Odisha Link
Bridging the Missing Links in Odisha

ଜାନୁଆରୀ ୨୭ରେ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ

ପ୍ରଧାନମନ୍ତ୍ରୀ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଛାତ୍ର, ଶିକ୍ଷକ ଓ ଅବିଭାବକଙ୍କ ସହ ଆଲୋଚନା କରି ପରୀକ୍ଷା ବେଳେ ଥିବା ବିଭିନ୍ନ ସମସ୍ୟାରୁ କିଭଳି ମୁକ୍ତି ମିଳିବ ତାହା ଉପରେ ପରାମର୍ଶ

ଓଏଲ୍ ବ୍ୟୁରୋ : ଛାତ୍ରଛାତ୍ରୀଙ୍କ ପରୀକ୍ଷାକୁ ନେଇ ପରାମର୍ଶ ଦେବେ ପ୍ରଧାନମନ୍ତ୍ରୀ। ଜାନୁଆରୀ ୨୭ ତାରିଖରେ ଆୟୋଜିତ ହେବ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ। ଯେଉଁଥିରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ଛାତ୍ର, ଶିକ୍ଷକ ଓ ଅବିଭାବକମାନଙ୍କୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ବୋଧିତ କରିବେ। ଏହି କାର୍ଯ୍ୟକ୍ରମ ହେବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ପ୍ରଧାନମନ୍ତ୍ରୀ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଛାତ୍ର, ଶିକ୍ଷକ ଓ ଅବିଭାବକଙ୍କ ସହ ଆଲୋଚନା କରି ପରୀକ୍ଷା ବେଳେ ଥିବା ବିଭିନ୍ନ ସମସ୍ୟାରୁ କିଭଳି ମୁକ୍ତି ମିଳିବ ତାହା ଉପରେ ପରାମର୍ଶ ଦେବେ। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଶିକ୍ଷାମନ୍ତ୍ରଣାଳୟ ତରଫରୁ ଭାଗନେବାକୁ ଆହ୍ୱାନ ଦିଆଯାଇଛି। ପରୀକ୍ଷାର୍ଥୀମାନେ ପରୀକ୍ଷା ସମୟରେ ମନରେ ଥିବା ଭୟକୁ ଦୂରକରିବା ଓ ଏହାକୁ ଏକ ପର୍ବଭଳି ପାଳନ କରିବାର ମନ୍ତ୍ର ଏହି କାର୍ଯ୍ୟକ୍ରମରୁ ପାଆନ୍ତୁ ବୋଲି କୁହାଯାଇଛି। ପ୍ରତିବର୍ଷ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ, ଛାତ୍ରଛାତ୍ରୀ ଉପକୃତ ହେବା ପାଇଁ ଆୟୋଜିତ ହୋଇଆସୁଥିବାବେଳେ ଏବର୍ଷ ମଧ୍ୟ ଏହା ଅନୁଷ୍ଠିତ ହେବାକୁ ଯାଉଛି।