Odisha Link
Bridging the Missing Links in Odisha

ଓଡ଼ିଶାରେ ବନ୍ୟା, ପାଣି ଘେରରେ ୧୪୦୦ ଗାଁ

ଓଏଲ୍‌ ବ୍ୟୁରୋ: ହୀରାକୁଦ ଡ୍ୟାମର ୪୦ ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ। ଫଳରେ ଉଛୁଳୁଛି ମହାନଦୀ। ଅନ୍ୟପଟେ ରାଜ୍ୟରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି। କଟକ ମୁଣ୍ଡଳୀଠାରେ ମହାନଦୀରେ ୧୨ ଲକ୍ଷ କ୍ୟୁସେକରୁ ଅଧିକ ପାଣି ପାସ୍ କରୁଥିବାରୁ ଆଜି ଓ ଆସନ୍ତାକାଲି ପାଇଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି।

ଗତକାଲି ରାତିରୁ ହୀରାକୁଦର ୪୦ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ। ଏହି ପାଣି ମୁଣ୍ଡଳିରେ ପହଞ୍ଚିବାକୁ ୩୬ ଘଣ୍ଟା ଲାଗିବ। ଅର୍ଥାତ ଗତକାଲି ରାତିରୁ ହୀରାକୁଦ ଡ୍ୟାମରୁ ଛଡ଼ା ଯାଇଥିବା ପାଣି ଶୁକ୍ରବାର ସନ୍ଧ୍ୟାରେ ମୁଣ୍ଡଳିରେ ପହଞ୍ଚିବ ବୋଲି ଆକଳନ କରାଯାଉଛି। ତେବେ ଇତି ମଧ୍ୟରେ ମୁଣ୍ଡଳିରେ ଜଳସ୍ତର ଖସିବା ଆରମ୍ଭ କରିଥିବାରୁ ବେଶି ବିପଦ ଆଶଙ୍କା ନାହିଁ ବୋଲି କହିଛନ୍ତି ମୁଣ୍ଡଳି ବ୍ୟାରେଜ କର୍ତ୍ତୃପକ୍ଷ।

ତେବେ ଉପରମୁଣ୍ଡରେ ପୁଣି ବର୍ଷା ହେଲେ ବନ୍ୟା ଆଶଙ୍କା ଘନେଇପାରେ ବୋଲି କୁହାଯାଉଛି। ଏଣେ ବନ୍ୟା ପାଇଁ ପଶ୍ଚିମ ଓଡ଼ିଶାର ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ ସହ ଅନୁଗୁଳ, ନୟାଗଡ଼, ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଆଦି ୧୦ଟି ଜିଲ୍ଲାକୁ ଆଲର୍ଟରେ ରଖାଯାଇଛି।

ବନ୍ୟା ଫଳରେ ରେ ୧୦ଟି ଜିଲ୍ଲାର ୧୪୦୦ ଗ୍ରାମ ଏବେ ପାଣି ଘେରରେ। ପାଖାପାଖି ୨,୫୦,୦୦୦ ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟା ସ୍ଥିତିର ମୁକାବିଲା ପାଇଁ ପ୍ରଭାବିତ ଜିଲ୍ଲାରେ ୯ଟି ଏନଡିଆରଏଫ୍‌, ୯ଟି ଓଡ୍ରାଫ୍ ଓ ୪୪ଟି ଅଗ୍ନିଶମ ଟିମ୍ ମୁତୟନ କରାଯାଇଛି । ଜଗତସିଂହପୁର ଜିଲ୍ଲାର ସମସ୍ତ ସ୍କୁଲ ଏବଂ ନୟାଗଡ଼ ଜିଲ୍ଲାର ୩ଟି ବ୍ଲକ୍‌ର ୩୨ଟି ସ୍କୁଲକୁ ୨ ଦିନ ବନ୍ଦ ରଖିବାକୁ ଘୋଷଣା କରାଯାଇଛି । ଆବଶ୍ୟକ ହେଲେ ଅନ୍ୟ ସ୍ଥାନରେ ମଧ୍ୟ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.