ଖୋଲିବ ହୀରାକୁଦ ଡ୍ୟାମ୍, ସତର୍କ ଘଣ୍ଟି ବଜାଇଲେ କର୍ତ୍ତୃପକ୍ଷ
ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି
ଓଏଲ୍ ବ୍ୟୁରୋ: ରାଜ୍ୟରେ ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ତା ସହିତ ମୌସୁମୀର ନିମ୍ନଚାପ ରେଖା ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର-ପଶ୍ଚିମ ପାର୍ଶ୍ଵବର୍ତ୍ତୀ ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପ୍ରଭାବରେ ହୀରାକୁଦ ଜଳ ଭଣ୍ଡାରରେ ଜଳସ୍ତର ବଢ଼ିବାରେ ଲାଗିଛି।
ସୂଚନା ଅନୁସାରେ, ଜୁଲାଇ ୨୩ରେ ହୀରାକୁଦ ଡ୍ୟାମ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରିବ। ହୀରାକୁଦ ବନ୍ୟା ଜଳ ଛଡ଼ାଯିବା ପୂର୍ବରୁ ସତର୍କ କରାଉଛି ଡ୍ୟାମ୍ କର୍ତ୍ତୃପକ୍ଷ। ସମ୍ବଲପୁର, ହୀରାକୁଦ ଓ ବୁର୍ଲାରେ ମାଇକ୍ ଯୋଗେ ସତର୍କ କରାଯାଇଛି। ବନ୍ୟା ଜଳ ଛାଡ଼ିବା ବେଳେ ମହାନଦୀ ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।
ଅନ୍ୟପଟେ, ଆଜି ଜଳଭଣ୍ଡାରର ଜଳସ୍ତର ୬୧୩ ଫୁଟ ଛୁଇଁଛି। ହୀରାକୁଦକୁ ୧ ଲକ୍ଷ ୪୦ ହଜାର ୫୭୫ କ୍ୟୁସେକ ଜଳ ପ୍ରବେଶ କରୁଛି। ହୀରାକୁଦରୁ ୪୦ ହଜାର ୨୭୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଆସନ୍ତା ରବିବାର ସକାଳ ୯ଟାରେ ପୂଜାର୍ଚ୍ଚନା ପରେ ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହେବ। ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ଏଥିପାଇଁ ସତର୍କତା ଜାରି କରିଛନ୍ତି।