ଝାରସୁଗୁଡା ଉପ-ନିର୍ବାଚନ: ନାମାଙ୍କନପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ
ସାଂସଦ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଗଠିତ ପ୍ରଚାର କମିଟିରେ ରହିଛନ୍ତି ୧୪ ସଦସ୍ୟ।

ଓଏଲ୍ ବ୍ୟୁରୋ: ପାଖେଇ ଆସୁଛି ଝାରସୁଗୁଡା ଉପ-ନିର୍ବାଚନ ପ୍ରକ୍ରିୟା। ମେ’୧୦ ତାରିଖରେ ଅନୁଷ୍ଠିତ ହେବ ଝାରସୁଗୁଡ଼ା ଉପନିର୍ବାଚନ। ଏଥିପାଇଁ ଜୋରଦାର ପ୍ରସ୍ତୁତି କରୁଛନ୍ତି ତିନି ରାଜନୈତିକ ଦଳ। କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ନାମାଙ୍କନପତ୍ର ଦାଖଲ କରିସାରିଥିବା ବେଳେ ଆଜି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଆଜି ନାମାଙ୍କନ ଦାଖଲ କରିଛନ୍ତି। ସେହିପରି ଆସନ୍ତାକାଲି ବିଜେଡି ପ୍ରାର୍ଥିନୀ ଦୀପାଳି ଦାସ ନାମାଙ୍କନ ଦାଖଲ କରିବେ ବୋଲି ସୂଚନା ମିଳିଛି।
ପୂର୍ବରୁ ବିଜେଡି ନିର୍ବାଚନକୁ ନଜରରେ ରଖି ଦଳର କର୍ମୀଙ୍କ ମଧ୍ୟରେ ଗୁରୁ ଦାୟିତ୍ବ ବାଣ୍ଟି ସାରିଥିବା ବେଳେ ବିଜେପି ମଧ୍ୟ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ୨ଟି କମିଟି ଗଠନ କଲା। ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କ ଅଧ୍ୟକ୍ଷତାରେ ଗଠିତ ନିର୍ବାଚନ ପରିଚାଳନା କମିଟିରେ ରହିଛନ୍ତି ୮ ଜଣ ସଦସ୍ୟ। ସେହିପରି ସାଂସଦ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଗଠିତ ପ୍ରଚାର କମିଟିରେ ରହିଛନ୍ତି ୧୪ ସଦସ୍ୟ। ନିର୍ବାଚନ ପରିଚାଳନା କମିଟିରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ପୂର୍ବତନ ରାଜ୍ୟ ସଭାପତି କେ.ଭି. ସିଂଦେଓ, ସାଂସଦ ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ରବି ନାରାୟଣ ନାୟକ ଏବଂ ଗୋଲକ ମହାପାତ୍ର ରହିଛନ୍ତି।
ସେହିପରି ପ୍ରଚାର କମିଟିରେ ରହିଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ, ସଂଗୀତା ସିଂଦେଓ, ନିତେଶ ଗଙ୍ଗଦେବ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ବିଧାୟକ ଶଙ୍କର ଓରାମ, ନାଉରୀ ନାୟକ, ସୁବାଷ ପାଣିଗ୍ରାହୀ, ନିତ୍ୟାନନ୍ଦ ଗଣ୍ଡ, ଭବାନୀ ଶଙ୍କର ଭୋଇ, କୁସୁମ ଟେଟେ, ମୁକେଶ ମହାଲିଙ୍ଗ, ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଏବଂ ରଂଜନ କୁମାର ପଟେଲ୍।