Odisha Link
Bridging the Missing Links in Odisha

ପୁଣିଥରେ ଓଡ଼ିଶା ଆସୁଛନ୍ତି ମମତା, ଆହତଙ୍କୁ ଭେଟିବେ

ଓଏଲ ବ୍ୟୁରୋ: ବାହାନଗା ରେଳ ଟ୍ରାଜେଡି ପରେ ଦ୍ବିତୀୟ ଥର ପାଇଁ ଆଜି ଓଡ଼ିଶା ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପଶ୍ଚିମବଙ୍ଗର ଆହତ ଯାତ୍ରୀଙ୍କ ସମ୍ପର୍କରେ ବିସ୍ତୃତ ସୂଚନା ନେବାକୁ ସେ ଓଡ଼ିଶା ଆସୁଥିବା ଜଣାପଡ଼ିଛି। ପଶ୍ଚିମବଙ୍ଗର ଯେଉଁ ଆହତ ଯାତ୍ରୀମାନେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି, ସେମାନଙ୍କୁ ମମତା ବାନାର୍ଜୀ ଭେଟିବେ।

ଏଥିସହିତ ମମତା ବାନାର୍ଜୀଙ୍କ ସହିତ ଏକ ଟିମ୍ ବି ମଧ୍ୟ ଆସିବ। ସେହି ଟିମ୍ ଭୁବନେଶ୍ୱରକୁ ଯାଇ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଥିବା ଆହତଙ୍କ ଚିକିତ୍ସାର ଅନୁଧ୍ୟାନ କରିବ।

ମିଳିଥିବା ସୂଚନା ମୁତାବକ, ଅପରାହ୍ନ ୨ଟାରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ପଡ଼ିଆରେ ହୋଇଥିବା ହେଲିପ୍ୟାଡରେ ଓହ୍ଲାଇବେ ମମତା। ସେଠାରୁ ସେ କାରରେ ଏସସିବି ଯିବେ। ସେଠାରେ ଚିକିତ୍ସାଧୀନ ୫୮ ଯାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବେ।

ମମତା ବାନାର୍ଜୀଙ୍କ ସହ ପଶ୍ଚିମବଙ୍ଗର ଦୁଇ ମନ୍ତ୍ରୀ ମଧ୍ୟ ଓଡ଼ିଶା ଆସୁଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପଶ୍ଚିମବଙ୍ଗର ଯେଉଁ ଯାତ୍ରୀଙ୍କ ମୃତ୍ୟୁ ହୋଇଛି, ଗତକାଲି ହାୱାଡ଼ାରେ ସେମାନଙ୍କର ମୃତଦେହ ପହଞ୍ଚିବା ପରେ ଶେଷ ଦର୍ଶନ କରିଥିଲେ ମମତା ବାନାର୍ଜୀ।

ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହିତ ମୃତକଙ୍କ ପରିବାରକୁ ୫ ଲକ୍ଷ, ଆହତଙ୍କୁ ୨ ଲକ୍ଷ ଟଙ୍କା ଲେଖାଏ ଓ ସାମାନ୍ୟ ଆହତଙ୍କୁ ୫୦ ଓ ୨୫ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯିବ। ଏହା ସହିତ ମୃତକଙ୍କ ପରିବାରର ଜଣକୁ ହୋମଗାର୍ଡ ଭାବେ ଚାକିରି ଦେବାକୁ ଘୋଷଣା କରିଛନ୍ତି ମମତା ବାନାର୍ଜୀ। ସେହିପରି ସମସ୍ତ ମୃତାହତଙ୍କ ପରିବାରକୁ ମାଗଣା ରାସନ ଦିଆଯିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.