Odisha Link
Bridging the Missing Links in Odisha

ଛାତ୍ରଛାତ୍ରୀ ଆଇନ ବ୍ୟବସ୍ଥାକୁ ଅନୁଶୀଳନ କରିବା ଆବଶ୍ୟକ: ଦେବବ୍ରତ ଦାଶ

କେବଳ ଉତ୍ତମ ମାର୍କ ରଖି ଅନୁଷ୍ଠାନରୁ ପାସ୍‌ କରିବା ଏକମାତ୍ର ଲକ୍ଷ୍ୟ ନ ହୋଇ ସମାଜରେ ଘଟୁଥିବା ବିଷୟ ଗୁଡିକୁ ମଧ୍ୟ ଅନୁଧ୍ୟାନ ଓ ଅନୁଶୀଳନ କରି ନିଜର ଜ୍ଞାନ ଓ ଅଭିଜ୍ଞତା କୁ ବଳିଷ୍ଠ କରିବା ଦରକାର।

ଓଏଲ୍‌ ବ୍ୟୁରୋ : ଆଇନ ଛାତ୍ରଛାତ୍ରୀ ମାନେ ଆଇନ ସଂକ୍ରାନ୍ତୀୟ ପୁସ୍ତକ ଅଧ୍ୟୟନ କରିବା ସହିତ ସେମାନଙ୍କ ଚର୍ତୁଦିଗରେ ଘଟୁଥିବା ବିଭିନ୍ନ ବିଷୟକୁ ଗଭୀର ଭାବେ ଅନୁଶୀଳନ କରିବା ଆବଶ୍ୟକ ବୋଲି ରବିବାର ଓଡିଶା ହାଇକୋର୍ଟର ବିଚାରପତି ନ୍ୟାୟମୂର୍ତୀ ଦେବବ୍ରତ ଦାଶ କହିଛନ୍ତି। ଏହାଦ୍ୱାରା ସମାଜର ସ୍ଥିତିକୁ ସେମାନେ ଭଲ ଭାବରେ ବୁଝିବା ସହିତ ସେମାନଙ୍କର ଜ୍ଞାନର ପରିସୀମା ବୃଦ୍ଧି ପାଇବ ବୋଲି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) ପରିଚାଳିତ ନ୍ୟାସନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲ’ ରେ ନୂତନ ଭାବେ ପ୍ରବେଶ କରିଥିବା ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଆୟୋଜିତ ଦ୍ୱାଦଶତମ ଓରିଏଟେଂନ୍‌ସନ୍‌ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନ୍ୟାୟମୂର୍ତି ଦାଶ ମତ ରଖିଥିଲେ।

ସେ କହିଥିଲେ ଯେ ଛାତ୍ରଛାତ୍ରୀମାନେ ଆଇନ ବ୍ୟବସ୍ଥାକୁ ଅନୁଶୀଳନ କରିବା ସହ ଏହାର ଉଦ୍ଦେଶ୍ୟ ବୁଝିବା ଆବଶ୍ୟକ। କେବଳ ଉତ୍ତମ ମାର୍କ ରଖି ଅନୁଷ୍ଠାନରୁ ପାସ୍‌ କରିବା ଏକମାତ୍ର ଲକ୍ଷ୍ୟ ନ ହୋଇ ସମାଜରେ ଘଟୁଥିବା ବିଷୟ ଗୁଡିକୁ ମଧ୍ୟ ଅନୁଧ୍ୟାନ ଓ ଅନୁଶୀଳନ କରି ନିଜର ଜ୍ଞାନ ଓ ଅଭିଜ୍ଞତା କୁ ବଳିଷ୍ଠ କରିବା ଦରକାର। ଛାତ୍ରଛାତ୍ରୀମାନେ ବୁଝିବା ଆବଶ୍ୟକ ଯେ ସେମାନେ ପରୀକ୍ଷାରେ ପାଉଥିବା ମାର୍କ ଉପରେ ସେମାନଙ୍କର ଭବିଷ୍ୟତ ନିର୍ଭର କରେ ନାହିଁ । ମାତ୍ର ସେମାନେ ସେମାନଙ୍କର କାର୍ଯ୍ୟକ୍ଷେତ୍ରରେ କିପରି ପ୍ରଦର୍ଶନ କରୁଛନ୍ତି ତାହା ଉପରେ ନିର୍ଭର କରେ।

ସୋଆରେ ଯୋଗ ଦେଇଥିବା ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇ ସେ କହିଥିଲେ ଯେ ସେମାନେ ଏକ ଉତମ ଶିକ୍ଷାନୁଷ୍ଠାନକୁ ଅଧ୍ୟୟନ ନିମନ୍ତେ ଚୟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର (ଡକ୍ଟର) ପ୍ରଦୀପ୍ତ କୁମାର ନନ୍ଦ ସଭାପତିତ୍ୱ କରିଥିବା ବେଳେ ବରିଷ୍ଠ ଆଇନଜୀବୀ ସୂର୍ଯ୍ୟପ୍ରସାଦ ମିଶ୍ର ଓ ସଞ୍ଜିତ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନୁଷ୍ଠାନର ଡିନ୍‌ ପ୍ରଫେସର ଏସ୍‌.ଏ.କେ. ଆଜାଦ, ବରିଷ୍ଠ ପ୍ରଫେସର ଡକ୍ଟର ଜୟଦେବ ପତି ଓ ଡକ୍ଟର ପ୍ରବୀର କୁମାର ପଟ୍ଟନାୟକ ମଧ୍ୟ ଏହି କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖିଥିଲେ।

ଛାତ୍ରଛାତ୍ରୀମାନେ ଯୋଗ ଦେଇଥିବା ବିଭିନ୍ନ ପାଠ୍ୟକ୍ରମ ଗୁଡିକ ହେଲା ବିଏ ଏଲଏଲ ବି (ସମ୍ମାନ), ବିବିଏ ଏଲଏଲ ବି (ସମ୍ମାନ), ଏଲଏଲ ବି (ସମ୍ମାନ) ଓ ଏଲଏଲଏମ। ଓଡିଶାର ପ୍ରାକ୍ତନ ଆଡଭୋକେଟ୍‌ ଜେନେରାଲ ଭାବେ କାର୍ଯ୍ୟ କରିଥିବା ଶ୍ରୀ ମିଶ୍ର କହିଥିଲେ ଆଇନ ଶିକ୍ଷାର୍ଥୀମାନଙ୍କୁ ଜୀବନ ବ୍ୟାପୀ ଶିକ୍ଷା ଗ୍ରହଣ କରିବାକୁ ପଡିଥାଏ। ଜ୍ଞାନ, ଅଭିଜ୍ଞତାର ସହିତ ତାହାକୁ ବ୍ୟବହାର କରିବାର ଶକ୍ତି ଓ ବୁଦ୍ଧି ଦ୍ୱାରା ଜଣେ ଉତମ ଆଇନଜ୍ଞ ହୋଇପାରିବ।

ସେ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପୁସ୍ତକ ଅଧ୍ୟୟନ କରିବାକୁ ପରାମର୍ଶ ଦେଇ କହିଥିଲେ ଏହା ସେମାନଙ୍କର ଚିନ୍ତା ଶକ୍ତିକୁ ବଳିଷ୍ଠ କରିବ। ଏହାଛଡା ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଠାରୁ ସେମାନେ ଉପଦେଶ ଗ୍ରହଣ କରିବା ଆବଶ୍ୟକ ଓ ବିଭିନ୍ନ ଆଲୋଚନା ଚକ୍ର ଏବଂ ମୁଟ କୋର୍ଟ କାର୍ଯ୍ୟକ୍ରମରେ ମଧ୍ୟ ଭାଗନେବା ଜରୁରୀ ବୋଲି ସେ କହିଥିଲେ। ଶ୍ରୀ ମହାନ୍ତି କହିଥିଲେ ଆଇନ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନେ ଓକିଲାତି ଛଡା ସିଭିଲ୍‌ ସର୍ଭିସରେ ଯୋଗଦେଇ ପାରିବେ କିମ୍ବା କର୍ପୋରେଟ ସେକ୍ଟରରେ ମଧ୍ୟ କାର୍ଯ୍ୟ କରିପାରିବେ। ସେ ଛାତ୍ରଛାତୀମାନଙ୍କୁ ଏମ.କେ. ନମ୍ବିଆର, ପାଲକିଓ୍ୟାଲା, ସୋଲି ସୋରାବଜୀ ଓ ଫାଲି ନାରିମାନ ଭଳି ପ୍ରସିଦ୍ଧ ଆଇନ ବିଶାରଦ ମାନଙ୍କର ଜୀବନୀ ଅଧ୍ୟୟନ କରିବାକୁ ପରାମର୍ଶ ଦେଇଥିଲେ।

Leave A Reply

Your email address will not be published.