Odisha Link
Bridging the Missing Links in Odisha

ଜଗନ୍ନାଥଙ୍କୁ ଅପମାନ କଲେ ବିଜେପି ନେତା, ନିନ୍ଦା କଲେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଏହାପରେ ବଡ଼ଦାଣ୍ଡରେ ବିଶାଳ ରୋଡ ଶୋ’ କରିଥିଲେ। ତାଙ୍କ ସାଥିରେ ବିଜେପିର ପୁରୀ ଲୋକସଭା ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ମଧ୍ୟ ଉପସ୍ଥିତ ଥିଲେ। ହେଲେ ସେ ଗଣମାଧ୍ୟମକୁ ଏଭଳି କିଛି ପ୍ରତିକ୍ରିୟା ଦେଇଛନ୍ତି ଯାହା କେବଳ ରାଜ୍ୟ ରାଜୀତିକୁ ସରଗରମ କରିନି ବରଂ ପୁର ପଲ୍ଳୀରେ ଚର୍ଚ୍ଚା ହେଉଛି। ମହାପ୍ରଭୁ ଜଗନ୍ନାଥଙ୍କୁ ମୋଦିଙ୍କ ଭକ୍ତ କହିଥିଲେ। ଯାହାକୁ ନେଇ ହଟଚମଟ ସୃଷ୍ଟି ହୋଇଛି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନିନ୍ଦା କରିଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ନବୀନ ପଟ୍ଟନାୟକ ଲେଖିଛନ୍ତି, ମହାପ୍ରଭୁ ଶ୍ରୀ ଜଗନ୍ନାଥ ସମଗ୍ର ବିଶ୍ୱର ଠାକୁର ତାଙ୍କୁ ଅନ୍ୟ ଜଣେ ମନୁଷ୍ୟର ଭକ୍ତ କହିବା ମହାପ୍ରଭୁଙ୍କ ପ୍ରତି ସବୁଠୁ ବଡ଼ ଅପମାନ। ଏହା ବିଶ୍ୱର କୋଟି କୋଟି ଜଗନ୍ନାଥ ଭକ୍ତ ଓ ଓଡ଼ିଆ ମାନଙ୍କ ଭାବାବେଗ ଓ ବିଶ୍ୱାସକୁ କ୍ଷତାକ୍ତ କରିଛି। ମହାପ୍ରଭୁ ହେଉଛନ୍ତି ଓଡ଼ିଆ ଅସ୍ମିତାର ସବୁଠାରୁ ବଡ଼ ପ୍ରତିକ। ମହାପ୍ରଭୁଙ୍କୁ ଅନ୍ୟଜଣେ ମଣିଷର ଭକ୍ତ ବୋଲି କହିବା ସମ୍ପୂର୍ଣ୍ଣ ଭାବରେ ନିନ୍ଦନୀୟ। ମୁଁ ବିଜେପିର ପୁରୀ ଲୋକସଭା ପ୍ରାର୍ଥୀଙ୍କ ଏପରି ମନ୍ତବ୍ୟକୁ ଦୃଢ ନିନ୍ଦା କରୁଛି ଓ ମହାପ୍ରଭୁଙ୍କୁ ରାଜନୀତିରୁ ଉର୍ଦ୍ଧ୍ୱରେ ରଖିବାକୁ ବିଜେପିକୁ ଅପିଲ କରୁଛି। ଏହା କରି ଆପଣ ଓଡ଼ିଆ ଅସ୍ମିତାକୁ ଗଭିର ଭାବରେ ଆଘାତ ପହଞ୍ଚାଇଛନ୍ତି।ଯାହା ଓଡ଼ିଶାବାସୀ ଦୀର୍ଘଦିନ ପାଇଁ ମନେ ରଖିବେ ଆଉ ନିନ୍ଦା କରିବେ।

ଅନ୍ୟପଟେ ସମାଲୋଚନାର ଶିକାର ହୋଇଥିବା ସମ୍ବିତ ପାତ୍ର କ୍ଷମା ମାଗିଛନ୍ତି। ସମ୍ବିତ ପାତ୍ର ଏକ୍ସରେ ଲେଖିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ପରମ ଭକ୍ତ, ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜି ପୁରୀ ଆଗମନ ଅବସରରେ ପୁରୀ ବଡଦାଣ୍ଡରେ ଜନଗହଳିରେ ଅନେକ ମିଡିଆ ବନ୍ଧୁଙ୍କ ସହ ବାର୍ତ୍ତା କରିଥିଲି। ଏହି ଜନସମୁଦ୍ର ମଧ୍ୟରେ ଜଣେ ମିଡିଆ ବନ୍ଧୁଙ୍କ ସହ ବାର୍ତ୍ତା ସମୟରେ “ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭକ୍ତ ମୋଦି” ବଦଳରେ ଭୁଲରେ ମୋଦିଙ୍କ ଭକ୍ତ ଜଗନ୍ନାଥ ଉଚ୍ଚାରଣ ହୋଇଯାଇଥିଲା।ସ୍ୱାଭାବିକ ଭାବେ ଆମେ ସମସ୍ତେ ମହାପ୍ରଭୁ ଶ୍ରୀ ଜଗନ୍ନାଙ୍କ ଭକ୍ତ। ବଡ ଠାକୁର ଶ୍ରୀ ଜଗନ୍ନାଥ ଆମ ମୁରବୀ । ଏହି ପ୍ରସଙ୍ଗରେ ରାଜନୀତି କରିବା ଅନୁଚିତ ହେବ।

Leave A Reply

Your email address will not be published.