Odisha Link
Bridging the Missing Links in Odisha

ଦେଓମାଳି କାହାର ? ତାରାଙ୍କ ପ୍ରଶ୍ନରେ ଦ୍ବନ୍ଦ ବଢ଼ାଇଲା ମନ୍ତ୍ରୀଙ୍କ ଉତ୍ତର

ଓଏଲ୍‌ ବ୍ୟୁରୋ: କୋଟିଆକୁ ନେଇ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ସୀମା ବିବାଦ ଲାଗି ରହିଥିବା ବେଳେ ଏବେ ଓଡ଼ିଶାର ଉଚ୍ଚତ୍ତମ ପର୍ବତ ଦେଓମାଳି କାହାର ବୋଲି ଉଠିଛି ପ୍ରଶ୍ନ। ସ୍କୁଲ ବେଳୁ ଛାତ୍ରଛାତ୍ରୀ ମାନେ ଓଡ଼ିଶାର ଉଚ୍ଚତମ ପର୍ବତ ଦେଓମାଳି ବୋଲି ପଢ଼ି ଆସିଛନ୍ତି। ହେଲେ ଏବେ ଦେଓମାଳି କାହାର ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।

ଶନିବାର ଦିନ ଦେଓମାଳି ବିକାଶ ପାଇଁ ସରକାରଙ୍କ ପଦକ୍ଷେପ ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ ପର୍ଯ୍ୟଟନ ମନ୍ତ୍ରୀ କହିଥିଲେ ଦେଓମାଳିର ସ୍ଥିତି ଦେଖିବାକୁ ପଡ଼ିବ। ବର୍ତ୍ତମାନ ଦେଓମାଳି ରାଜ୍ୟର ରାଜସ୍ଵ ଖାତାରେ ନାହିଁ କି ଜଙ୍ଗଲ ବିଭାଗ ଖାତାରେ ନାହିଁ ବୋଲି ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର କହିଥିଲେ।

ଉଭୟ କଂଗ୍ରେସ ଓ ବିଜେପି ଏନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିବା ସହ ତୁରନ୍ତ ସବୁ ପ୍ରକାର ତଥ୍ୟ ସଂଗ୍ରହ କରି ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ସେପଟେ ଆଜି ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱନୀ ପାତ୍ର ସଫେଇ ଦେଇ କହିଛନ୍ତି, ଯାହା ରେକର୍ଡ ଥିଲା ତାହା ଗୃହରେ ଉପସ୍ଥାପିତ କରିଛି। ତେବେ ସମଗ୍ର ସଂପତ୍ତି ଓଡ଼ିଶାର। ପର୍ବତମାଳରେ ଥିବା ଗାଁ ଗୁଡିକ ମଧ୍ୟ ଓଡ଼ିଶାର। ତେଣୁ କିଭଳି ଏହାକୁ ରେକର୍ଡକୁ ଅଣାଯିବ ସେ ନେଇ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ଗୋଟେ ପଟେ ଆନ୍ଧ୍ର କୋଟିଆକୁ ନେବା ପାଇଁ ବିଭିନ୍ନ ପ୍ରକାର ଯୋଜନା କାର୍ଯ୍ୟକାରୀ କରୁଛି। ଦେଓମାଳିରେ ଆନ୍ଧ୍ର ଅଧିକାରୀମାନେ ବୁଲୁଛନ୍ତି। ଦେଓମାଳି ସମୁଦ୍ର ପତନଠୁ ୫୦୦୦ କିଲୋ ମିଟର ଉର୍ଦ୍ଧ୍ବରେ ରହିଛି। କିନ୍ତୁ ପର୍ଯ୍ୟଟନ ମନ୍ତ୍ରୀ କିଭଳି ଜାଣିପାରିଲେନି ବୋଲି ପ୍ରଶ୍ନ କରିଥିଲେ।

ସୂଚନାଯୋଗ୍ୟ, କୋରାପୁଟ ଜିଲ୍ଲା କୋଟିଆକୁ ନେଇ ବିବାଦ ଲାଗି ରହିଛି। ଏହି ଅଞ୍ଚଳକୁ ନେବା ପାଇଁ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ସରକାର ରଣନୀତି ଆପଣାଇ ଚାଲିଛି। ଅନ୍ୟପକ୍ଷରେ ରତ୍ନଗର୍ଭା ଦେଓମାଳି ଆନ୍ଧ୍ରର ଲୋଲୁପ ଦୃଷ୍ଟିରେ, ତାହା କାହାକୁ ଅଛପା ନାହିଁ। କାରଣ ଗଲାବର୍ଷ ନଭେମ୍ବରରେ ଆନ୍ଧ୍ରର ୫୦ରୁ ଉର୍ଦ୍ଧ୍ବ ସରକାରୀ କର୍ମଚାରୀ ଦେଓମାଳି ବୁଲିବା ସହିତ ଭୋଜିଭାତ କରିଥିଲେ। ଏବେ ରାଜ୍ୟ ରେକର୍ଡରେ ଦେଓମାଳି ନଥିବା ଖବର ସାମ୍ନାକୁ ଆସିବା ପରେ ନୂଆ ସୀମା ବିବାଦ ଦେଖିବାକୁ ମିଳିଛି।

Leave A Reply

Your email address will not be published.