Odisha Link
Bridging the Missing Links in Odisha

ଘରୁ ତଡ଼ିଦେଲେ କେନ୍ଦ୍ର ସରକାର, ଦାଣ୍ଡରେ ଗଡ଼ୁଛି ଗୁରୁ ମାୟଧର ରାଉତଙ୍କ ପଦ୍ମଶ୍ରୀ ଫଳକ

୯୧ ବର୍ଷୀୟ ଓଡ଼ିଶୀ ଗୁରୁଙ୍କୁ ସରକାରୀ ବାସଭବନରୁ ବିଦା କରିବା ସହ ଆସବାବପତ୍ର ବାହାର କରିଦେଇଛନ୍ତି କେନ୍ଦ୍ର ନଗର ଉନ୍ନୟ ମନ୍ତ୍ରାଳୟ କର୍ମଚାରୀ। ଅଗକୁ ସମଦଶା ଭୋଗିବେ ଯତୀନ ଦାଶ ଓ ଅନ୍ୟ ୧୧ କଳାକାର।

ନୂଆଦିଲ୍ଲୀ: ସ୍ଥାନୀୟ ଏସିଆଡ୍‌ ଭିଲେଜରେ ରହୁଥିବା ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟୁଗୁରୁ ପଦ୍ମଶ୍ରୀ ମାୟାଧର ରାଉତଙ୍କୁ ଘରୁ ବିତାଡ଼ିତ କରିଛନ୍ତି କେନ୍ଦ୍ର ସରକାର। ମଙ୍ଗଳବାର ଦିନ ଗୁରୁଙ୍କ ସମେତ ତାଙ୍କର ପରିବାର ସଦସ୍ୟଙ୍କୁ ଘରୁ ବାହାର କରାଯାଇଥିବାବେଳେ ତାଙ୍କର ଆସବାବପତ୍ର ମଧ୍ୟ ବାହାରେ ରଖିଦିଆଯାଇଛି। ଏପରିକି ତାଙ୍କ ପଦ୍ମଶ୍ରୀ ସମ୍ମାନ ଫଳକଟି ଦାଣ୍ଡରେ ଗଡ଼ୁଥିବାର ଦେଖିବାକୁ ମିଳିଛି। ଦିଲ୍ଲୀରେ ଏବେ ତାପମାତ୍ରା ବେଶ୍‌ ଅଧିକ ଥିବାବେଳେ ଏଭଳି ସମୟରେ ମନ୍ତ୍ରାଳୟର ଏ ପ୍ରକାର କଠୋର କାର୍ଯ୍ୟାନୁଷ୍ଠାନକୁ କଳାକାରକୁଳ ସମାଲୋଚନା କରିଛନ୍ତି।

୨୦୦୮ ମସିହାରେ ସରକାରୀ ନିୟମ ପରିବର୍ତନ ହେବା ପରେ ମାୟାଧର ରାଉତ ଏହି ଘରେ ଆଉ ରହିପାରିବେନାହିଁ ବୋଲି କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରାଳୟ କର୍ମଚାରୀ ସୂଚନା ଦେଇଛନ୍ତି। ଦିଲ୍ଲୀ ହାଇକୋର୍ଟରେ ଏ ନେଇ ଚାଲିଥିବା ମାମଲାରେ ମାୟାଧର ରାଉତ ଓ ସେଠାରେ ରହୁଥିବା ଅନ୍ୟ କଳାକାରମାନେ ହାରି ଯାଇଥିଲେ। ନ୍ୟାୟାଳୟର ନିର୍ଦ୍ଦେଶ ଅନୁସାରେ ଚଳିତ ବର୍ଷ ଜାନୁଆରୀ ମାସରେ ଘର ଖାଲି କରିବା ପାଇଁ ଶ୍ରୀ ରାଉତଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ଓ ସେ ନିର୍ଦ୍ଦେଶ ନମାନିବାରୁ ଦୁଇଦିନ ତଳେ ଘରୁ ବିତାଡ଼ିତ କରିଛନ୍ତି କେନ୍ଦ୍ର ସରକାର।

ଅନ୍ୟପଟେ ଗୁରୁ ଶ୍ରୀ ରାଉତଙ୍କ କନ୍ୟା ମଧୁମିତା ରାଉତ କହିଛନ୍ତି ଯେ ଘର ଖାଲିକରିବା ନେଇ ସେମାନଙ୍କୁ କୌଣସି ନୋଟିସ୍‌ ମିଳିନାହିଁ। ଏପ୍ରିଲ ୨୬ ତାରିଖ ସକାଳେ ମନ୍ତ୍ରାଳୟ କର୍ମଚାରୀ ହଠାତ ଆସି ତାଙ୍କୁ ଘରୁ ବାହାର କରିେଦଇଛନ୍ତି ବୋଲି ସେ କହିଛନ୍ତି।

ଗୁରୁ ଶ୍ରୀ ରାଉତଙ୍କ ଭିନ୍ନ ଅନ୍ୟ ୧୨ ଜଣ କଳାକାର ମଧ୍ୟ ଆଗକୁ ସମାନ ଦଶା ଭୋଗିବେ ବୋଲି ମନ୍ତ୍ରାଳୟ ଜଣାଇ ଦେଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ମୋହିନୀଆଟ୍ଟମ ନୃତ୍ୟଶିଳ୍ପୀ ଭାରତୀ ଶିବାଜୀ, କୁଚିପୁଡ଼ି ନୃତ୍ୟଗୁରୁ ଭି ଜୟରାମ ରାଓ, ଧୃପଦ ଗାୟକ ଉସ୍ତାଦ ଏଫ୍‌ ଓ୍ବାସିଫୁଦ୍ଦିନ୍‌ ଡାଗର୍, ରାଣୀ ସିଂଘଲ, କଥକ ଶିଳ୍ପୀ ଗୀତାଞ୍ଜଳି ଲାଲ, ଲିଥୋଗ୍ରାଫର କେ.ଆର. ସୁବାନ୍ନା, ସାରଙ୍ଗୀ ବାୟକ କମଲ ସବ୍ରି, ଦେବରାଜ ଡାକୋଜୀ, କଳାମଣି, ଚିତ୍ରଶିଳ୍ପୀ ଯତୀନ ଦାସ, ପଣ୍ଡିତ ଭଜନ ସପୋରୀ ଓ ଗାୟିକା ରୀତା ଗାଙ୍ଗୁଲି।

ମିଳିଥିବା ସୂଚନା ଅନୁସାରେ ଅକ୍ଟୋବର ୨୦୨୦ ମସିହାରେ ଘରର ମିଆଦ ସରୁଥିବା ଦର୍ଶାଇ ମନ୍ତ୍ରାଳୟ ପକ୍ଷରୁ ଏହି କଳାକାରମାନଙ୍କୁ ଚିଠି କରାଯାଇଥିଲା ଓ ସେହିବର୍ଷ ଡିସେମ୍ବର ସୁଦ୍ଧା ଘର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କୋଭିଡ୍‌ ସମୟରେ ସେମାନଙ୍କୁ ଗୃହାନ୍ତର କରାନଯାଉ ବୋଲି ଦାବି କରି କଳାକାରମାନେ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ। ଅଗଷ୍ଟ ୫, ୨୦୨୧ରେ ଦିଲ୍ଲୀ ହାଇକୋର୍ଟ ମନ୍ତ୍ରାଳୟକୁ କାରଣ ଦର୍ଶାଅ ନୋଟିସ୍‌ ଦେବା ସହ ଏକ ମାମଲା ରୁଜୁ କରିଥିଲେ। ଜାନୁଆରୀ ୨୧, ୨୦୨୨ରେ ପୁଣି କଳାକାରମାନଙ୍କୁ ଘର ଛାଡ଼ିବା ପାଇଁ ମନ୍ତ୍ରାଳୟ ନୋଟିସ୍‌ ପଠାଇଥିଲେ ଓ ଏହା ବିରୁଦ୍ଧରେ କଳାକାରମାନେ କୋର୍ଟ ଯାଇଥିଲେ। ଫେବ୍ରୁଆରୀ ୨ରେ ଦିଲ୍ଲୀ ହାଇକୋର୍ଟ ଉଚ୍ଛେଦ ନିର୍ଦ୍ଦେଶ ଉପରେ ସାମୟିକ ରହିତାଦେଶ ଦେବା ସହ ଏପ୍ରିଲ ୨୫ ପର୍ଯ୍ୟନ୍ତ କଳାକାରମାନେ ରହିପାରିବେ ବୋଲି କହିଥିଲେ। ଏପ୍ରିଲ ୨ରେ କୋର୍ଟ ପୁଣି କହିଥିଲେ ଯେ କଳାକାରମାନଙ୍କୁ ଆଉ ସମୟ ଦିଆଯିବନାହିଁ। ଏପ୍ରିଲ ୨୫ ଯାଏଁ ରିହାତି ମିଆଦ ପୂରିବା ପରେ ଏପ୍ରିଲ ୨୬ରେ ପ୍ରଥମେ ଗୁରୁ ମାୟାଧର ରାଉତଙ୍କ ଘର ଖାଲି କରାଯାଇଛି। ଆଗକୁ ଅନ୍ୟମାନଙ୍କର କରାଯିବ ବୋଲି ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.