Odisha Link
Bridging the Missing Links in Odisha

କଟକବାସୀଙ୍କ ଭାବାବେଗକୁ ସମ୍ମାନ ଦିଅନ୍ତୁ ରାଜ୍ୟ ସରକାର: ଧର୍ମେନ୍ଦ୍ର

ଭୁବନେଶ୍ୱର: କଟକବାସୀଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଭାବରେ ମାଆଙ୍କ ପୂଜାର୍ଚ୍ଚନା ପାଇଁ ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାର ଉଚିତ୍‌ ପଦକ୍ଷେପ ନେବେ ବୋଲି ଟ୍ୱିଟ୍‌ ଜରିଆରେ ଆଶାପ୍ରକଟ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି କଟକ ଚଣ୍ଡି ମନ୍ଦିରର ରକ୍ଷଣାବେକ୍ଷଣ ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍‌ କରିଛନ୍ତି ଯେ ଓଡ଼ିଶାର ଐତିହାସିକ ସହର କଟକରେ ପୂଜା ପାର୍ବଣର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । କିଛି ଦିନ ପୂର୍ବରୁ ଦୁର୍ଗା ପୂଜା ପାଳନକୁ ନେଇ ଏଠାରେ ଏକ ବିବାଦ ମୁଣ୍ଡ ଟେକିଛି । ମୂର୍ତି ଉଚ୍ଚତା ଏବଂ ପୂଜାର ରୀତିନୀତି ନେଇ ଚର୍ଚ୍ଚା, ଆଲୋଚନା ଏବଂ ଆନ୍ଦୋଳନ ଜାରି ରହିଛି ।

କଟକର ସାହୀ କମିଟି, ପୂଜା କମିଟି, ଶାନ୍ତି କମିଟି, ବୁଦ୍ଧିଜୀବୀ, ବିଭିନ୍ନ ସାଂସ୍କୃତିକ ଓ ସାମାଜିକ ସଂଗଠନ ପକ୍ଷରୁ ଭିନ୍ନ ଭିନ୍ନ ମତ ଆସୁଛି । ରାଜ୍ୟ ସରକାର ଏହି ପ୍ରସଙ୍ଗକୁ ଗୁରୁତ୍ୱର ସହ ନେଇ ପୁନର୍ବାର ସମସ୍ତଙ୍କ ସହ ଆଲୋଚନା କରି କଟକବାସୀଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଭାବରେ ମାଆଙ୍କ ପୂଜାର୍ଚ୍ଚନା ପାଇଁ ବ୍ୟବସ୍ଥା କରିବେ ବୋଲି ମୁଁ ଆଶା ରଖୁଛି ।

କୋଭିଡ଼୍‌ ମହାମାରୀର ପ୍ରକୋପ କିଛି ମାତ୍ରାରେ କମିଲା ଭଳି ଲାଗୁଛି । କୋଭିଡ୍‌ ନିୟମକୁ ପାଳନ କରି କିଭଳି କଟକରେ ମାଆଙ୍କ ପୂଜାର୍ଚ୍ଚନା ଶୃଙ୍ଖଳିତ ଭାବେ ହୋଇପାରିବ, ତାହାକୁ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରାଯିବାର ଆବଶ୍ୟକତା ରହିଛି ।

ଗତକାଲି ଲଗାଣ ବର୍ଷାରେ କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡି ମନ୍ଦିରର ଦର୍ଶନ ମଣ୍ଡପର ସିଲିଂରୁ କିଛି ଅତଡ଼ା ଖସିଥିବା ଜାଣିବାକୁ ପାଇଲି । ଏହି ମନ୍ଦିରର ସୁରକ୍ଷା ଏବଂ ରକ୍ଷଣାବେକ୍ଷଣ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି ଆଶା କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍‌ କରିଛନ୍ତି ।

Leave A Reply

Your email address will not be published.