Odisha Link
Bridging the Missing Links in Odisha

ବ୍ୟାଙ୍କ ଅଧିକାରୀଙ୍କ ଜୀବନ ନେଲା ନ୍ୟୂଡ କଲ

ନ୍ୟୂଡ କଲ ଜାଲରେ ଫସି ବ୍ଲାକମେଲିଂର ଶିକାର ହୋଇ ନଦୀକୁ ଡେଇଁ ଜୀବନ ହାରିଲେ ବ୍ୟାଙ୍କ କର୍ମଚାରୀ।

ଓଏଲ୍‌ ବ୍ୟୁରୋ: ସୋସିଆଲ ମିଡିଆରେ ଘୁରିବୁଲୁଛନ୍ତି ବ୍ଲାକମେଲର। ନ୍ୟୂଡ କଲ ଜାଲରେ ଫସି ବ୍ଲାକମେଲିଂର ଶିକାର ହୋଇ ନଦୀକୁ ଡେଇଁ ଜୀବନ ହାରିଲେ ବ୍ୟାଙ୍କ କର୍ମଚାରୀ। ନ୍ୟୂଡ କଲ ପାଇଁ ବ୍ଲାକମେଲ ହେଉଥିଲେ ଏବଂ ସେଥିପାଇଁ ଲକ୍ଷାଧିକ ଟଙ୍କା ମଧ୍ୟ ଦେଇଥିଲେ। ଶେଷରେ ସେ ମାନସିକ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ।

ଘଟଣାଟି ଘଟିଥିଲା ସୁବର୍ଣ୍ଣପୁର ଜିଲ୍ଲାରେ ଏବଂ ଆତ୍ମହତ୍ୟା କରିଥିବା ଯୁବକ ହେଉଛନ୍ତି ଦିବ୍ୟରଞ୍ଜନ ମିଶ୍ର। ଦିବ୍ୟରଞ୍ଜନ ବରପାଲି ସ୍ଥିତ ଏକ ବ୍ୟାଙ୍କରେ କାମ କରୁଥିଲେ। ଗତ ଅଗଷ୍ଟ ୮ରେ ଡୁଙ୍ଗୁରିପାଲି ନିକଟ ଚେରୁପାଲୀ ଅଙ୍ଗନଦୀକୁ ଡେଇଁ ଦିବ୍ୟରଞ୍ଜନ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା ପରେ ତାଙ୍କ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଏବଂ ବିଭିନ୍ନ ଆକାଉଣ୍ଟକୁ ଲକ୍ଷାଧିକ ଟଙ୍କା ପଠାଇଥିବା କଥା ପୋଲିସକୁ ପରିବାର ଲୋକେ ସୂଚନା ଦେଇଥିଲେ। ପରେ ପୋଲିସ ତଦନ୍ତ କରିଥିଲା ଏବଂ ତଦନ୍ତରେ ନ୍ୟୂଡ କଲ ହୋଇଥିବା କଥା ପୋଲିସ ଜାଣିବାକୁ ପାଇଥିଲା।

ରାଜସ୍ଥାନର ଏକ ଗ୍ୟାଙ୍ଗ ଦିବ୍ୟରଞ୍ଜନଙ୍କୁ ନ୍ୟୁଡ୍‌ କଲ୍‌ କରି ବ୍ଲାକ୍‌ମେଲ୍‌ କରିବା ସହ ୪୦ଟି ପର୍ଯ୍ୟାୟରେ ୨୬ ଲକ୍ଷ ଟଙ୍କା ନେଇଯାଇଥିଲେ। ଶେଷରେ ମାନସିକ ଚାପଗ୍ରସ୍ତ ହୋଇ ଦିବ୍ୟରଞ୍ଜନ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିବା ପୋଲିସ କହିଛି। ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ସୁବର୍ଣ୍ଣପୁର ପୋଲିସ ଗିରଫ କରିବା ପରେ ଘଟଣା ଉପରୁ ପରଦା ହଟିଛି।

Leave A Reply

Your email address will not be published.