Odisha Link
Bridging the Missing Links in Odisha

ନୟାଗଡ଼ରେ ୫-ଟି ସଚିବ, ଦାବି ଦୋହରାଇଲା ବିକାଶ ମଞ୍ଚ

ଜିଲ୍ଲାର ନିର୍ବାଚିତ ନେତାମାନେ ରାସ୍ତାଘାଟ, କୋଠାବାଡ଼ି ଓ ଉଦ୍ୟାନ ନିର୍ମାଣରେ ଅଧିକ ଆଗ୍ରହ ଦେଖାଉଥିବାବେଳେ କୃଷକଙ୍କ ବିକାଶ ସାଙ୍ଗକୁ ଜିଲ୍ଲାର ସାଂସ୍କୃତିକ, ଶୈକ୍ଷିକ ଓ ଅର୍ଥନୈତିକ ବିକାଶ ଜରୁରୀ

ନୟାଗଡ଼: ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ତାଙ୍କର ପ୍ରତିନିଧି ଭାବେ ନୟାଗଡ଼ ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ସମସ୍ୟା ଜାଣିବା ଓ ସେ ସବୁର ସମାଧାନ ପାଇଁ ବାଟ ତିଆରି କରିବା ଲକ୍ଷ୍ୟରେ ଦୁଇଦିନିଆ ନୟାଗଡ଼ ଜିଲ୍ଲା ଗସ୍ତରେ ଆସିଛନ୍ତି ଭି କାର୍ତିକେୟ ପାଣ୍ଡିଆନ୍। ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା ୫-ଟି ସଚିବ ଶ୍ରୀ ପାଣ୍ଡିଆନ୍‌ଙ୍କ ଗସ୍ତ ଅବସରରେ ଜିଲ୍ଲାର ବିଭିନ୍ନ ଦାବି ନେଇ ତାଙ୍କର ଦୃଷ୍ଟି ଆକର୍ଷଣ କରିଛି ନୟାଗଡ଼ ବିକାଶ ମଞ୍ଚ।

ଦୀର୍ଘ ଦିନ ଧରି ଜିଲ୍ଲାର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ପାଖରେ ଅଳି କରି ଆସୁଥିବା ନୟାଗଡ଼ ବିକାଶ ମଞ୍ଚ ଆଜି ମେଲ୍‌ ଯୋଗେ ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କୁ ପୁଣିଥରେ ପୁରୁଣା ଦାବି ମନେ ପକାଇ ଦେଇଛନ୍ତି। ଜିଲ୍ଲା ଗସ୍ତ ଅବସରରେ ଶ୍ରୀ ପାଣ୍ଡିଆନ୍‌ ଏହି ଦାବି ଉପରେ ଗୁରୁତ୍ବାରୋପ କରିବେ ବୋଲି ଆଶା କରିଛନ୍ତି ବିକାଶ ମଞ୍ଚର ଆବାହକ ତଥା ଜଣାଶୁଣା ଲେଖକ ଶୁଭ୍ରାଂଶୁ ପଣ୍ଡା। ଆଜି ପ୍ରତ୍ୟୁଷରେ ନିମ୍ନଲିଖିତ ପ୍ରସଙ୍ଗ ଉପରେ ଦାବି ଜଣାଇ ମେଲ ପଠାଇଛନ୍ତି ଶ୍ରୀ ପଣ୍ଡା।

ବିଶ୍ବର ବିସ୍ମୟ ବ୍ୟକ୍ତିତ୍ବ ପଠାଣି ସାମନ୍ତଙ୍କର ଖଣ୍ଡପଡ଼ାସ୍ଥିତ ଜନ୍ମପୀଠ ଅତ୍ୟନ୍ତ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଥିବା ବେଳେ ଏହାକୁ ଏକ ଜାତୀୟ ଐତିହ୍ୟ ସ୍ମାରକୀରେ ପରିଣତ କରାଯାଉ ବୋଲି ଶ୍ରୀ ପଣ୍ଡା ଦାବି କରିଛନ୍ତି। ସେହିପରି ନୟାଗଡ଼ ଛେନାପୋଡ଼କୁ ଭୌଗୋଳିକ ସୂଚକାଙ୍କ (ଜିଆଇ) ମାନ୍ୟତା ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ସହ ଛେନାପୋଡ଼ କାରିଗରଙ୍କ ପାଇଁ ଏକ କ୍ଲଷ୍ଟର ନିର୍ମାଣ ପାଇଁ ଦାବି ରଖାଯାଇଛି। ଛେନାପୋଡ଼ କାରିଗରମାନଙ୍କୁ ବୈଷୟିକ ପ୍ରଶିକ୍ଷଣ ଓ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯାଉ ବୋଲି ସେ ଅନୁରୋଧ କରିଛନ୍ତି। କେବଳ ଛେନାପୋଡ଼ ନୁହେଁ ନୟାଗଡ଼ର ମୁଗ ଓ କଣ୍ଟିଲୋ-ଖଳିସାହିର କଂସାପିତଳକୁ ମଧ୍ୟ ଜିଆଇ ମାନ୍ୟତା ମିଳୁ ବୋଲି ସେ ଦାବି କରିଛନ୍ତି। ନୟାଗଡ଼ରେ ଏକ ମୁଗ ପ୍ରକ୍ରିୟାକରଣ କେନ୍ଦ୍ର ପାଇଁ ସରକାର ଦୀର୍ଘ ଦିନ ହେବ ଘୋଷଣା କରିଥିଲେ ବି ତାହା ଏଯାଏଁ କାର୍ଯ୍ୟକ୍ଷମ ହୋଇନାହିଁ। ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ସରକାରଙ୍କୁ ମଞ୍ଚର ଆବାହକ ନିବେଦ କରିଛନ୍ତି।

ଅନୁରୂପ ଭାବେ ଛେନାପୋଡ଼ ଉପରେ ଅଧିକ ଗବେଷଣା, କବି ଯଦୁମଣି ମହାପାତ୍ର ଓ ଦାସିଆ ଅଜାଙ୍କ ଜନ୍ମପୀଠର ଉନ୍ନତିକରଣ, ନୟାଗଡ଼ରେ ପ୍ରସ୍ତାବିତ ମୁଗ ପ୍ରକ୍ରିୟାକରଣ କେନ୍ଦ୍ର ପ୍ରତିଷ୍ଠା ଏବଂ ଜଗନ୍ନାଥ ସଂସ୍କୃତିର ଆଦ୍ୟକ୍ଷେତ୍ର କଣ୍ଟିଲୋକୁ ରାଜ୍ୟ ରାଜଧାନୀରୁ ଚଉଡ଼ା ରାସ୍ତା ନିର୍ମାଣ କରିବା ପାଇଁ ମଧ୍ୟ ଦାବି ରଖାଯାଇଛି।। ଦାବିପତ୍ରରେ କୁହାଯାଇଛି, “କଣ୍ଟିଲୋଠାରେ ମହାନଦୀରେ ନୌକାବିହାର ବ୍ୟବସ୍ଥା ହେଉ, ସେଠାରେ ପାନ୍ଥ ନିବାସ କାର୍ଯ୍ୟକ୍ଷମ କରାଯାଉ। ନୟାଗଡ଼ ଚିନି କାରଖାନା ପୁଣିଥରେ କାର୍ଯ୍ୟକ୍ଷମ କରିବା ସହ ଆଖୁ ବ୍ୟବସାୟୀଙ୍କ ଆର୍ଥିକ ଓ ବୈଷୟିକ ପ୍ରୋତ୍ସାହନ ଦିଆଯାଉ। ଖଣ୍ଡପଡ଼ା ବ୍ଲକରେ ଥିବା ପ୍ରାଚୀନ ବୌଦ୍ଧ ପୀଠ ଯୋଗୀଯୋଗିଆଣୀର ଉନ୍ନତିକରଣ କରିବା ସହ ଜିଲ୍ଲାର ଭିନ୍ନଭିନ୍ନ ସ୍ଥାନରେ ଥିବା ପ୍ରାକୃତିକ ଝରଣା ଗୁଡ଼ିକୁ ପ୍ରଶସ୍ତ ରାସ୍ତା ନିର୍ମାଣ ସାଙ୍ଗକୁ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦିଆଯାଉ। ଭାପୁର ବ୍ଲକ ତରବାଲୋ ସ୍ଥିତ ଭାରତର ବୃହତ୍ତମ ଉଷ୍ମପ୍ରସବରଣର ଉନ୍ନତିକରଣ କରାଯାଉ।

ହନୁମନ୍ତିଆ ପୀଠକୁ ପର୍ଯ୍ୟଟକଙ୍କ ପାଇଁ ଅଧିକ ଯୋଗ୍ୟ କରାଯାଉ। ଭାପୁରରେ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ପୁରୁଣା ଜଗନ୍ନାଥ ମନ୍ଦିରର ନବନିର୍ମାଣ ଆରମ୍ଭ ହୋଇଛି। ସରକାର ଏଥିରେ ସହଯୋଗ କରିବା ଆବଶ୍ୟକ।” ସେହିଭଳି ନୟାଗଡ଼ ସହରର ମଧ୍ୟ ସ୍ଥଳରେ ଏ ମାଟିର ପରିଚୟ ପଠାଣି ସାମନ୍ତଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିୀ ସ୍ଥାପନ କରାଯାଉ ବୋଲି ମଞ୍ଚ ଦାବି କରିଛି। ବିଶ୍ବର ସର୍ବ ପୁରାତନ ମୁକ୍ତାକାଶ ମଞ୍ଚାଭିନୟ (୨୨୧ ବର୍ଷ ପୁରୁଣା) ଦଶପଲ୍ଲାର ଲଙ୍କାପୋଡ଼ିକୁ ଏକ ଜାତୀୟ ଉତ୍ସବର ମାନ୍ୟତା ଦେଇ ସରକାରଙ୍କ ପ୍ରୋତ୍ସାହନ ଦିଆଯାଉ ବୋଲି ଦାବି ହୋଇଛି। ରଣପୁର ମଣିନାଗ ପୀଠର ଉନ୍ନତୀକରଣ, ପୀଠକୁ ପ୍ରଶସ୍ତ ରାସ୍ତା ଓ ସେଠାରେ ପର୍ଯ୍ୟଟକଙ୍କ ପାଇଁ ସୁବିଧାକେନ୍ଦ୍ର ନିର୍ମାଣ ପାଇଁ ମଧ୍ୟ ଦାବି ହୋଇଛି। ଦ୍ବିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ରଣପୁୂରର ଜଗନ୍ନାଥ ମନ୍ଦିର ପାରିପାର୍ଶ୍ବିକ ବିକାଶ ପାଇଁ ଦାବି କରାଯାଇଛି। ବ୍ଲକ ସାତକୋଶିଆଠାରେ ସ୍ଥାୟୀ ପର୍ଯ୍ୟଟନ ସୁବିଧାକେନ୍ଦ୍ର ପ୍ରତିଷ୍ଠା ହେବା ସହ ଗଣିଆଠାରୁ ସେ ସ୍ଥାନକୁ ନିତିଦିନିଆ ଓସାର ରାସ୍ତା ନିର୍ମାଣ କରାଯାଉ।

ସେହିପରି ଓଡ଼ଗାଁର ରଘୁନାଥ ମନ୍ଦିର ଓ ଶରଣକୂଳର ଲଡ଼ୁବାବା ମନ୍ଦିରର ପାରିପାର୍ଶ୍ବିକ ଉନ୍ନତିକରଣ ଓ ପର୍ଯ୍ୟଟନ ସୁବିଧା ପାଇଁ ଦାବି ହୋଇଛି। ନୟାଗଡ଼ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ କରିବା ସହ ଜିଲ୍ଲାରେ ଓୟୁଏଟିର ଏକ ସଂପ୍ରସାରିତ କ୍ୟାମ୍ପସ୍‌ ଖୋଲିବାକୁ ଶ୍ରୀ ପଣ୍ଡା ଦାବି କରିଛନ୍ତି। ଜିଲ୍ଲାର ନିର୍ବାଚିତ ନେତାମାନେ ରାସ୍ତାଘାଟ, କୋଠାବାଡ଼ି ଓ ଉଦ୍ୟାନ ନିର୍ମାଣରେ ଅଧିକ ଆଗ୍ରହ ଦେଖାଉଥିବାବେଳେ କୃଷକଙ୍କ ବିକାଶ ସାଙ୍ଗକୁ ଜିଲ୍ଲାର ସାଂସ୍କୃତିକ, ଶୈକ୍ଷିକ ଓ ଅର୍ଥନୈତିକ ବିକାଶ ଜରୁରୀ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ନୟାଗଡ଼ ଜିଲ୍ଲାର ସାମାଜିକ-ସାଂସ୍କୃତିକ-ସାମୂହିକ ବିକାଶ ପାଇଁ ସର୍ବଦା କାର୍ଯ୍ୟ କରିଆସିଛି ନୟାଗଡ଼ ବିକାଶ ମଞ୍ଚ। ପୂର୍ବରୁ ନୟାଗଡ଼ ବିକାଶ ମଞ୍ଚର ସଦସ୍ୟମାନେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ରାଜଭବନରେ ସାକ୍ଷାତ କରି ଜିଲ୍ଲାର ବିକାଶ ପାଇଁ ଅନୁରୂପ ଦାବି ରଖିଥିଲେ ଯାହା ଉପରେ ଏବେ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ କାର୍ଯ୍ୟ କରୁଛି ବୋଲି ଚିଠି ମିଳିଛି।

ସୂଚନାଯୋଗ୍ୟ ଛେନାପୋଡ଼କୁ ଜିଆଇ ମାନ୍ୟତା ପାଇଁ ପ୍ରଥମେ ଦାବି ଉଠାଇଥିଲେ ମଞ୍ଚର ଆବାହକ ଶୁଭ୍ରାଂଶୁ ପଣ୍ଡା। ତାଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ଛେନାପୋଡ଼ ଦିବସ ଉତ୍ସବ ପାଳନ ଏବେ ଏକ ମହାପର୍ବରେ ପରିଣତ ହୋଇଛି। ଛେନାପୋଡ଼କୁ ଅଧିକ ପ୍ରସାରୀ କରିବା ପାଇଁ ସେ ଏକ ଛେନାପୋଡ଼ ସଂଗୀତ ମଧ୍ୟ ରଚନା କରିଛନ୍ତି।

Leave A Reply

Your email address will not be published.