‘ପ୍ରତିଶ୍ରୁତି ଆଧାରରେ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ’
କୋର୍ଟର ଏହି ରାୟ ପରେ ଚର୍ଚ୍ଚା ଜୋର ଧରିଛି

ଓଏଲ୍ ବ୍ୟୁରୋ: ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ପରେ ବିବାହ ନକରିବା ନେଇ ଅନେକ ଅଭିଯୋଗ ସାମ୍ନାକୁ ଆସିଥାଏ। ଏଭଳି ଅଭିଯୋଗକୁ ନେଇ ଓଡ଼ିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। କୌଣସି ମନ୍ଦ ଉଦ୍ଦେଶ୍ୟ ନଥାଇ ବିବାହ ପ୍ରତିଶ୍ରୁତି ଆଧାରରେ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ ବୋଲି କୋର୍ଟ ରାୟ ଦେଇଛନ୍ତି। ଯଦି ଉଭୟ ପକ୍ଷ ମଧ୍ୟରେ ଭଲ ସମ୍ପର୍କ ଥିବା ବେଳେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖି କୌଣସି କାରଣରୁ ପ୍ରତିଶ୍ରୁତି ପାଳନ କରିନପାରିଲେ ଏହା ଦୁଷ୍କର୍ମ ନୁହେଁ ବୋଲି ଓଡ଼ିଶା ହାଇକୋର୍ଟ ରାୟ ଦେଇଛନ୍ତି। ତେବେ କୋର୍ଟର ଏହି ରାୟ ପରେ ଚର୍ଚ୍ଚା ଜୋର ଧରିଛି।
ଖବର ଅନୁସାରେ, ଭୁବନେଶ୍ୱରର ଜଣେ ମହିଳା ତାଙ୍କ ପୁରୁଷ ବନ୍ଧୁଙ୍କ ବିରୋଧରେ ସ୍ଥାନୀୟ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ ଯେ, ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ପରେ ତାଙ୍କ ସହ ପୁରୁଷ ବନ୍ଧୁ ବିବାହ କରିନଥିଲେ। ଏହି ଅଭିଯୋଗ କ୍ରମେ ପୁଲିସ ପୁରୁଷ ବନ୍ଧୁ ମନୋରଂଜନ ଦାସଙ୍କ ବିରୋଧରେ ଧାରା ୩୭୬ରେ ମାମାଲା ରୁଜୁ କରିଥିଲା।
ଯୁବତୀଙ୍କ ଅଭିଯୋଗ ପରେ ମନୋରଂଜନ ଦାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ବିଚାରପତି ଜଷ୍ଟିସ୍ ରାଧାକୃଷ୍ଣ ପଟ୍ଟନାୟକ ଏହି ମାମଲାର ଶୁଣାଣି କରି କହିଛନ୍ତି ବିବାହ ପାଇଁ ଭଲ ମନରେ ଜଣଙ୍କୁ ପ୍ରତିଶ୍ରୁତି ଦେଇ ପରେ ଭାଙ୍ଗିଦେବା ଏବଂ ବିବାହ ପାଇଁ ମିଥ୍ୟା ପ୍ରତିଶ୍ରୁତି ଦେବା କେବେ ସମାନ କଥା ନୁହେଁ। ତେଣୁ ଏହି ମାମଲାରେ ଆବେଦନକାରୀଙ୍କ ବିରୋଧରେ ଦଫା ୩୬୭ ଲାଗୁ ହୋଇପାରିବ ନାହିଁ ବୋଲି ହାଇକୋର୍ଟ ମତଦେଇଛନ୍ତି।