Odisha Link
Bridging the Missing Links in Odisha

ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ହକି ବିଶ୍ୱକପକୁ ଦୃଷ୍ଟିରେ ରଖି ମାତ୍ର ୧୫ ମାସ ମଧ୍ୟରେ ନିର୍ମିତ ହୋଇଛି ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମ

ଓଏଲ୍‌ ବ୍ୟୁରୋ : ହକି ବିଶ୍ୱକପ ୨୦୨୩କୁ ନେଇ ଉତ୍ସାହିତ ହକିପ୍ରେମୀ। ଜାନୁଆରୀ ୧୩ ତାରିଖରୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱକପ। ଏହି ହକି ବିଶ୍ୱକପ ପାଇଁ ଭାରତର ବଡ ହକି ଷ୍ଟାଡିୟମର ମାନ୍ୟତା ପାଇଥିବା ବିର୍ସାମୁଣ୍ଡା ହକି ଷ୍ଟାଡିୟମକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଆଜି ରାଉରକେଲା ଠାରେ ବିଶ୍ବର ସର୍ବବୃହତ ହକି ଷ୍ଟାଡିଅମ, ବିର୍ସା ମୁଣ୍ଡା ହକି ଷ୍ଟାଡିଅମ ଆନୁଷ୍ଠାନିକ ଭାବେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ହକି ମ୍ୟାଚ ରାଜଧାନୀ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯିବ ବୋଲି ସୂଚନା ମିଳିଛି। ହକି ବିଶ୍ୱକପକୁ ଦୃଷ୍ଟିରେ ରଖି ମାତ୍ର ୧୫ ମାସ ମଧ୍ୟରେ ନିର୍ମିତ ହୋଇଛି ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମ।

ସୂଚନା ଅନୁସାରେ ରାଉରକେଲାରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶହ ଶହ ହକି ଖେଳାଳି ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ। ରାଉରକେଲାର ନବନିର୍ମିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭାରତୀୟ ହକି ଖେଳାଳି ହକି ବିଶ୍ବକପ୍ ଜିତିଲେ ପ୍ରତି ଖେଳାଳିଙ୍କୁ କୋଟିଏ ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ରାଉରକେଲାରେ ଖେଳାଳିଙ୍କୁ ଭେଟିବା ଅବସରରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ଏହି ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ୨୦ ହଜାରରୁ ଅଧିକ ଦର୍ଶକ ବସିବାର କ୍ଷମତା ଥିବା ସହ ଉଭୟ ଖେଳାଳୀ ଏବଂ ଦର୍ଶକଙ୍କ ପାଇଁ ସବୁପ୍ରକାରର ସୁବିଧା ଏହି ଷ୍ଟାଡିୟମରେ ରହିଛି। ଏହା ସହ ସୁନ୍ଦରଗଡରେ ମେଡିକାଲ କଲେଜ ଓ ହସ୍ପିଟାଲ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ଗମନାଗମନର ସୁବିଧା କରିବା ପାଇଁ ରାଉରକେଲାରେ ମୋ ବସ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ।

Leave A Reply

Your email address will not be published.