Odisha Link
Bridging the Missing Links in Odisha

କୋହଲିଙ୍କ ବିରାଟ ନିଷ୍ପତ୍ତି ପରେ ପ୍ରତିକ୍ରିୟା ରଖିଲା ବିସିସିଆଇ, କହିଲା-ସେ ୪୦…

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ହାରିବା ପରେ ସମସ୍ତଙ୍କୁ ଚକିତ କଲାଭଳି ଘୋଷଣା କରିଛନ୍ତି ବିରାଟ କୋହଲି। ଭାରତୀୟ ଟେଷ୍ଟ ଦଳର ଅଧିନାୟକ ପଦରୁ ସେ ଇସ୍ତଫା ଦେଇଥିବା ନେଇ ସେ ଟ୍ବିଟ୍‌ କରି ଘୋଷଣା କରିଛନ୍ତି। ଏହାପୂର୍ବରୁ ବିରାଟ ଟି-୨୦ ଅଧିନାୟକ ପଦ ଛାଡ଼ିଥିଲେ। ପରେ ତାଙ୍କୁ ଦିନିକିଆ ଅଧିନାୟକ ପଦରୁ ହଟାଇଥିଲା ବିସିସିଆଇ। ଯାହାକୁ ନେଇ ଜୋରଦାର ଚର୍ଚ୍ଚା ମଧ୍ୟ ହୋଇଥିଲା। ହେଲେ ଏବେ ବିରାଟ ଟେଷ୍ଟ ଅଧିନାୟକ ପଦ ଛାଡ଼ିବା ନେଇ ଘୋଷଣା କରିଛନ୍ତି। ଯାହାକୁ ନେଇ ମଧ୍ୟ ଚର୍ଚ୍ଚା ଲାଗି ରହିଛି।

ବିରାଟ ଟ୍ବିଟ୍‌ କରି ଲେଖିଛନ୍ତି ଯେ, ଦଳକୁ ସଠିକ୍‌ ଦିଶା ଦେଖାଇବା ପାଇଁ ୭ ବର୍ଷ ଧରି କଠିନ ପରିଶ୍ରମ କରି ଆସିଛି। ମୁଁ ମୋ କାମ କରି ସାରିଛି। ମୁଁ ଟିମ୍‌ ପାଇଁ ସର୍ବଦା ୧୨୦ ପ୍ରତିଶତ ଦେବାକୁ ଚେଷ୍ଟା କରିଛି। ବିସିସିଆଇ ମୋ ଉପରେ ବିଶ୍ବାସ କରି ଏହି ଗୁରୁ ଦାୟିତ୍ବ ଦେଇଥିବାରୁ ଅଶେଷ ଧନ୍ୟବାଦ। ପୂର୍ବପରି ଦଳ ପାଇଁ ଖେଳ ଜାରି ରଖିବି ବୋଲି ବିରାଟ କୋହଲି କହିଛନ୍ତି।

ଅପରପକ୍ଷେ, ବିରାଟ କୋହଲିଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଛି ବିସିସିଆଇ। ବିରାଟଙ୍କ ଟ୍ବିଟ୍‌ର କିଛି ସମୟ ପରେ ବିସିସିଆଇ ଏକ ଟ୍ବିଟ୍‌ କରିଛି। ଯେଉଁଥିରେ ବିସିସିଆଇ ବିରାଟଙ୍କୁ ଟେଷ୍ଟ ଅଧିନାୟକ ଯାତ୍ରା କଥା ଉଲ୍ଲେଖ କରି ଶୁଭେଚ୍ଛା ଜଣାଇଛି। ଭାରତୀୟ ଟେଷ୍ଟ ଅଧିନାୟକ ଭାବେ ବିରାଟ ୪୦ଟି ମ୍ୟାଚରେ ବିଜୟୀ ହୋଇଥିବାରୁ ବିସିସିଆଇ ଶୁଭେଚ୍ଛା ଜଣାଇଛି।

ଆପଣଙ୍କୁ ଆମେ ଜଣାଇବାକୁ ଚାହୁଁ ଯେ, ବିରାଟ କୋହଲି ହେଉଛନ୍ତି ଭାରତୀୟ ଟେଷ୍ଟ କ୍ରିକେଟ ଇତିହାସର ସବୁଠୁ ସଫଳ ଅଧିନାୟକ। ବିରାଟ ମୋଟ୍‌ ୬୮ଟି ଟେଷ୍ଟ ମ୍ୟାଚରେ ଭାରତୀୟ ଦଳ ପାଇଁ ଅଧିନାୟକତ୍ବ କରିଥିଲେ। ସେଥିରୁ ଟିମ୍‌ ଇଣ୍ଡିଆ ୪୦ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ୧୭ଟି ମ୍ୟାଚରେ ପରାଜିତ ହୋଇଛି। ସେହିପରି ୧୧ଟି ମ୍ୟାଚ୍‌ ଡ୍ର ରଖିଛି ଭାରତୀୟ ଦଳ।

ସଫଳ ଭାରତୀୟ ଟେଷ୍ଟ ଅଧିନାୟକ:
ବିରାଟ କୋହଲି-୪୦ ଟେଷ୍ଟରେ ବିଜୟ ହାସଲ କରିଥିବା ବେଳେ ଏମଏସ୍‌ ଧୋନି ୨୭ଟି ମ୍ୟାଚରେ ବିଜୟୀ ହୋଇଥିଲେ। ତାଙ୍କ ପଛକୁ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ବରେ ଭାରତୀୟ ଦଳ ୨୧ଟି ମ୍ୟାଚରେ ବିଜୟୀ ହୋଇଥିଲା।