Odisha Link
Bridging the Missing Links in Odisha

ସମ୍‌ରେ ପେଡିଆଟ୍ରିକ୍‌ ସଲିଡ ଟ୍ୟୁମର୍‌ କର୍ମଶାଳା

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ଆଇ.ଏମ୍‌.ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ର ଅଙ୍କୋଲୋଜି ସାଇନ୍‌ସେସ୍‌ ବିଭାଗ ଆନୁକୂଲ୍ୟରେ ଏକ ଦୁଇ ଦିନିଆ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଅଛି। ଅକ୍ଟୋବର ୪ ଓ ୫ ତାରିଖ ଦୁଇଦିନ ଧରି ‘ମ୍ୟାନେଜମେଂଟ ଅଫ୍‌ ଉଇଲମସ ଟ୍ୟୁମର୍‌ ଆଣ୍ଡ ନ୍ୟୁରୋବ୍ଳାଷ୍ଟୋମା’ ଶୀର୍ଷକ ଏହି କର୍ମଶାଳାଟି ଆୟୋଜିତ ହୋଇଥିଲା। ମେଡିକାଲ ଅଙ୍କୋଲୋଜି, ପେଡିଆଟ୍ରିକ୍‌ ସର୍ଜରୀ ଓ ପେଡିଆଟ୍ରିକ୍‌ ଅଙ୍କୋଲୋଜି ବିଭାଗରେ କାର୍ଯ୍ୟରତ ଓଡିଶାର ବିଭିନ୍ନ ସ୍ଥାନରୁ ୬୦ରୁ ଉଦ୍ଧ୍ୱର୍ ଡାକ୍ତର ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ଜନ୍ମରୁ ୧୫ ବର୍ଷ ବୟସର ପିଲାମାନଙ୍କଠାରେ ଦେଖାଯାଉଥିବା ବୃକକ୍‌ ମଧ୍ୟରେ ହେଉଥିବା ଉଇଲମସ ଟ୍ୟୁମର୍‌ ଓ ପେଟର ଭିତର ଭାଗରେ ନ୍ୟୁରୋବ୍ଲାଷ୍ଟୋମା ଟ୍ୟୁମର୍‌ ଜାତୀୟ କର୍କଟ ରୋଗ ନିମନ୍ତେ ଅସ୍ତ୍ରୋପଚାର, ରେଡିଓଥେରାପି ଓ କେମୋଥେରାପି ମାଧ୍ୟମରେ କିପରି ସଫଳ ଚିକତ୍ସା ଦିଆଯାଇପାରୁଛି ତାହା ଥିଲା ଆଲୋଚନାର ମୁଖ୍ୟ ବିଷୟ।

ଟାଟା ମେମୋରିଆଲ ହସ୍ପିଟାଲ, ମୁମ୍ବାଇର ସଫଳ ଓ ସ୍ୱନାମଧନ୍ୟ ପେଡିଆଟ୍ରିକ୍‌ ଅଙ୍କୋସର୍ଜନ ପ୍ରଫେସର (ଡାକ୍ତର) ସାଜିଦ୍‌ କ୍ୟୁରେସି ୫ଜଣ ରୋଗୀଙ୍କ ଅତ୍ସୋପଚାର କରି ବିଶେଷଜ୍ଞ ମାନଙ୍କ ନିକଟରେ ଏହି ଅତ୍ୟାଧୁନିକ ଶୈଳୀକୁ ପ୍ରଦର୍ଶନ କରିଥିଲେ। ଏହାଛଡା ଚିକିତ୍ସା ବିଜ୍ଞାନର ଉନ୍ନତି ଓ ନୂତନଶୈଳୀ ପ୍ରୟୋଗରେ ପ୍ରଥମ ଅବସ୍ଥାରେ ରୋଗର ନିରୂପଣ , ନିଦାନ ଓ ଚିକିତ୍ସା ମାଧ୍ୟମରେ ରୋଗୀ କିପରି ୮୦ ରୁ ୯୦ ପ୍ରତିଶତ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ସ୍ୱାଭାବିକ ଜୀବନ ପାଇ ପାରିବ ତାହା ପେଡିଆଟ୍ରିକ୍‌ ଅଙ୍କୋଲୋଜି ବିଭାଗର ସଫଳ ଯୁବ (ଡାକ୍ତର) ପ୍ରଫେସର ସରୋଜ ପଣ୍ଡା ଓ ଡାକ୍ତର ନିର୍ମାଲ୍ୟ ଡି.ପ୍ରଧାନ ବୁଝାଇଥିଲେ ଓ ଏହା ଉପରେ ନୂତନ ସନ୍ଦର୍ଭ ପାଠ କରିଥିଲେ।

ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ମେଡିକାଲ୍‌ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର, ପ୍ରଫେସର (ଡାକ୍ତର) ସୋମ୍ୟ ସୁରଥ ପଣ୍ଡା, ପ୍ରଫେସର (ଡାକ୍ତର) ସୁନିଲ ଅଗ୍ରୱାଲା, ପ୍ରଫେସର(ଡାକ୍ତର) ଅନ୍ତର୍ଯ୍ୟାମୀ ପ୍ରଧାନ, ଉପନିର୍ଦ୍ଦେଶକ ପି.ଦାସ , ଉପନିର୍ଦ୍ଦେଶକ ଡଃ ଏଲ.ରଥ ଓ କାହ୍ନୁ ଚରଣ ସେଠୀ ପ୍ରମୁଖ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.