Odisha Link
Bridging the Missing Links in Odisha

ବିରୋଧୀଙ୍କ ଭିତରେ ବାଗୁଡ଼ି ଖେଳ ଚାଲିଛି: ପ୍ରମିଳା ମଲ୍ଲିକ

ଭୁବନେଶ୍ବର: ଆଜି ହେଉଛି ବିଧାନସଭା ମୌସୁମୀ ଅଧିବେଶନର ତୃତୀୟ ଦିନ। ଆଜି ବି ଗୃହ ଅଚଳ। ପ୍ରଶ୍ନକାଳ ଆରମ୍ଭରୁ ଷ୍ଟାଫ୍ ସିଲେକ୍ସନ ଦୁର୍ନୀତି ପ୍ରସଙ୍ଗ ନେଇ ନାରାବାଜି ଓ ହୋହଲ୍ଲା।ଷ୍ଟାଫ୍ ସିଲେକ୍ସନ ପ୍ରସଙ୍ଗ ଉଠାଇ ଗୃହରେ ହଟ୍ଟଗୋଳ କରିଥିଲେ କଂଗ୍ରେସ ସଦସ୍ୟ। ଏପରିକି ଗୃହର ମଧ୍ୟଭାଗକୁ ଆସି କଂଗ୍ରେସ ସଦସ୍ୟ ନାରାବାଜି ଦେଇଥିଲେ ।

ଏହାକୁ ନଜରରେ ରଖି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଅପରାହ୍ନ ୪ଟା ଯାଏଁ ଗୃହ କାର୍ୟ୍ୟକୁ ମୁଲତବୀ ଘୋଷଣା କରିଛନ୍ତି। ଏଭଳି ଅଚାନକ ଗୃହ ମୁଲତବୀକୁ ନେଇ ବିଜେପି-କଂଗ୍ରେସ ବିଜେଡିକୁ ଟାର୍ଗେଟ କରିବା ସହ ପରସ୍ପର ଉପରେ ଦୋଷ ଲଦୁଥିବା ବେଳେ ମୁହଁ ଖୋଲିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ସେ କହିଛନ୍ତି, ବିରୋଧୀଙ୍କ ଭିତରେ ବାଗୁଡି ଖେଳ ଚାଲିଛି। ସେମାନେ ଆଲୋଚନା କରି ପ୍ରସଙ୍ଗ ଆଣିବା କଥା। ନିର୍ଦ୍ଧିଷ୍ଟ ଭାବେ କିଛି କଥା ନକହି ଲୋକଙ୍କ କାମରେ ଲାଗୁନଥିବା କଥାକୁ ଉଠାଉଛନ୍ତି। ଯେଉଁ ପ୍ରସଙ୍ଗ ଆସିବା କଥା ଆଣୁନାହାନ୍ତି। ଲୋକଙ୍କ ପ୍ରସଙ୍ଗ ଉଠାନ୍ତୁ। ବିରୋଧୀ ଥାନା କୋର୍ଟ କଚେରୀ ହୋଇ ନିଷ୍ପତ୍ତି ନେଉଛନ୍ତି। ଲୋକଙ୍କ ସ୍ୱାର୍ଥ ପାଇଁ ଯେଉଁ କଥା ଆସିବ ସରକାର ଆଲୋଚନା କରିବା ପାଇଁ ପ୍ରସ୍ତୁତ।

ଏହାସହ ପ୍ରମିଳା ଆହୁରି କହିଛନ୍ତି, ଯେଉଁ ପ୍ରସଙ୍ଗରେ ଓଡ଼ିଶାବାସୀଙ୍କର କୌଣସି ସ୍ୱାର୍ଥ ନାହିଁ, ସେ ପ୍ରସଙ୍ଗ ଆଣି ଗୃହର ସମୟ ବରବାଦ କରିଛନ୍ତି ବିରୋଧୀ। ଚାଷୀ,କୋଭିଡ ଓ ମରୁଡି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଛି । ସାଧାରଣ ଲୋକଙ୍କ ଜୀବନକୁ ପ୍ରଭାବିତ କରୁଥିବା ବିଭିନ୍ନ ସମସ୍ୟାର କଥା ଗୃହରେ ନ ଉଠାଇ ଅପରାଧ ଏବଂ ବିଭିନ୍ନ ଛୋଟମୋଟ ପ୍ରସଙ୍ଗ ଉଠାଉଛନ୍ତି ବିରୋଧୀ। ଯାହାର କୌଣସି ଆବଶ୍ୟକତା ନାହିଁ। ବିରୋଧୀଙ୍କ ଏଭଳି କାର୍ଯ୍ୟକଳାପକୁ ପୂରା ରାଜ୍ୟବାସୀ ଦେଖୁଛନ୍ତି। ଆଉ ଏହାର ବିଚାର ମଧ୍ୟ କରିବେ।

ସୂଚନାଯୋଗ୍ୟ, ଗତ ଦୁଇଦିନ ହେବ ବିଜେପି ଓ କଂଗ୍ରେସ ଚାଷୀ ଓ ମରୁଡି ସମସ୍ୟା ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିଥିବା ବେଳେ ଆଜି ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । କିନ୍ତୁ ଆଜି କୌଣସି ଚାଷି କିମ୍ବା ମରୁଡି ପ୍ରସଙ୍ଗ ଉଠାଇ ନାହାନ୍ତି ବିରୋଧି।ଦ୍ବିତୀୟ ଦିନରେ ମାହାଙ୍ଗା ଡବଲ୍ ମର୍ଡର ଘଟଣାକୁ ନେଇ ଗୃହରେ ହଟ୍ଟଗୋଳ ଲାଗି ରହିଥିଲା।

Leave A Reply

Your email address will not be published.