Odisha Link
Bridging the Missing Links in Odisha

ଅନୁଗୁଳରେ ରେଳ ପ୍ରକଳ୍ପର ଶୁଭାରମ୍ଭ ଓ କେଭି- ୨ କ୍ୟାମ୍ପସ ପାଇଁ ଭୂମିପୂଜନ କଲେ କେନ୍ଦ୍ରମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ଆର୍ଥିକ ସହାୟତା ସତ୍ତ୍ୱେ ରାଜ୍ୟ ସରକାର ତାଳଚେର ମେଡିକାଲ କଲେଜର ପରିଚାଳନା ଦାୟିତ୍ୱ ନନେବା ଦୁର୍ଭାଗ୍ୟଜନକ ବୋଲି ଗୁରୁବାର ଅନୁଗୁଳରେ ବିଭିନ୍ନ ରେଳ ପ୍ରକଳ୍ପର ଶୁଭାରମ୍ଭ ଓ ଅନୁଗୋଳ କେଭି- ୨ କ୍ୟାମ୍ପସ ପାଇଁ ଭୂମିପୂଜନ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅନୁଗୋଳ ଠାରେ ଅନୁଗୋଳ-ବଳରାମ ନୂତନ ରେଳ ଲାଇନ ଏବଂ ସମ୍ବଲପୁର-ଶାଲିମାର(କଲିକତା) ଏକ୍ସପ୍ରେସର ଉଦଘାଟନ କରିଥିଲେ । ଏହାବ୍ୟତିତ ରାଣୀଗୁଡା ଠାରେ ଅନୁଗୋଳ କେଭି-୨ର ସ୍ଥାୟୀ କ୍ୟାମ୍ପସ ପାଇଁ ଭୂମିପୂଜନ କରିଥିଲେ କେନ୍ଦ୍ରମନ୍ତ୍ରୀ । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ତାଳଚେର ମେଡିକାଲ କଲେଜ କରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଅନେକ ସମୟରେ ଷ୍ଟ୍ରାଇକ କରାଯାଇ କୋଇଲା ଉତ୍ପାଦନକୁ ବନ୍ଦ କରାଯାଉଥିଲା । ଏହି ଦାବୀକୁ ମଧ୍ୟ ମୋଦି ସରକାର ପୂରଣ କଲେ । ମେଡିକାଲ ପରିଚାଳନା ବାବଦକୁ ୧୦ ବର୍ଷର ପାଇଁ ଆର୍ଥିକ ସହାୟତା ଦେବା ପାଇଁ ରାଜ୍ୟ ସରକାରଙ୍କ ଅନୁମତିକୁ ମଧ୍ୟ କେନ୍ଦ୍ର କୋଇଲା ମନ୍ତ୍ରୀ ସ୍ୱୀକୃତି କଲେ । ଏହା ସତ୍ତ୍ୱେ ରାଜ୍ୟ ସରକାର ତାଳଚେର ମେଡିକାଲ କଲେଜର ପରିଚାଳନା କରିବା ପାଇଁ ଦରଖାସ୍ତ ନକରିବା ଦୁର୍ଭାଗ୍ୟଜନକ ।

ପ୍ରଧାନମନ୍ତ୍ରୀଙ୍କ ବିଶେଷ ନୀତି କାରଣରୁ ଖଣି ନିଲାମରେ ରାଜ୍ୟକୁ ପ୍ରଚୁର ରାଜସ୍ୱ ଆସୁଛି । ପୂର୍ବରୁ ଓଡ଼ିଶାକୁ କେବଳ ୫,୦୦୦ କୋଟି ରାଜସ୍ୱ ମିଳୁଥିଲା । ପ୍ରଧାନମନ୍ତ୍ରୀଙ୍କ ବିଶେଷ ନୀତି କାରଣରୁ ଓଡ଼ିଶାକୁ ଆଜି ୫୦,୦୦୦ କୋଟି ଟଙ୍କାର ରାଜସ୍ୱ ମିଳୁଛି । ଜନଜାତି ଓ ଗରିବଙ୍କ ବିକାଶ ପାଇଁ ଗଠିତ ଡିଏମଏଫରେ ଓଡ଼ିଶାକୁ ବାର୍ଷିକ ପ୍ରାୟ ୧୫,୦୦୦ ଏବଂ ଅନୁଗୋଳ ପ୍ରାୟ ୮୦୦ କୋଟି ଟଙ୍କା ପାଉଛି । କିନ୍ତୁ ଏହି ଅର୍ଥକୁ ସାମାଜିକ କଲ୍ୟାଣ ପାଇଁ ବିନିଯୋଗ କରିବା ପରିବର୍ତ୍ତେ ବିନା ଟେଣ୍ଡରରେ ଏ ଅର୍ଥର ଦୁରୂପଯୋଗ କରିବା ଦୁଃଖର ବିଷୟ । ମୁଖ୍ୟମନ୍ତ୍ରୀ ମାଛ ତେଲରେ ପଛେ ମାଛ ଭାଜନ୍ତୁ କିନ୍ତୁ ଓଡ଼ିଆ ଲୋକଙ୍କ ବିକାଶ ପାଇଁ କାମ କରନ୍ତୁ ବୋଲି ସେ କହିଛନ୍ତି ।

ରେଳ ପ୍ରକଳ୍ପ ପ୍ରସଙ୍ଗରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ତାଙ୍କ ଅନୁରୋଧକୁ ରଖି ସମ୍ବଲପୁର-ଶାଲିମାର (କଲିକତା) ମଧ୍ୟରେ ଶୁଭାରମ୍ଭ ହୋଇଥିବା ନୂତନ ଏକ୍ସପ୍ରେସକୁ ମହିମା ଗୋସାଇଁଙ୍କ ନାମରେ ନାମିତ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ । ଏହିଏକ୍ସପ୍ରେସ ରେଢ଼ାଖୋଲ, ବୋଇଣ୍ଡା, ଅନୁଗୋଳ, ତାଳଚେର, ଢେଙ୍କାନାଳ ଦେଇ ଯାତାୟତ କରିବ । ଏହି ପଦକ୍ଷେପ ଯାତ୍ରୀ ମାନଙ୍କ ଯାତାୟତ ସୁବିଧାକୁ ସହଜ କରିବ । କଲିକତା ଓ ଓଡ଼ିଶା ମଧ୍ୟରେ ବାଣିଜ୍ୟ କାରବାର ଏବଂ ଲୋକସମ୍ପର୍କକୁ ମଜଭୂତ୍ କରିବାର ନୂଆ ମାଧ୍ୟମ ହେବ । ଶିଳ୍ପସମୃଦ୍ଧ ଅଞ୍ଚଳ ଅନୁଗୋଳରେ ୧୪ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଅନୁଗୋଳ -ବଳରାମ ନୂତନ ରେଳ ଲାଇନ ପଣ୍ୟ କାରବାର ବିଶେଷ ଭାବେ କୋଇଲା ପରିବହନ ପାଇଁ ବିଶେଷ ସହାୟକ ହେବ । କୋଇଲା ପରିବହନ ସୁଗମ ହେବା ସଙ୍ଗେସଙ୍ଗେ ସ୍ଥାନୀୟ ଓ ଦେଶର ଅର୍ଥନୀତି ଆହୁରି ସଶକ୍ତ ହେବ । ଦେଶର ଆର୍ଥିକ ବିକାଶରେ ନୂତନ ଅଧ୍ୟାୟ ଯୋଡିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.