ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ ବୈଠକ
୧୦ରୁ ଅଧିକ ପ୍ରସ୍ତାବ ଉପରେ କ୍ୟାବିନେଟରେ ଆଲୋଚନା ହେବ।

ଓଏଲ୍ ବ୍ୟୁରୋ : ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ ବୈଠକ। ସନ୍ଧ୍ୟା ୫.୩୦ରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ ବୋଲି ସୂଚନା ମିଳିଛି। ତେବେ ରାଜ୍ୟ କ୍ୟାବିନେଟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ ବୈଠକରେ ବିଭିନ୍ନ ପ୍ରସ୍ତାବ ଉପରେ ମୋହର ବାଜିବ। ୧୦ରୁ ଅଧିକ ପ୍ରସ୍ତାବ ଉପରେ କ୍ୟାବିନେଟରେ ଆଲୋଚନା ହେବ। ଭିତିଭୂମି ସୁଦୃଢ ହେବା ପାଇଁ ବୈଠକରେ ମୁଖ୍ୟ ଗୁରୁତ୍ୱ ରହିବ ବୋଲି କୁହାଯାଉଛି।
ପୂର୍ବରୁ ଜାନୁଆରୀ ୨୩ରେ ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ବୈଠକରେ ୧୨ଟି ପ୍ରସ୍ତାବ ଉପରେ ମୋହର ବାଜିଥିବା ଜଣା ପଡିଥିଲା। ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ ଇନ ଏଡ୍ ବୃଦ୍ଧି କରାଯାଇଥିଲା। ଗ୍ରାମୀଣ ପାଇପ ଜଳ ଯୋଗାଣରେ ୨ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଥିବାବେଳେ ଯାଜପୁରର ବରୀ ଓ କୋରେଇ ବ୍ଲକରେ ଏହି ପ୍ରକଳ୍ପ ହେବା ପାଇଁ ଅନୁମତି ମିଳିଥିଲା।
ବରୀ ଓ କୋରେଇ ବ୍ଲକରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ କାର୍ୟ୍ୟ ୫ ବର୍ଷରେ ଶେଷ ହେବ ବୋଲି ଜଣା ପଡିଥିଲା। ନୟାଗଡ଼ର ଦଶପଲ୍ଲା, ଗଣିଆ ଓ ନୂଆଗାଁରେ ୩ଟି ପାନୀୟଜଳ ପ୍ରକଳ୍ପ ଏବଂ ମାଲକାନଗିରିର ୪ଟି ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁର ପ୍ରଦାନ କରିଥିଲା। ବାଗ୍ଚୀ ଶ୍ରୀଶଙ୍କର କ୍ୟାନ୍ସର କେୟାର ସେଣ୍ଟରକୁ କର୍କଟ ରୋଗୀଙ୍କ ଆବାସ ପାଇଁ ୨ ଏକର ମାଗଣା ଜମି ପ୍ରଦାନ କରାଯାଇଥିବା ସୂଚନା ମିଳିଥିଲା। ଆହୁରି ଅନେକ ଆଇନ ସଂଶୋଧନକୁ ଅନୁମୋଦନ ମିଳିଥିଲା। ତେବେ ଆଜି ହେବାକୁ ଥିବା ବୈଠକରେ ୧୦ରୁ ଅଧିକ ପ୍ରସ୍ତାବ ଉପରେ ମୋହର ବାଜିବ ବୋଲି କୁହାଯାଉଛି।