Odisha Link
Bridging the Missing Links in Odisha

ଡିକେଙ୍କ ପ୍ରଦର୍ଶନ ପନ୍ତଙ୍କ କ୍ୟାରିୟର ଉପରେ ପଡ଼ିବ କି ଭାରି ?

ଚଳିତ ବର୍ଷ ଆଇପିଏଲରେ ୩୬ ବର୍ଷିୟ ଦିନେଶ କାର୍ତ୍ତିକଙ୍କ ନାମକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି

ଓଏଲ୍‌ ବ୍ୟୁରୋ: ଚାଲିଛି ଫଟାଫଟ୍‌ କ୍ରିକେଟ ଲିଗ୍‌ ଆଇପିଏଲ୍‌ ମହାକୁମ୍ଭ। ଏପର୍ଯ୍ୟନ୍ତ ଖେଳା ସରିଲାଣି ୫୭ଟି ମ୍ୟାଚ୍। କିଛି ଖେଳାଳିଙ୍କ ପ୍ରଦର୍ଶନ ସୁପରହିଟ୍‌ ହୋଇଥିବା ବେଳେ ଆଉ କିଛି ଖେଳାଳିଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। କିନ୍ତୁ ଚଳିତ ବର୍ଷ ଆଇପିଏଲରେ ୩୬ ବର୍ଷିୟ ଦିନେଶ କାର୍ତ୍ତିକଙ୍କ ନାମକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ସେ ଚଳିତ ସିଜିନରେ ୧୨ଟି ମ୍ୟାଚ୍‌ ଖେଳି ୨୦୦ ଷ୍ଟ୍ରାଇକ୍‌ ରେଟରେ ୬୮ ଆଭେରେଜରେ ୨୭୪ ରନ୍‌ ସ୍କୋର କରି ସାରିଛନ୍ତି। ଏବେ ଦମଦାର ଫର୍ମରେ ଥିବା ଡିକେ ଶାନଦାର କମ୍‌ବ୍ୟାକ୍‌ କରିବାର ସଙ୍କେତ ଦେଇ ସାରିଛନ୍ତି। ଯାହାଫଳରେ ଟିମ୍‌ ଇଣ୍ଡିଆର ଓ୍ବିକେଟ କିପର ବ୍ୟାଟସମ୍ୟାନ୍‌ ଋଷଭ ପନ୍ତଙ୍କ ସ୍ଥାନ ଟଳମଳ ହୋଇପାରେ।

ଚଳିତ ଆଇପିଏଲର ଡେଥ୍‌ ଓଭରରେ ଡିକେଙ୍କ ବ୍ୟାଟିଙ୍ଗ୍‌ ସମସ୍ତଙ୍କୁ ଆକର୍ଷିତ କରିଛି। ସେ ମ୍ୟାଚର ଶେଷ ସମୟରେ ଆସି ମ୍ୟାଚ୍‌ ବିଜୟୀ ପାରି ଖେଳି ଦଳକୁ ଜିତାଇଛନ୍ତି। ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଥିବା ଋଷଭ ପନ୍ତ ଚଳିତ ସିଜିନରେ ଆଖିଦୃଶିଆ ପ୍ରଦର୍ଶନ କରି ପାରିନହାନ୍ତି। ଡିକେଙ୍କ ଦମଦାର ପ୍ରଦର୍ଶନ ଆଗରେ ପନ୍ତଙ୍କ ପ୍ରଦର୍ଶନ ଫିକା ପଡ଼ିଛି। ଯାହାକୁ ବିଚାର କଲେ ଡିକେ ଆଗାମୀ ଟି-୨୦ ବିଶ୍ବକପ୍‌ ଖେଳିବା ନେଇ ଆଶା ଉଜ୍ଜୀବିତ ହୋଇଛି। ଟିମ୍‌ ଇଣ୍ଡିଆର ଜଣେ ଷ୍ଟାର ପୂର୍ବତନ କ୍ରିକେଟର କହିଛନ୍ତି ଯେ, ଯଦି ଡିକେ ଏଭଳି ଦମଦାର ପ୍ରଦର୍ଶନ ଜାରି ରଖନ୍ତି। ତେବେ ତାଙ୍କୁ ଟିମ୍‌ ଇଣ୍ଡିଆର ନିୟମିତ ଓ୍ବିକେଟ କିପର ଭାବେ ଦଳରେ ସାମିଲ କରିବା ଉଚିତ୍।

ଚଳିତ ସିଜିନରେ ଡିକେଙ୍କ ଦମଦାର ବ୍ୟାଟିଂ କେବଳ ଆରସିବିର ବିଜୟରେ ମୁଖ୍ୟ ଭୂମିକା ସାଜି ନାହିଁ। ଆରସିବି ଯେତିକି ମ୍ୟାଚ୍‌ ଜିତିଛି ଡିକେ ନଟ୍‌ ଆଉଟ୍‌ ରହି ଦଳକୁ ବିଜୟ କରାଇଛନ୍ତି। ସେ ଖେଳିଥିବା ନଟ୍‌ ଆଉଟ୍‌ ଇନିଂସରେ ୨୦୨ ଷ୍ଟ୍ରାଇକ୍‌ରେଟରେ ରନ୍‌ ସଂଗ୍ରହ କରିଛନ୍ତି। ସନରାଇଜର୍ସ ହାଇଦ୍ରବାଦର ଶକ୍ତିଶାଳୀ ବୋଲିଂ ଆଟାକକୁ ବିଧ୍ବଂସ କରି ୮ ବଲରେ ୩୦ ରନ୍‌ର ଶାନଦାର ଇନିଂସ୍‌ ଖେଳିଥିଲେ ଡିକେ।

ଡିକେଙ୍କ ଏଭଳି ଶାନଦାର ପ୍ରଦର୍ଶନ ପରେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି। ଏପରିକି ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ବକପ୍‌ ପାଇଁ ଘୋଷଣା ହେବାକୁ ଥିବା ଭାରତୀୟ ଦଳରେ ଡିକେଙ୍କୁ ସାମିଲ କରାଯାଉ ବୋଲି କ୍ରିକେଟ ପ୍ରଶଂସକ ମାନେ ସୋସିଆଲ ମିଡିଆରେ ନିଜ ମତ ଜାହିର କରିଛନ୍ତି। ୨୦୦୪ରେ ଟିମ୍‌ ଇଣ୍ଡିଆ ପାଇିଁ ଡେବ୍ୟୁ କରିଥିଲେ। ହେଲେ ଖରାପ ପ୍ରଦର୍ଶନ ପାଇଁ ବହୁ ବାର ଟିମରୁ ବାଦ ପଡ଼ିଛନ୍ତି ମଧ୍ୟ ସେ। ଆଉ ଶାନଦାର କମ୍‌ବ୍ୟାକ୍‌ କରିଛନ୍ତି ମଧ୍ୟ ଡିକେ।

ଗୋଟିଏ ପଟେ ଡିକେ ଶାନଦାର ବ୍ୟାଟିଂ କରୁଥିବା ବେଳେ ଅନ୍ୟପଟେ ଟିମ୍‌ ଇଣ୍ଡିଆର ନିୟମିତ ଓ୍ବିକେଟ କିପର ବ୍ୟାଟସମ୍ୟାନ୍‌ ଋଷଭ ପନ୍ତ ଫ୍ୟାନ୍ସଙ୍କୁ ନିରାଶ କରିଛନ୍ତି। ଟପ୍‌ ଅର୍ଡରରେ ବ୍ୟାଟିଂ କରୁଥିବା ଋଷଭ ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ୍‌ ବିଜୟୀ ଇନିଂସ୍‌ ଖେଳି ନାହାନ୍ତି। ସବୁଠୁ ବଡ଼କଥା ହେଲା ଚଳିତ ସିଜିନରେ ପନ୍ତଙ୍କ ମାତ୍ର ଗୋଟିଏ ଅର୍ଦ୍ଧଶତକୀୟ ଇନିଂସ୍‌ ଖେଳିଛନ୍ତି। ସେ ଚଳିତ ସିଜିନରେ ୧୧ଟି ମ୍ୟାଚ୍‌ ଖେଳି ୧୫୨ ଷ୍ଟ୍ରାଇକ୍‌ରେଟର ୨୮୧ ରନ୍‌ କରିଛନ୍ତି। ଯଦି ବଳକା ଥିବା ମ୍ୟାଚରେ ପନ୍ତ ଆଖିଦୃଶିଆ ପ୍ରଦର୍ଶନ ନକରିପାରନ୍ତି ତେବେ ତାଙ୍କ ସ୍ଥାନ ଡିକେ ନେଇ ପାରନ୍ତି ବୋଲି କ୍ରିକେଟ ବିଶେଷଜ୍ଞ ମାନେ ନିଜ ମତ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.