ। ଏଥିରେ ନୟାଗଡ଼ ସମେତ କନ୍ଧମାଳ, ଖୋର୍ଧା, ପୁରୀ ଓ ଗଂଜାମ ଜିଲ୍ଲାର ସାମ୍ବାଦିକମାନେ ଯୋଗ ଦେଇଥିଲେ। ରାଜ୍ୟ ସଭାପତି ଶ୍ରୀ କରଙ୍କ ସମେତ ରାଜ୍ୟ ସଂପାଦକ ପୂର୍ଣଚନ୍ଦ୍ର ପ୍ରଧାନ ଓ କୋଷଧ୍ୟକ୍ଷ ରାଜେନ୍‌ ଚୌଧୁରୀ ଅତିଥି ଭାବେ ଯୋଗ ଦେଇଥିଲେ। ନୟାଗଡ଼ ଜିଲ୍ଲା ସଭାପତି ଶ୍ରୀକାନ୍ତ ଖଟେଇ, ଜିଲ୍ଲା ସଂପାଦକ ଆଦର୍ଶ ପଟ୍ଟନାୟକ ଓ ଖୋର୍ଧା ଜିଲ୍ଲା ସଭାପତି ପ୍ରଭାତ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ।

ଏ ଅବସରରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ବୀମା ରାଶିକୁ ୨ରୁ ୫ ଲକ୍ଷକୁ ବୃଦ୍ଧି ପାଇଁ ଦାବି କରାଯିବା ସହ ସାମ୍ବାଦିକଙ୍କ ନାମରେ ପାଲଟା ମିଥ୍ୟାଭିଯୋଗ ଓ ମୋକଦ୍ଦମା ପ୍ରତ୍ୟାହାର ପାଇଁ ରାଜ୍ୟ ସଭାପତି ଦାବି ରଖିଥିଲେ। ସାମ୍ବାଦିକ ରାମକୃଷ୍ଣ ରଥ ଓ ଚନ୍ଦ୍ରବିଜୟୀ ମିଶ୍ର ମଞ୍ଚ ପରିଚାଳନା କରିଥିଲେ।

ସମାନ ସମୟରେ ନୟାଗଡ଼ ପଠାଣି ସାମନ୍ତ ସଭାଗୃହରେ ଉତ୍କଳ ସାମ୍ବାଦିକ ସଂଘର ଆଉ ଏକ ସଭା ହୋଇଥିଲା। ଏଥିରେ ସଂଘର ନବନିଯୁକ୍ତ ସଭାପତି ପ୍ରମୋଦ ପଟ୍ଟନାୟକଙ୍କୁ ସମ୍ବର୍ଧିତ କରାଯାଇଥିଲା। ସାମ୍ବାଦିକ ପ୍ରଦୀପ୍ତ ର‌ଥ ଏଥିରେ ସଭାପତିତ୍ବ କରିଥିବା ବେଳେ ଜିଲ୍ଲା ସଂପାଦକ ବେଣୁଧର ପଣ୍ଡା ଓ ଜିଲ୍ଲା ଉପସଭାପତି ବିନାୟକ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ଉତ୍କଳ ସାମ୍ବାଦିକ ସଂଘ ଏକକ ଅନୁଷ୍ଠାନ ହୋଇଥିବା ବେଳେ ବିଭିନ୍ନ ଜିଲ୍ଲାରେ ଏହାର ଶାଖା ରହିଛି। ରାଜ୍ୟ ସଂଘ ଦୁଇଭାଗ ହୋଇଥିବା ବେଳେ ସେହି ଆଧାରରେ ଜିଲ୍ଲାମାନଙ୍କରେ ମଧ୍ୟ ସାମ୍ବାଦିକମାନେ ଭାଗଭାଗ ହେଉଛନ୍ତି। ରାଜ୍ୟ ସଂଘର ଗୋଟିଏ ଅଂଶ ସ୍ବର୍ଗତ ଜିମୁତ ମଙ୍ଗରାଜଙ୍କ ନେତୃତ୍ବରେ ଅଲଗା ହୋଇଯାଇ ଶ୍ରୀ ମଙ୍ଗରାଜଙ୍କୁ ସଭାପତି ଘୋଷଣା କରିଥିଲେ। ଅନ୍ୟପଟେ ବିଭୂତି ଭୂଷଣ କରଙ୍କୁ ସଂଘର ସଭାପତି ଭାବେ ଗ୍ରହଣ କରିଥିଲେ କର୍ମକର୍ତ୍ତା। ଉଭୟ ପକ୍ଷ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚି ହାତାହାତି ଓ ଆପରାଧିକ ଗଣ୍ଡଗୋଳ ଯାଏଁ କଥା ଯାଇଥିଲା। ଏବେ ମାମଲା ନ୍ୟାୟାଳୟର ବିଚାରାଧୀନ ଥିବା ବେଳେ ଉଭୟ ଗୋଷ୍ଠୀ ନିଜର ପତିଆରା ଜାହିର କରିବାକୁ ଉଦ୍ୟମ ଚଳାଇଛନ୍ତି। ଶ୍ରୀ କରଙ୍କୁ ରାଜ୍ୟର ବିଭିନ୍ନ ଜିଲ୍ଲା ସଂଘ ସ୍ବୀକୃତି ଦେଉଥିବା ବେଳେ ଶ୍ରୀ ମଙ୍ଗରାଜଙ୍କ ମୃତ୍ୟୁ ପରେ ନୟାଗଡ଼ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକ ତାଙ୍କ ସ୍ଥାନରେ ସଭାପତି ନିଯୁକ୍ତ ହୋଇଛନ୍ତି। ଅଗଷ୍ଟ ୨୦ରେ ନୟାଗଡ଼ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ନିଜର ବାର୍ଷିକ ଉତ୍ସବ ପାଳନ କରୁଥିବା ବେଳେ ଶ୍ରୀ ପଟ୍ଟନାୟକଙ୍କୁ ଅନ୍ୟତ୍ର ସମ୍ବର୍ଧିତ କରି ନିଜର ପତିଆରା ପ୍ରଦର୍ଶନ ପାଇଁ ଉଦ୍ୟମ କରିଛନ୍ତି ଅପର ଗୋଷ୍ଠୀ।

ରାଜ୍ୟରେ ସାମ୍ବାଦିକଙ୍କ ପ୍ରତି ଆକ୍ରମଣ ବଢ଼ୁଥବା ବେଳେ ସୁରକ୍ଷା ପାଇଁ ସାମ୍ବାଦିକ ଏକତାକୁ ଗୁରୁତ୍ବ ଦିଆଯାଉଛି। ଏଭଳି ସମୟରେ ଗୋଟିଏ ପୁରୁଣା ସାମ୍ବାଦିକ ସଂଘ ,ଭଳି ଦୁଇଫାଳ ହୋଇ ପରସ୍ପରକୁ ଟକ୍କର ଦେବା ସାମ୍ବାଦିକ ଏକତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Leave A Reply

Your email address will not be published.