Odisha Link
Bridging the Missing Links in Odisha

ସଂସଦର ମୌସୁମୀ ଅଧିବେଶନ: ବିରୋଧୀଙ୍କ ହଟ୍ଟଗୋଳ, ଆରମ୍ଭରୁ ଗୃହ କାର୍ଯ୍ୟ ଅଚଳ

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲିଠୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ପ୍ରଥମଥର ପାଇଁ ନବନିର୍ମିତ ସଂସଦ ଭବନରେ ଅଧିବେଶନ ଅନୁଷ୍ଠିତ ହୋଇଛି। ଗତକାଲି ଏହି ଅବସରରେ ସଂସଦର ଉଭୟ ସଦନରେ ଦିବଂଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଦିନ ୧୨ଟା ପର୍ଯ୍ୟନ୍ତ ରାଜ୍ୟସଭା, ୨ଟା ପର୍ଯ୍ୟନ୍ତ ଲୋକସଭା ମୁଲତବୀ ରଖାଯାଇଥିଲା। ପରେ ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ କାରଣରୁ ଆଜି ଦିନ ୧୧ଟା ଯାଏଁ ଗୃହ ମୁଲତବୀ ରଖାଯାଇଥିଲା। ତେବେ ଆଜି ପୁଣି ଗୃହ ଅଚଳ ହୋଇପଡିଛି। ମଣିପୁର ଘଟଣାକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ କାରଣରୁ ଗୃହ ଅପରାହ୍ନ ୨.୩୦ ଯାଏଁ ମୁଲତବୀ ଘୋଷଣା କରାଯାଇଛି।

ଅନ୍ୟପଟେ, ସରକାର ‌ମୌସୁମୀ ଅଧିବେଶନରେ ୩୧ ବିଲ୍‌ ଆଗତ କରିବେ। ତଥ୍ୟ ସୁରକ୍ଷା ବିଲ୍‌, ୟୁସିସି (ସମାନ ନାଗରିକ ସଂହିତା), ଦିଲ୍ଲୀ ଅଧ୍ୟାଦେଶ ଏବଂ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ବିଲ୍‌ ସମେତ ମୋଟ୍‌ ୩୧ଟି ବିଲ୍‌ ମୌସୁମୀ ଅଧିବେଶନରେ ଆଗତ ହୋଇପାରେ। ତେବେ ଦିଲ୍ଲୀ ଅଧ୍ୟାଦେଶ ଏବଂ ୟୁସିସି ଉପରେ ସମସ୍ତଙ୍କ ନଜର ରହିଛି। ଏହି ପ୍ରସଙ୍ଗରେ ମୌସୁମୀ ଅଧିବେଶନ ସରଗରମ ରହିବ ବୋଲି ଅନୁମାନ କରାଯାଉଛି।

ସଂସଦରେ ଓଡ଼ିଶାର ଦାବି ଉଠାଇବ ବିଜେଡି:

ମୌସୁମୀ ଅଧିବେଶନରେ ସଂସଦରେ ଉଠିବ ଓଡ଼ିଶାର ଦାବି। ୯ଟି ପ୍ରସଙ୍ଗକୁ ଗୃହରେ ଉଠାଇବା ପାଇଁ ବିଜେଡି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ମହିଳା ସଂରକ୍ଷଣ ବିଲ୍, ସ୍ବତନ୍ତ୍ର ଫୋକସ୍ ରାଜ୍ୟ ମାନ୍ୟତା ଦାବି ଏବଂ ପିଏମଜିକେଏଓ୍ବାଇରେ ୭ ଲକ୍ଷ ଲୋକଙ୍କ ପାଇଁ ଘର ଏବଂ ପିଏମଏଓ୍ବାଇରେ ୫ କେଜି ଚାଉଳ ପୁଣି ଦେବାକୁ ଦାବି ଉଠାଇବ। ଚାଷୀଙ୍କ ସ୍ବାର୍ଥ ପାଇଁ ବଳକା ଚାଉଳ ଉଠାଣ, ଏମଏସପି ଏବଂ ଠିକ୍ ସମୟରେ ଫସଲ କିଣାବିକା ପ୍ରସଙ୍ଗ ସଂସଦରେ ଉଠାଇବ ବିଜେଡି। ଏଥିସହ ସାର ଯୋଗାଣ, ଯୋଗାଯୋଗ ଭିତ୍ତିଭୂମି, କେନ୍ଦୁପତ୍ରରୁ ୧୮ ପ୍ରତିଶତ ଜିଏସଟି ହଟାଇବା ନେଇ ଗୃହରେ ଦାବି ଉଠାଯିବ।

Leave A Reply

Your email address will not be published.