Odisha Link
Bridging the Missing Links in Odisha

ବାହାନଗାରେ ସିବିଆଇର ସ୍ବତନ୍ତ୍ର ଟିମ୍‌ 

ଓଏଲ୍‌ ବ୍ୟୁରୋ: ଭାରତୀୟ ରେଳବାଇ ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ଶୁକ୍ରବାର ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାର ତଦନ୍ତ ସିବିଆଇ କରିବ ବୋଲି ସୁପାରିସ କରିଛି। ଯାହାରିଫଳରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ଏକ ଟିମ୍‌ ବାଲେଶ୍ବରରେ ପହଞ୍ଚିସାରିଛନ୍ତି। ମିଳିଥିବା ରିପୋର୍ଟ ମୁତାବକ, ସିବିଆଇର ୧୦ଜଣିଆ ଟିମ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି।

ବାହାନଗା ରେଳ ଦୁର୍ଘଟଣାରେ ସିବିଆଇ ତଦନ୍ତ ସୁପାରିଶ କରାଯାଇଥିଲା। ଏହା ପରେ ଏକ ଟିମ୍ ଘଟଣାସ୍ଥଳରେ ପହଂଚିଛି। ଘଟଣାର ପ୍ରାଥମିକ ଯାଂଚ ଆରମ୍ଭ କରିଛନ୍ତି ସିବିଆଇ ଅଧିକାରୀ। କେଉଁ ପରିସ୍ଥିତିରେ ଏପରି ଏକ ବଡ଼ ଦୁର୍ଘଟଣା ଘଟିଲା? ଏହି ଦୁର୍ଘଟଣା ପଛରେ କୌଣସି ଅପରାଧିକ ଷଡଯନ୍ତ୍ର ରହିଛି କି? ସିବିଆଇ ଅଧିକାରୀମାନେ ଏସବୁର ଯାଞ୍ଚ କରିବେ। ପ୍ରାଥମିକ ଅନୁସନ୍ଧାନ ପରେ ସିବିଆଇ ମାମଲା ରୁଜୁ କରିବ ବୋଲି ଜଣାପଡ଼ିଛି।

ରବିବାର ଦିନ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଥିଲେ ଯେ, ଦୁର୍ଘଟଣାର ମୂଳକାରଣ ଓ ଏହା ପଛରେ ଥିବା ଅପରାଧୀଙ୍କୁ ଚିହ୍ନଟ କରାଯାଇ ସାରିଛି। ଖୁବଶୀଘ୍ର ବିସ୍ତୃତ ରିବୋର୍ଟ ଆସିବ। ପଏଣ୍ଟ ମେସିନର ସେଟିଂକୁ ବଦଳାଇ ଦିଆଯାଇଥିଲା। କେମିତି ଓ କାହିଁକି ଏପରି କରାଯାଇଥିଲା, ତା’ର ଖୁଲାସା ତଦନ୍ତ ବେଳେ ସାମ୍ନାକୁ ଆସିବ ବୋଲି ସେ କହିଥିଲେ।

ଅନ୍ୟପଟେ ରେଳବାଇ ବୋର୍ଡ ପ୍ରାଥମିକ ତଦନ୍ତରେ ହିଁ କରମଣ୍ଡଳ ଏକ୍ସପ୍ରେସର ଲୋକୋ ପାଇଲଟଙ୍କୁ କ୍ଲିନଚିଟ ଦେଇ ସାରିଛି। ଦୁର୍ଘଟଣା ଇଣ୍ଟରଲକିଂ ବ୍ୟବସ୍ଥାରେ ପରିବର୍ତ୍ତନ ଯୋଗୁ ହୋଇଛି। କରମଣ୍ଡଳ ଏକ୍ସପ୍ରେସ କ୍ଷମତା ଠାରୁ ଅଧିକ ଜୋରରେ ଯାଉ ନଥିଲା। ଏଥିସହ ଟ୍ରେନକୁ ମୁଖ୍ୟ ଲାଇନରେ ଯିବାକୁ ମଧ୍ୟ ଅନୁମତି ମିଳିଥିଲା। କିନ୍ତୁ ଏହା କୌଣସି ନିର୍ଦ୍ଦିଷ୍ଟ କାରଣ ନଥାଇ ଲୁପ ଲାଇନରେ ପ୍ରବେଶ କରିଥିବା ବୋର୍ଡ କହିଛି।

Leave A Reply

Your email address will not be published.