ଦିଲ୍ଲୀରେ ବିପଦ ସୃଷ୍ଟି କରିଛି ଯମୁନା ନଦୀ, ରବିବାର ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ
ଅତ୍ୟାବଶକ ସେବାରେ ଥିଲେ କର୍ମଚାରୀ ଅଫିସ୍ ଆସିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି

ଓଏଲ୍ ବ୍ୟୁରୋ: ଦିଲ୍ଲୀର ଅନେକ ଅଂଚଳରେ ଭୟଙ୍କର ସ୍ଥିତି ଦେଖିବାକୁ ମିଳିଛି। ଚାରିଆଡେ ପଶିଲାଣି ପାଣି, ଉଛୁଳିଲାଣି ଯମୁନା ନଦୀ। ପ୍ରବଳ ବର୍ଷା ଯୋଗୁଁ ସମଗ୍ର ଉତ୍ତର ଭାରତ ବେହାଲ ଥିବା ବେଳେ ଏବେ ରାଜଧାନୀ ଦିଲ୍ଳୀ ପାଇଁ ଯମୁନା ନଦୀ ବିପଦ ସୃଷ୍ଟି କରିଛି। ନଦୀ ପାଣି ଉଛୁଳି ଏବେ ଦିଲ୍ଳୀର ତଳିଆ ଅଞ୍ଚଳରେ ପଶିବା ଆରମ୍ଭ କରିଛି। ଉତ୍ତର ଦିଲ୍ଲୀର ରିଙ୍ଗରୋଡ୍ ଉପରେ ପ୍ରବାହିତ ହେଉଛି। ଫଳରେ ଟ୍ରାଫିକ୍ ଜାମ୍ ହେବା ସହ ବହୁ ଅଞ୍ଚଳ ଜଳବନ୍ଦୀ ହୋଇଗଲାଣି।
ସ୍ତିତି ଅନୁଧ୍ୟାନ କରିବା ପରେ ରବିବାର ଯାଏ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ପାଇଁ ନିର୍ଦେଶ ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ୩ ଦିନ ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟ ବନ୍ଦ ରହିବା ସହ ସରକାରୀ ଅଫିସକୁ ୱାର୍କ ଫ୍ରମ ହୋମ କରିବାକୁ ଘୋଷଣା କରାଯାଇଛି। ଅତ୍ୟାବଶକ ସେବାରେ ଥିଲେ କର୍ମଚାରୀ ଅଫିସ୍ ଆସିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି।
ଖବର ଅନୁସାରେ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ଙ୍କ ବାସଭବନଠାରୁ ମାତ୍ର ୫୦୦ ମିଟର୍ ଦୂର ସିଭିଲ୍ ଲାଇନ୍ ଅଞ୍ଚଳରେ ଥିବା ରିଙ୍ଗ୍ ରୋଡ୍ରେ ବି ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ସେହିପରି, କେଜ୍ରିୱାଲ୍ଙ୍କ ଦିଲ୍ଲୀ ସେକ୍ରେଟେରିଏଟ୍ ହାଉସିଙ୍ଗ୍ ଅଫିସ୍, ତାଙ୍କ କ୍ୟାବିନେଟ୍ ଓ ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ବାସଭବନରେ ମଧ୍ୟ ବନ୍ୟାଜଳ ପ୍ରବେଶ କରିଛି। ଜଳସ୍ତର ହ୍ରାସ ପାଇଁ ଉଦ୍ୟମ ଚାଲିଥିବାବେଳେ ସ୍ଥାନୀୟ ଲୋକ ହନ୍ତସନ୍ତ ହେଉଛନ୍ତି।