ଘରୁ ମଶା ବାହାରିଲେ ଗୃହକର୍ତ୍ତା ଗଣିବେ ତଣ୍ଡ, ଡେଙ୍ଗୁ ପାଇଁ ନିର୍ଦ୍ଦେଶନାମା ଜାରି କଲା ବିଏମ୍ସି

ଓଏଲ୍ ବ୍ୟୁରୋ: ରାଜ୍ୟରେ ଡେଙ୍ଗୁ ରୋଗକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଦିନକୁ ଦିନ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ବଢ଼ିବାରେ ଲାଗିଛି। ଡେଙ୍ଗୁର ହଟସ୍ପଟ୍ ପାଲଟିଛି ରାଜଧାନୀ ଭୁବନେଶ୍ୱର। ଡେଙ୍ଗୁ ପାଇଁ ବିଏମ୍ସି ନିର୍ଦ୍ଦେଶନାମା ଜାରି କରିଛି। ଘରୁ ମଶା ବାହାରିଲେ ଗୃହକର୍ତ୍ତା ଗଣିବେ ୧୦୦୦ ତଣ୍ଡ। ୧୫ ଅଗଷ୍ଟରୁ ଏହି ନୂଆ ନିୟମ କାର୍ଯ୍ୟକାରୀ ହେବ। ଖାଲି ସେତିକି ନୁହେଁ ସରକାରୀ-ବେସରକାରୀ କାର୍ଯ୍ୟାଳୟରୁ ମଶା ବାହାରିଲେ ତଣ୍ଡ ବଢ଼ି ୫୦୦୦ ଟଙ୍କା ହେବ। ବିଏମ୍ସି କମିଶନର ବିଜୟ ଅମୃତା କୁଲାଙ୍ଗେ ଏପରି ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ଖବର ଅନୁସାରେ, ଦିନକୁ ଦିନ ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ପାର କଲାଣି। ଅଗଷ୍ଟ ୧୫ ତାରିଖ ସୁଦ୍ଧା ସବୁ ଅଳିଆ ହଟାଇବାକୁ ପଡ଼ିବ। ଏହାପରେ ସ୍ୱଚ୍ଛସାଥୀ, ଆଶା, ଅଙ୍ଗନବାଡ଼ି ଦିଦି, ବିଏମ୍ସି କର୍ମଚାରୀ ପ୍ରତି ଘର ଅଚାନକ ଗସ୍ତ କରିବେ। ଯଦି କୌଣସି ଘରୁ ମଶା, ଲାର୍ଭା ବାହାରେ ତେବେ ସଙ୍ଗେ ସଙ୍ଗେ ଜରିମାନା କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି।