Odisha Link
Bridging the Missing Links in Odisha

ବନ୍ଧା ହେଲେ ମ୍ୟାଡାମ୍‌ ଶର୍ମିଷ୍ଠା

ଓଏଲ୍‌ ବ୍ୟୁରୋ: ସରିଲା ଦୀର୍ଘ ଦିନର ଲୁଚକାଳି ଖେଳ। ଶେଷରେ ବନ୍ଧା ହେଲେ ମ୍ୟାଡାମ୍‌ ଶର୍ମିଷ୍ଠା ରାଉତ୍। ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ୱେବ ପୋର୍ଟାଲ ମୁଖ୍ୟ ଶର୍ମିଷ୍ଠା ରାଉତଙ୍କୁ ଭଦ୍ରକ ଜିଲ୍ଲା ନଳାଙ୍ଗରୁ ଆଜି ସକାଳୁ କ୍ରାଇମବ୍ରାଞ୍ଚ ଟିମ୍‌ ଓ ଭଦ୍ରକ ପୁଲିସ୍‌ ଗିରଫ କରିଛି। ଶର୍ମିଷ୍ଠାଙ୍କ ସହ ତାଙ୍କ ସହଯୋଗୀ ଝୁନା ଭୋଇ ବି ଗିରଫ ହୋଇଛନ୍ତି।

ମିଳିଥିବା ସୂଚନା ମୁତାବିକ, ଆଜି ଚାନ୍ଦବାଲି JMFC କୋର୍ଟରେ ହାଜର କରାଯାଇ ୧୦ ଦିନ ରିମାଣ୍ଡ ପାଇଁ ଆବେଦନ କରାଯିବ। ଏହି ଘଟଣାରେ ପୂର୍ବରୁ ବନ୍ଧା ହୋଇଥିବା ଅନ୍ୟ ୫ ଅଭିଯୁକ୍ତଙ୍କୁ ମଧ୍ୟ ୧୦ ଦିନ ରିମାଣ୍ଡ ପାଇଁ ଆବେଦନ ହେବ। ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ପ୍ରେସ୍‌ ରିଲିଜ ଜରିଆରେ ଜଣାଯାଇଛି।

ସୂଚନାଯୋଗ୍ୟ, ମାସେ ତଳେ ମାନସ ଚାନ୍ଦବାଲିରୁ ଫେରୁଥିବା ବେଳେ ତାଙ୍କୁ ଏକ କାର୍‌ରେ ଅପହରଣ କରି ଭୁବନେଶ୍ୱର ନିଆଯାଇଥିଲା। ସେଠାରେ ତାଙ୍କୁ ଅସହ୍ୟ ନିର୍ଯାତନା ଦିଆଯାଇଥିବା ବେଳେ ତାଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ମୃତଦେହକୁ ପୋତି ଦେଇଥିଲେ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ।

ପ୍ରାୟ ମାସକ ପରେ ମାନସଙ୍କ ମୃତଦେହକୁ ଖୋଜି ବାହାର କରିଥିଲା ପୁଲିସ। ଏହା ପରେ ଘଟଣା ଧୀରେ ଧୀରେ ଖୋଲିବାରେ ଲାଗିଲା। ଏହି ହତ୍ୟାକାଣ୍ଡରେ କିଏ କିଏ ସଂପୃକ୍ତି ଅଛନ୍ତି, ତାକୁ ନେଇ ଛାନଭିନ୍ ଆରମ୍ଭ କରିଥିଲା ପୁଲିସ । ଏହି ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏଥିରେ ଆଉ କାହାର ସଂପୃକ୍ତି ଅଛି କି ନାହିଁ, ତାହା ପରେ ଜଣାପଡ଼ିବ।