Odisha Link
Bridging the Missing Links in Odisha

ମୋଦି ଉପନାମ ମାମଲା: ଆବେଦନକାରୀ ପୂର୍ଣ୍ଣେଶ ମୋଦିଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

ଅଗଷ୍ଟ ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ

ଓଏଲ୍‌ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ମୋଦି ସରନେମ ମନ୍ତବ୍ୟ ମାମଲାକୁ ନେଇ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି। ମାମଲାର ଆବେଦନକାରୀ ପୂର୍ଣ୍ଣେଶ ମୋଦି ଓ ଗୁଜରାଟ ସରକାରଙ୍କୁ ସୁପ୍ରିମକୋର୍ଟ ନୋଟିସ କରିଛନ୍ତି। ଅଗଷ୍ଟ ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ବୋଲି ସୂଚନା ଜାରି କରାଯାଇଅଛି।

ସୂଚନା ଅନୁସାରେ, ସବୁ ଚୋର କାହିଁକି ମୋଦି ସାଙ୍ଗିଆ ବହନ କରିଛନ୍ତି ବୋଲି ୨୦୧୯ ଏପ୍ରିଲ୍‌ରେ ରାଜନୈତିକ ପ୍ରଚାର ଅଭିଯାନ ବେଳେ ରାହୁଲ୍‌ ଗାନ୍ଧୀ ମନ୍ତବ୍ୟ ଦେଇଥିଲେ। ତେବେ ଏହି ମାନହାନି ମାମଲାକୁ ନେଇ କୋର୍ଟରେ କେଶ ଦାଏର ହୋଇଥିଲା। ଉପରୋକ୍ତ ମନ୍ତବ୍ୟ ଦେଇଥିବାରୁ ରାହୁଲ୍‌ଙ୍କ ନାଁରେ ‘ବିଜେପି’ ବିଧାୟକ ତଥା ପୂର୍ବତନ ଗୁଜରାଟ ମନ୍ତ୍ରୀ ପୂର୍ଣ୍ଣେଶ ମୋଦୀ ଅଭିଯୋଗ ଦାଏର କରିଥିଲେ।

ଏହି ମନ୍ତବ୍ୟ ସମଗ୍ର ମୋଦୀ ସମ୍ପ୍ରଦାୟର ମାନହାନି କରିଛି ବୋଲି ଅଭିଯୋଗରେ ଉଲ୍ଲେଖ କରାଯାଇଥିଲା। ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ କର୍ଣ୍ଣାଟକର କୋଲାର୍‌ଠାରେ ଆୟୋଜିତ ରାଲିରେ ଉଦ୍‌ବୋଧନ ଦେବା ବେଳେ ରାହୁଲ୍‌ ଗାନ୍ଧୀ ‘ମୋଦୀ’ ସାଙ୍ଗିଆକୁ ବିଦ୍ରୂପ କରି ଏଭଳି ଅସମ୍ମାନଜନକ ମନ୍ତବ୍ୟ ଦେଇଥିଲେ।

ଉପରୋକ୍ତ ମାମଲାର ଶୁଣାଣି କରି ଗୁଜରାଟର ସୁରତ ଜିଲ୍ଲାସ୍ଥିତ ଏକ ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଜେଲ୍ ଦଣ୍ଡାଦେଶ ଦେଇଥିଲେ। ପରେ କଂଗ୍ରେସର ସାଂସଦ ରାହୁଲ ଗାନ୍ଧିଙ୍କ ଲୋକସଭା ସାଂସଦ ପଦ ରଦ୍ଦ ହୋଇଥିଲା। କୋର୍ଟଙ୍କ ଦ୍ବାରା ଦଣ୍ଡାଦେଶ ଘୋଷଣା ପରେ ସଦସ୍ୟତା ରଦ୍ଦ ହୋଇଥିବା ସୂଚନା ମିଳିଥିଲା। ଚିଫ୍ ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌ ଏଚ୍. ଏଚ୍‌. ବର୍ମାଙ୍କ ଅଦାଲତ କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀଙ୍କୁ ୨ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଥିଲେ। ‘ଆଇପିସି’ ଧାରା ୫୦୪ ଅନୁଯାୟୀ ରାହୁଲ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି।