Odisha Link
Bridging the Missing Links in Odisha

ଧାମନଗର ଉପନିର୍ବାଚନ: ସୂରଜ ବିଜୟୀ

ଓଏଲ୍‌ ବ୍ୟୁରୋ: ଧାମନଗର ଉପନିର୍ବାଚନରେ ବାଜି ମାରିଲେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ। ବିଜେଡି ପ୍ରାର୍ଥୀ ଅବନ୍ତି ଦାସଙ୍କୁ ହରାଇ ଧାମନଗର ଉପନିର୍ବାଚନରେ ବିଜୟୀ ହେଲେ ସୂରଜ। ସମସ୍ତ ରାଉଣ୍ଡରେ ଅବନ୍ତିଙ୍କୁ ପଛରେ ପକାଇ ବିଧାୟକ ଭାବେ ନିର୍ବାଚିତ ହେଲେ ସୂରଜ। ୯୮୮୧ ଖଣ୍ଡ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଛନ୍ତି ସୂରଜ। ଏଥିସହିତ ୨୦୦୯ରୁ ଧାମନଗର ବିଧାନସଭା ଆସନ ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷିତ ହେବା ପରଠୁ ସର୍ବାଧିକ ଭୋଟ୍ ବ୍ୟବଧାନରେ ଜିତିବାରେ ସୂରଜ ହେଉଛନ୍ତି ପ୍ରଥମ।

ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ବିଜେପିର ସୂରଜଙ୍କୁ ମୋଟ ୮୦୩୫୧ଟି (୪୯.୦୯%) ଭୋଟ୍ ମିଳିଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ଅବନ୍ତୀ ଦାସଙ୍କୁୁ ୭୦୪୭୦ଖଣ୍ଡ (୪୩.୦୫%)ଭୋଟ୍ ମିଳିଛି। ସେହିପରି କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କୁ ୩୫୬୧ଖଣ୍ଡ(୨.୧୮%) ଭୋଟ୍ ମିଳିଛି।

ତେବେ ବିଜେଡିର ବିଦ୍ରୋହୀ ତଥା ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସଙ୍କୁ ୮୧୫୩ଖଣ୍ଡ (୪.୯୮%) ଭୋଟ୍ ଓ ଅନ୍ୟଜଣେ ସ୍ୱାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାସଙ୍କୁ ୪୯୭ଖଣ୍ଡ ଭୋଟ୍ ମିଳିଛି। ସେହିପରି ନୋଟାରେ ୬୫୦ ଖଣ୍ଡ ଭୋଟ୍ ପଡ଼ିଛି। ଧାମନଗର ଉପନିର୍ବାଚନ ପାଇଁ ମୋଟ ୧ଲକ୍ଷ ୬୩ହଜାର ୧୬୪ଟି ଭୋଟ୍ ଇଭିଏମ୍ ମାଧ୍ୟମରେ ମିଳିଥିଲା। ସେହିପରି ୭୮୩ ଖଣ୍ଡ ଭୋଟ୍ ନାକାଚ୍ ହୋଇଛି।

୫୧୮ଟି ଭୋଟ୍ ପୋଷ୍ଟାଲ ବାଲାଟ୍ ମାଧ୍ୟମରେ ମିଳିଥିବା ମତଦାନ ମଧ୍ୟରୁ ସର୍ବାଧିକ ବିଜେପି ପ୍ରାର୍ଥୀ ସୂରଜଙ୍କ ସପକ୍ଷରେ ୨୬୧ଟି ପଡ଼ିଥିବାବେଳେ ବିଜେଡିର ଅବନ୍ତୀଙ୍କୁ ୧୮୨ଟି, କଂଗ୍ରେସର ବାବା ହରେକୃଷ୍ଣଙ୍କୁ ୨୮ଟି, ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ରଙ୍କୁୁ ୩୧ଟି, ସ୍ୱାଧୀନ ପ୍ରାର୍ଥୀ ପବିତ୍ର ମୋହନଙ୍କୁ ୧୫ଟି ଓ ନୋଟାରେ ୧ଟି ପଡ଼ିଛି ।

Leave A Reply

Your email address will not be published.