Odisha Link
Bridging the Missing Links in Odisha

ଯୁବ ଶକ୍ତିର ପ୍ରତୀକ ବିଶ୍ୱ ବିଜୟୀ ବିବେକାନନ୍ଦ

"ଦିନକୁ ଥରେ ନିଜ ସହ କଥା ହୁଅ, ନଚେତ୍ ତୁମେ ବିଶ୍ଵର ସର୍ବ ଉତ୍କୃଷ୍ଟ ମଣିଷକୁ ଭେଟିବାର ସୁଯୋଗ ହରାଇ ବସିବ" ଏହିଭଳି ସ୍ୱାମୀ ବିବେକାନନ୍ଦନଙ୍କର ଅନେକ ଚେତନା ଯୁବ ସମାଜ ପାଇଁ ପ୍ରେରଣାଦାୟୀ

ଓଏଲ୍‌ ବ୍ୟୁରୋ : ବିଶ୍ୱ ବିଜୟୀ ସ୍ୱାମୀ ବିବେକାନନ୍ଦ ଯିଏକି ଯୁବ ଶକ୍ତିର ପ୍ରତୀକ। ବିଶ୍ୱ ଦରବାରରେ ଆଜି ବି ଯାହାର ଗୁଣ ଗାନ ହୋଇଥାଏ। ବିଶେଷ ଦାର୍ଶନିକ ତଥା ଅନେକ ଜ୍ଞାନର ଅଧିକାରୀ ସ୍ୱାମୀ ବିବେକାନନ୍ଦ। ଭାରତର ଆଧ୍ୟାତ୍ମିକ ଜାଗରଣର ଗୁରୁ ଭାବେ ବେଶ ପରିଚିତ ସ୍ୱାମୀ ବିବେକାନନ୍ଦ।

୧୮୬୩ ମସିହା ଜାନୁଆରି ୧୨ ତାରିଖରେ  କୋଲକାତାଠାରେ ଜନ୍ମ ହୋଇଥିଲେ ନରେନ୍ଦ୍ର ନାଥ ଦତ୍ତ। ଆଧ୍ୟାତ୍ମିକ ଗୁରୁ ରାମକୃଷ୍ଣ ପରମହଂସଙ୍କର ଶିଷ୍ୟ ହେବା ପରେ ସେ ସ୍ବାମୀ ବିବେକାନନ୍ଦ ନାମ ଗ୍ରହଣ କରିଥିଲେ। ସ୍ୱାମୀ ବିବେକାନନ୍ଦ ବିଶ୍ୱଦରବାରରେ ସନାତନ ଧର୍ମକୁ ପରିଚିତ କରାଇବା ସହ ବିଶ୍ବର ଏକ ପ୍ରମୁଖ ଧର୍ମ ଭାବେ ଉପସ୍ଥାପନ କରିବାରେ ସଫଳ ହୋଇଥିଲେ। ବେଦାନ୍ତ ଓ ଯୋଗ ଦର୍ଶନ ତାଙ୍କ ଲାଗି ଅନ୍ତର୍ଜାତୀୟ ସ୍ତରରେ ଲୋକପ୍ରିୟ ହୋଇଥିଲା।

୧୮୯୩ରେ ଆୟୋଜିତ ଚିକାଗୋ ବିଶ୍ବ ଧର୍ମ ମହାସଭାରେ ‘ଆମେରିକାର ଭାଇ ଓ ଭଉଣୀମାନେ’ ସମ୍ବୋଧନ କରି ପ୍ରଦାନ କରିଥିବା ସ୍ବଳ୍ପ ଅବଧିର ବକ୍ତବ୍ୟ ମାଧ୍ୟମରେ ଯୁବ ବିବେକାନନ୍ଦ ସଭିଙ୍କୁ ଚମତ୍କୃତ କରିଦେଇଥିବା ଆଜି ବି ସମସ୍ତଙ୍କ ମନରେ ଲିଖିତ। ଭାରତୀୟ ହିନ୍ଦୁ ସଂସ୍କାର ଅଭିଯାନର ସମସ୍ତ ଶ୍ରେୟ ସ୍ୱାମୀ ବିବେକାନନ୍ଦର କାର୍ଯ୍ୟ ଯୋଗୁଁ ହୋଇଥିବାବେଳେ ରାମକୃଷ୍ଣ ମଠ ଓ ରାମକୃଷ୍ଣ ମିସନ ଭଳି ସଂଗଠନର ସ୍ଥାପନାକାରୀ ଥିଲେ।

ଯୁବ ସମାଜ ପାଇଁ ଆଦର୍ଶ ସ୍ୱାମୀ ବିବେକାନନ୍ଦ। ତେଣୁ ବିଶ୍ୱ ବିଜୟୀ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶ ଓ ଦର୍ଶନକୁ ସ୍ମରଣ କରିବା ଲାଗି ୧୯୮୫ ମସିହାରୁ ପ୍ରତି ବର୍ଷ ଜାନୁଆରୀ ୧୨କୁ ତାଙ୍କ ଜନ୍ମଦିନ ଉପଲକ୍ଷେ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଉଛି। ସନ୍ୟାସ ଧାରଣା କରିଥିବା ସ୍ୱାମୀ ବିବେକାନନ୍ଦ ୧୯୦୨ ଜୁଲାଇ ୪ ତାରିଖରେ ମାତ୍ର ୩୯ ବର୍ଷ ବୟସରେ ପରଲୋକ ଘଟିଥିଲା। ସେ ଛାଡ଼ିଯାଇଥିବା ସାମାଜିକ, ରାଜନୈତିକ ଓ ଆଧ୍ୟାତ୍ମିକ ଛାପ ଭାରତୀୟମାନଙ୍କୁ ସ୍ବାଧୀନତାଚେତା କରିବାରେ ବଳିଷ୍ଠ ଭୂମିକା ଗ୍ରହଣ କରିଥିଲା।

ସେ ଭାରତ ସମେତ ଆମେରିକା, ଇଂଲାଣ୍ଡ୍ ଆଦି ଦେଶର ଲୋକଙ୍କୁ ବ୍ରିଟିସ୍ ଶାସନାଧୀନ ଭାରତୀୟଙ୍କର ଦୁର୍ଦ୍ଦଶା ସମ୍ପର୍କରେ ଅବଗତ କରିଥିଲେ। ସ୍ୱାମୀ ବିବେକାନନ୍ଦର ପ୍ରତିଟି ଚେତନା ଯୁବ ସମାଜ ପାଇଁ ପ୍ରେରଣାଦାୟୀ ହୋଇ ରହିଛି। “ଦିନକୁ ଥରେ ନିଜ ସହ କଥା ହୁଅ, ନଚେତ୍ ତୁମେ ବିଶ୍ଵର ସର୍ବ ଉତ୍କୃଷ୍ଟ ମଣିଷକୁ ଭେଟିବାର ସୁଯୋଗ ହରାଇ ବସିବ” ଏହିଭଳି ସ୍ୱାମୀ ବିବେକାନନ୍ଦନଙ୍କର ଅନେକ ଚେତନା ଯୁବ ସମାଜ ପାଇଁ ପ୍ରେରଣାଦାୟୀ ହୋଇ ରହିଛି।

Leave A Reply

Your email address will not be published.