Odisha Link
Bridging the Missing Links in Odisha

ଝାରସୁଗୁଡ଼ା: ଜେଏସ୍‌ଡବ୍ଲୁ କାରଖାନା ଆହତଙ୍କ ପାଇଁ କ୍ଷତିପୂରଣ ଦାବି କଲେ ଟଙ୍କଧର

ଯଦି ଆଗାମୀ ୭ ଦିନରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବ ତେବେ ସେ ଜାତୀୟ ମାନବାଧିକାର କମିସନ ଓ ଏସ୍‌ସି ଆଣ୍ଡ୍ ଏସ୍‌ଟି କମିସନଙ୍କ ଦ୍ବାରସ୍ଥ ହେବେ ବୋଲି ଚେତାଇ ଦେଇଛନ୍ତି ଟଙ୍କଧର।

ଝାରସୁଗୁଡ଼ା: ଓଡ଼ିଶା ବିଜେପି ସମ୍ପାଦକ ଟଙ୍କଧର ତ୍ରିପାଠୀ ଅଭିଯୋଗ କରିଛନ୍ତି ଯେ କାର୍ଯ୍ୟ କରିବା ବେଳେ ମାଚ୍ଚ ୧୧ରେ ପୋଡ଼ି ହୋଇ ଆହତ ହୋଇଥିବା ଚାରି ଜଣ ଠିକା ଶ୍ରମିକଙ୍କ ପାଇଁ ଜେଏସ୍‌ଡବ୍ଲୁ ବିପିଏସ୍‌ଏଲ୍ କୌଣସି କ୍ଷତିପୂରଣ ଦେଇନାହିଁ। ସେମାନଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦିଆନଗଲେ ଭବିଷ୍ୟତରେ ବିରୋଧ ତୀବ୍ର କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

ସୋମବାର ଦିନ ଏକ ସାମ୍ବାଦିକ ସମ୍ମିଳନୀକୁୁ ସମ୍ବୋଧିତ କରି ଶ୍ରୀଯୁକ୍ତ ତ୍ରିପାଠୀ ଅଭିଯୋଗ କରିଛନ୍ତି ଯେ ୨୦୨୨ ମାର୍ଚ୍ଚ ୧୧ରେ ଚାରିଜଣ ଶ୍ରମିକ କରଣ ଓରାମ,ନିଳମଣି ଓରାମ, ଅଞ୍ଜନ ଓରାମ ଓ ଅଶୋକ ଧୁରୁଆ, ସେମାନେ ଜେଏସ୍‌ଡବ୍ଲୁ ବିପିଏସ୍‌ଏଲ୍‌କୁ କାମ କରିବାକୁ ଯାଇଥିଲେ। ଏ ସମସ୍ତେ ହେଉଛନ୍ତି ଝାରସୁଗୁଡ଼ା ଜିଲ୍ଲାର ଭଲାଇଦା ପଂଚାୟତ ଅନ୍ତର୍ଗତ ତିତେଇମାଳ ଗ୍ରାମର ବାସିନ୍ଦା। ମାର୍ଚ୍ଚ ୧୧ ରାତିରେ କାରଖାନାରେ ବିସ୍ଫୋରଣ ହେବାରୁ ଶ୍ରମିକମାନେ ପୋଡ଼ି ହୋଇଯାଇଥିବା ବେଳେ ଜଣଙ୍କ ଶରୀର ୮୦ ପ୍ରତିଶତ ପୋଡ଼ି ହୋଇଯାଇଛି। ଅନ୍ୟ ଜଣଙ୍କର ୩୦ ପ୍ରତିଶତ ଓ ଦୁଇ ଜଣଙ୍କ ଶରୀର ୧୦ ପ୍ରତିଶତ ପୋଡ଼ିହୋଇଯାଇଥିଲା। ମାତ୍ର ସେମାନଙ୍କୁ କୌଣସି ଏଫ୍‌ଆଇଆର୍ ନଦେବାକୁ ଧମକ ଓ ପରାମର୍ଶ ଦିଆଯାଇଥିଲା।

ଆହତମାନଙ୍କୁ ପ୍ରଥମେ କାରଖାନା ଭିତରେ ଥିବ ଡିସ୍‌ପେନ୍‌ସେରିରେ ଚିକିତ୍ସା କରାଯାଇଯାଇଥିଲା ଏବଂ ପରେ ଦୁଇ ଜଣ ଶ୍ରମିକଙ୍କ ଇସ୍ପାତ ଜେନେରାଲ୍ ହସ୍ପିଟାଲ୍‌, ରାଉରକେଲା ଓ ଦୁଇ ଜଣଙ୍କୁ ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ୍ ରିସର୍ଚ (ଭିମ୍‌ସାର୍‌), ବୁର୍ଲାକୁ ପଠାଇଦିଆଯାଇଥିଲା। ଚିକିତ୍ସା ହେଉଥିବା ବେଳେ ସେମାନଙ୍କୁ ସବୁ ଟଙ୍କା ଶେଷ ହୋଇଥିଲା ଓ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଥିଲା। ସେମାନଙ୍କ ଅବସ୍ଥା ଭଲ ନଥିଲା। ଯେଉଁ ଠିକାଦାର (କଂଟ୍ରାକ୍ଟର)ଙ୍କ ଅଧୀନରେ ସେମାନେ କାମ କରୁଥିଲେ ସେ ମଧ୍ୟ କିଛି କରିନଥିଲା। ଏହା ହେଉଛି ଏକ ଅମାନୁଷିକ ଓ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା। ଏକ ମାସ ବିତି ଯିବା ସତ୍ତ୍ବେ ଜିଲ୍ଲା ପ୍ରଶାସନ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା କିମ୍ବା ସାଧାରଣ ଭାବେ ପୋଡ଼ି ହେବା ମାମଲାରେ ପୋଲିସରେ ଏଫଆଇଆର୍ କରିନାହିଁବୋଲି ଟଙ୍କଧର ଅଭିଯୋଗ କରିଛନ୍ତି।

ଟଙ୍କଧର ଦାବି କରିଛନ୍ତି ଯେ ଆହତ ହୋଇଥିବା ସମସ୍ତଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ରାଶି ଓ ତା’ ସହିତ ଚିକିତ୍ସା ଖର୍ଚ ଦିଆଯାଉ ଏବଂସଂପୃକ୍ତ କଂଟ୍ରାକ୍ଟର (ଠିକାଦାର)ଙ୍କ ବିରୋଧରେ ଏଫ୍‌ଆଇଆର୍ ରୁଜୁ କରାଯାଉ। ଯଦି ଆଗାମୀ ୭ ଦିନରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବ ତେବେ ସେ ଜାତୀୟ ମାନବାଧିକାର କମିସନ ଓ ଏସ୍‌ସି ଆଣ୍ଡ୍ ଏସ୍‌ଟି କମିସନଙ୍କ ଦ୍ବାରସ୍ଥ ହେବେ ବୋଲି ଚେତାଇ ଦେଇଛନ୍ତି ଟଙ୍କଧର।

Leave A Reply

Your email address will not be published.