ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଅସୁସ୍ଥ, ମେଡିକାଲରେ ଚାଲିଛି ଚିକିତ୍ସା

ଓଏଲ୍ ବ୍ୟୁରୋ: ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଅସୁସ୍ଥ। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ପେଟରେ ପାଣି ଜମିବା କାରଣରୁ ସେ ଗୁରୁତର ହୋଇଥିବା ସୂଚନା ରହିଛି। ବର୍ତ୍ତମାନ ତାଙ୍କର ଡାକ୍ତରଖାନାରେ ଡାଏଲିସିସ୍ ଚାଲିଛି। ବର୍ତ୍ତମାନ ସୁଦ୍ଧା ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ସୂଚନା ରହିଛି।
ଡାକ୍ତର ଦାମୋଦର ରାଉତ ୭ଥର ଓଡ଼ିଶା ବିଧାନସଭାକୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ୧୯୪୨ ମସିହା ଜୁଲାଇ ୨ ତାରିଖରେ ଜଗତସିଂହପୁରରେ ଶ୍ରୀ ରାଉତ ଜନ୍ମଗ୍ରହଣ କରିଥିଲେ। ଭାରତ ସ୍ବାଧୀନ ହେବାର ୧୦ ବର୍ଷ ପରେ ଅର୍ଥାତ୍ ୧୯୫୭ ମସିହାରୁ ଡାକ୍ତର ଦାମୋଦର ରାଉତ ରାଜନୈତିକ ଜୀବନ ଆରମ୍ଭ କରିଥିଲେ।
ଓଡ଼ିଶା ବିଧାନସଭା ନିର୍ବାଚନରେ ସେ ଏରସମା ଓ ପାରାଦ୍ୱୀପ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୭ମ, ୮ମ, ୧୦ମ, ୧୨ଶ, ୧୩ଶ, ୧୪ଶ ଏବଂ ୧୫ଶ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଗତ ୨୦୧୯ ନିର୍ବାଚନ ପୂର୍ବରୁ ଡାକ୍ତର ଦାମୋଦର ରାଉତ ବିଜେପିରେ ଯୋଗ ଦେଇ ନିର୍ବାଚନ ଲଢ଼ିଥିଲେ। ହେଲେ ପରାଜୟର ସମ୍ମୁଖୀନ ହୋଇଥିଲେ। ପରେ ସେ ବିଜେପି ମଧ୍ୟ ଛାଡ଼ି ଦେଇଥିଲେ।