Odisha Link
Bridging the Missing Links in Odisha

ବ୍ରଜରାଜନଗର ଉପନିର୍ବାଚନ: କଳ୍ପନାଜଳ୍ପନାର ଅନ୍ତ, ରାଧାରାଣୀ ବିଜେପି ପ୍ରାର୍ଥୀ  

ଓଏଲ୍‌ ବ୍ୟୁରୋ: ଆଗକୁ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ। ଏହାରି ମଧ୍ୟରେ ପ୍ରଥମ ଦଳ ଭାବେ ଭାରତୀୟ ଜନତା ପାର୍ଟି ଘୋଷଣା କରିଛି ପ୍ରାର୍ଥୀଙ୍କ ନାମ। ଦଳ ପୂର୍ବତନ ବ୍ରଜରାଜନଗର ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ଟିକେଟ୍‌ ଦେଇଛି। ଏନେଇ ଆଜି ବିଜେପି କେନ୍ଦ୍ରୀୟ କମିଟି ପକ୍ଷରୁ ଘୋଷଣା କରାଯାଇଛି।

୨୦୧୯ ନିର୍ବାଚନରେ ରାଧାରଣୀ ପଣ୍ଡାଙ୍କୁ ହରାଇ ସ୍ବର୍ଗତ କିଶୋଣ କୁମାର ମହାନ୍ତି ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହାପୂର୍ବରୁ ରାଧାରାଣୀ ପଣ୍ଡା ବ୍ରଜରାଜନଗର ଆସନରୁ ବିଜେପି ଟିକେଟ୍‌ରେ ୨୦୧୪ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ଗତ ବର୍ଷ ଡିସେମ୍ବର ୩୦ ତାରିଖରେ ହୃଦଘାତରେ କିଶୋର କୁମାର ମହାନ୍ତିଙ୍କ ପରଲୋକ ହୋଇଥିଲା। ପରେ ବ୍ରଜରାଜନଗର ବିଧାନସଭା ଆସନଟି ଖାଲି ପଡ଼ିଥିବା ବେଳେ ମେ’ ୩୧ରେ ଏଥିପାଇଁ ଭୋଟ୍ ଗ୍ରହଣ କରାଯିବ। ଏଥିପାଇଁ ରାଜ୍ୟର ୩ ପ୍ରମୁଖ ଦଳ କସରତ ଆରମ୍ଭ କରି ସାରିଛନ୍ତି।

ବିଜେପି ପ୍ରଥମ ଦଳ ଭାବେ ଆଜି ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେଡି ଓ କଂଗ୍ରେସ ଏଯାଏଁ ସେମାନଙ୍କ ପ୍ରାର୍ଥୀ ଘୋଷଣା କରି ନାହାନ୍ତି। ପୂର୍ବତନ ବାଚସ୍ପତି କିଶୋର ପଟେଲଙ୍କୁ କଂଗ୍ରେସ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛି। ତାଙ୍କ ନାଁ ଉପରେ ଦଳରେ ସହମତି ପ୍ରକାଶ ପାଇଛି। ତେବେ ଏଯାଏଁ ଆନୁଷ୍ଠାନିକ ଘୋଷଣା ହୋଇନାହିଁ। ସେହିପରି ବିଜେଡି କାହା ନାଁରେ ମାରିବ ମୋହର ତାକୁ ନେଇ ଲାଗି ରହିଛି ଚର୍ଚ୍ଚା।

Leave A Reply

Your email address will not be published.