Odisha Link
Bridging the Missing Links in Odisha

ବନ୍ଧା ହେଲେ ୧୨ ଆଇନଜୀବୀ, ସମ୍ବଲପୁର କଚେରି ଛକରେ ୧୪୪ ଧାରା

ଓଏଲ୍‌ ବ୍ୟୁରୋ: ଓକିଲଙ୍କୁ ଆନ୍ଦୋଳନ କରିବା ପଡ଼ିଲା ମହଙ୍ଗା। ବିଚାରପତିଙ୍କ ଚାମ୍ବରରେ ପଶି ଭଙ୍ଗାରୁଜା କରିବା ଘଟଣାରେ ୧୨ ଜଣଙ୍କୁ ବାନ୍ଧିଛି ସମ୍ବଲପୁର ପୁଲିସ। ସେମାନଙ୍କ ମଧ୍ୟରୁ ଜାମିନ ନାମଞ୍ଜୁର ହେବାରୁ ୯ ଜଣଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଆଗକୁ ଗିରଫଦାରୀ ଆହୁରି ବଢ଼ିପାରେ ବୋଲି ସୂଚନା ଦେଇଛନ୍ତି ସମ୍ବଲପୁର ଏସ୍‌ପି ବି. ଗଙ୍ଗାଧର ।

ଏଥିସହ ଆନ୍ଦୋଳନସ୍ଥଳ କଚେରି ଛକରେ ୧୪୪ ଧାରା ଲାଗୁ କରାଯାଇଛି। ଆନ୍ଦୋଳନସ୍ଥଳରେ ୨ଶହ ମିଟର ପରିସର ମଧ୍ୟରେ ପ୍ରବେଶ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।

ଏହି ଘଟଣାକୁ ନେଇ ତୁମ୍ବିତୋଫାନ ହେବା ସହ ଗତକାଲି ରାଜ୍ୟ ପୁଲିସକୁ କଡ଼ା ଭର୍ତ୍ସନା କରିଥିଲେ ସୁପ୍ରିମକୋର୍ଟ। ଏହାପରେ ସମ୍ବଲପୁର ପୁଲିସ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଗତକାଲି ରାତିରେ ୧୨ ଜଣଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୯ ଜଣଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ସମ୍ବଲପୁରରେ ହାଇକୋର୍ଟ ପ୍ରତିଷ୍ଠା ଦାବିକୁ ନେଇ ଓକିଲମାନେ ଦୀର୍ଘ ଦିନ ହେଲା ଆନ୍ଦୋଳନ ଚଳାଇ ଆସିଥିବା ବେଳେ ଗତକାଲି ଏହା ତୀବ୍ର ରୂପ ଧାରଣ କରିଥିଲା। ବହୁ ସଂଖ୍ୟାରେ ଓକିଲ  ବିଚାରପତିଙ୍କ ଚାମ୍ବରରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ। ଏହି ଅଭିଯୋଗରେ  ସମ୍ବଲପୁର ଜିଲ୍ଲା ବାର  ଆସୋସିଏସନର ୨୯ ଜଣ ଆଇନଜୀବୀଙ୍କ ଲାଇସେନ୍ସ ସସ୍ପେଣ୍ଡ କରିଛି ବାର୍ କାଉନ୍ସିଲ୍ ଅଫ ଇଣ୍ଡିଆ ।

Leave A Reply

Your email address will not be published.