Odisha Link
Bridging the Missing Links in Odisha

ପାକିସ୍ତାନରେ ହାଇଡ୍ରାମା, ରାତି ଅଧରେ ଭାଙ୍ଗିଲା ସଂସଦ

ଓଏଲ୍‌ ବ୍ୟୁରୋ: ଭାରତର ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନରେ ହାଇଡ୍ରାମା। ରାତି ଅଧରେ ପାକିସ୍ତାନ ରାଜନୀତିରେ ହଟଚମଟ ଦେଖିବାକୁ ମିଳିଛି। ପାକିସ୍ତାନରେ ଲାଗି ରହିଥିବା ରାଜନୈତିକ ଅସ୍ଥିରତା ଭିତରେ ଗତକାଲି ପାକିସ୍ତାନ ସଂସଦକୁ ଭଙ୍ଗ କରାଯାଇଛି। ସଂସଦ ଭଙ୍ଗ ହେବାର ୩ ମାସ ମଧ୍ୟରେ ପୁଣିଥରେ ନିର୍ବାଚନ ହେବ। ସବୁଠୁ ବଡ଼କଥା ହେଲା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଜେଲ୍‌ ଚାରିକାନ୍ଥରେ ଥିବା ବେଳେ ପୁଣିଥରେ ନିର୍ବାଚନ ଲଢ଼ି ପାରିବେ ନା ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି।

ପାକିସ୍ତାନ ରାଷ୍ଟ୍ରପତି ଆରିଫ ଅଲ୍ଲୀ ବୁଧବାର ବିଳମ୍ବିତ ରାତିରେ ସଂସଦକୁ ଭଙ୍ଗ କରିଛନ୍ତି। ସଂସଦର ନିମ୍ନ ସଦନ ନ୍ୟାସନାଲ ଆସେମ୍ବଲି ୫ ବର୍ଷ କାର୍ଯ୍ୟକାଳ ପୂରଣ କରିବାର ୩ ଦିନ ପୂର୍ବରୁ ଭଙ୍ଗା ଯାଇଛି। ଏଥିସହ ଶାହବାଜ ଶରିଫଙ୍କ ଶାସନ କାଳ ମଧ୍ୟ ଶେଷ ହୋଇଛି। ସେ ଗତକାଲି ଶେଷଥର ସଂସଦରେ ନିଜ ଭାଷଣ ରଖିଥିଲେ। ସୂଚନାଥାଉକି, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ରାଷ୍ଟପତିଙ୍କୁ ପତ୍ର ଲେଖି ସଂସଦ ଭଙ୍ଗ କରିବାକୁ ଅନୁରୋଧ କରିଥିଲେ ।

ପାକିସ୍ତାନ ସମ୍ବିଧାନ ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ ସୁପାରିସ୍‌ର ୪୮ ଘଣ୍ଟା ମଧ୍ୟରେ ରାଷ୍ଟ୍ରପତି ସଂସଦ ଭଙ୍ଗ ନ କଲେ ତାହା ଆପେ ଆପେ ଭାଙ୍ଗି ଯାଇଥାଏ । ଆସନ୍ତା ୩ ଦିନ ମଧ୍ୟରେ ଦେଶର କେୟାରଟେକର ପ୍ରଧାନମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ । ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ସହମତି ହୋଇ ନ ପାରିଲେ ଗୃହର ସ୍ପିକରଙ୍କ ଦ୍ୱାରା ଗଠିତ ସମିତି ନିକଟକୁ ଏହି ମାମଲା ପଠାଯିବ । ଉକ୍ତ ସମିତି ୩ ଦିନ ମଧ୍ୟରେ ଦେଶର ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀଙ୍କ ନାଁରେ ମୋହର ଲଗାଇବ ।

Leave A Reply

Your email address will not be published.